ନୂଆଦିଲ୍ଲୀ,୨୫/୦୨: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ତୀବ୍ରତା ୫.୧  ରେକର୍ଡ଼ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗରରେ ଥିବା ବେଳେ ଏହାର  ଗଭୀରତା ୯୧ କିଲୋମିଟର ରହିଛି।  ତେବେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

 କୋଲକାତାରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସହରଠାରୁ ବହୁତ ଦୂରରେ  ରହିଛି।  ସେହିପରି ଚଳିତ ବର୍ଷ ଜାନୁଆରୀ ୮ ତାରିଖରେ ମଧ୍ୟ କୋଲକାତାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଉତ୍ତର ବଙ୍ଗରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା  । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନଥିଲା। ଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଘଟଣା ସାମ୍ନାକୁ ଆସୁଛି।  ଯାହା ଯୋଗୁଁ ଲୋକମାନେ ଆତଙ୍କିତ ଅଛନ୍ତି।  ନିକଟରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଏକକାଳୀନ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହିପରି ଆଜି ଓଡିଶାର ରାଜଧାନୀରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି । 

ଫେବୃଆରୀ ୨୩ ତାରିଖ ଦିନ ଅପରାହ୍ନ ୩ଟା ୨୪ ମିନିଟରେ ଉତ୍ତର ପ୍ରଦେଶର ଗାଜିଆବାଦରେ ୨.୮ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସେସ୍‌ମୋଲୋଜି ଅନୁସାରେ, ଭୂମିକମ୍ପର ଗଭୀରତା୧୦ କିଲୋମିଟର ଥିଲା।  ସେହିପରି ଫେବୃଆରୀ ୧୭ ତାରିଖ ସକାଳେ, ଦିଲ୍ଲୀରେ ୪.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା।  ଯାହା ଫଳରେ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ପଳାଇଥିଲେ ।