କୋଲକାତା,୨୩/୧୦: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ଟିଆଇ ପରେଡ ଆସନ୍ତା ୨୪ରେ କରାଯିବ । ଜେଲ୍ରେ ସମସ୍ତ ୬ ଅଭିଯୁକ୍ତଙ୍କୁ ନେଇ ଟିଆଇ ପରେଡ କରିବାକୁ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ଦିନ କେଉଁମାନେ ଅପରାଧ ଘଟାଇଥିଲେ ଓ କେଉଁମାନେ ସେଠାରେ ଉପସ୍ଥିତ ଥିଲେ ତାହା ପୀଡିତା ଚିହ୍ନଟ କରିବେ । ଅନ୍ୟପକ୍ଷରେ ବୁଧବାର ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସେମାନଙ୍କ ଜାମିନ ଆବେଦନ ଖାରଜ କରିଦେବା ସହ ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ପୂର୍ବରୁ ଗତକାଲି ୨ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ କୋର୍ଟ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ ଆସନ୍ତା ୨୭ ତାରିଖରେ ସବୁ ଅଭିଯୁକ୍ତଙ୍କୁ କୋର୍ଟରେ ପୁଣି ହାଜର କରାଯିବ ।
ସୂଚନାଯୋଗ୍ୟ ଯେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ୨୩ ବର୍ଷୀୟା ପୀଡିତା ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଏମ୍ବିବିଏସ୍ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ଗତ ୧୦ ତାରିଖ ରାତିରେ ପୀଡିତାଙ୍କୁ ବଳାତ୍କାର କରାଯାଇଥିଲା । ପୁଲିସ ଏହି ଘଟଣାରେ ପୀଡିତାଙ୍କ ପୁରୁଷ ବନ୍ଧୁଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ।