ନୂଆଦିଲ୍ଲୀ,୦୨/୨୬:ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ। ଗୁରୁବାର ସକାଳେ ଇଣ୍ଡୋନେସିଆର ଟେର୍ନେଟ ନିକଟରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁନାମି ଚେତାବନୀ ଜାରି କରାଯାଇଛି । ଯାହାକୁ ନେଇ ଭୟଭୀତ ସ୍ଥାନୀୟ ବାସିନ୍ଦା ।
ଆହୁରି ପଢନ୍ତୁ- ନାସାର ଆର୍ଟେମିସ୍-II ମିଶନ୍ ଲଞ୍ଚ୍, ୧୦ ଦିନ ଯାଏଁ ଚନ୍ଦ୍ର ଚାରିପଟେ ଚକ୍କର କାଟିବେ ମହାକାଶଚାରୀ
ଏଏଫପି ରିପୋର୍ଟ ଅନୁସାରେ, ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ବା ୟୁଏସଜିଏସ କହିଛି ଗୁରୁବାର ସକାଳେ ପୂର୍ବ ଇଣ୍ଡୋନେସିଆର ସମୁଦ୍ରରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକୀୟ ପର୍ଯ୍ୟବେକ୍ଷଣ କେନ୍ଦ୍ର ଭୂମିକମ୍ପର କେନ୍ଦ୍ରଠାରୁ ୧ ହଜାର କିଲୋମିଟର ପରିଧି ମଧ୍ୟରେ ବିପଦପୂର୍ଣ୍ଣ ସୁନାମି ଲହରୀ ଆସିବାର ସତର୍କତା ଜାରି କରିଛି । USGS ଅନୁଯାୟୀ, ଭୂମିକମ୍ପଟି ସ୍ଥାନୀୟ ସମୟ ସକାଳ ୬ଟା ୪୮ ସମୟରେ ଟର୍ନେଟର ଛୋଟ ଦ୍ୱୀପ ନିକଟରେ ମୋଲୁକା ସାଗରରେ ୩୫ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା। ଉତ୍ତର ସୁଲାୱେସି ପ୍ରଦେଶର ମାନାଡୋ ସହରରେ ଜଣେ ଏଏଫପି ସାମ୍ବାଦିକ କହିଛନ୍ତି, ଭୂମିକମ୍ପ ଝଟକା ପାଇବା ମାତ୍ରେ ସେ ଏବଂ ଅନ୍ୟ ବାସିନ୍ଦାମାନେ ଉଠି ଘରୁ ବାହାରକୁ ଦୌଡ଼ି ପଳାଇଥିଲେ।