ତାଇପେ - ତାଇୱାନରେ ଭୂମିକମ୍ପର ଜୋରଦାର ଝଟକା। ଏହି ଶକ୍ତିଶାଳୀ ଭୂମିକମ୍ପରେ ଅନେକ କୋଠା ଭୁଶୁଡ଼ି ପଡିଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୦ମ୍ୟାଗ୍ନିଚ୍ୟୁଡ୍ ଥିବା କୁହାଯାଇଛି। ବର୍ତ୍ତମାନ ଏହା ଜଣାପଡ଼ି ନାହିଁ ଏହି ଭୂକମ୍ପରେ କେତେ କ୍ଷୟକ୍ଷତି ହୋଇଛି। କେଉଁ ସ୍ଥାନରେ କେଉଁଠି ଓ କେତେ ଲୋକ ପ୍ରଭାବିତ ହୋଇଛନ୍ତି ଅଧିକାରୀମାନେ ଏହି ତଥ୍ୟ ସଂଗ୍ରହରେ ଲାଗିଛନ୍ତି।

 

ସ୍ଥାନୀୟ ପାଣିପାଗ ସଂସ୍ଥା ମୁତାବିକ, ଭୂକମ୍ପର କେନ୍ଦ୍ର ସ୍ଥଳ ୟିଲାନ କଣ୍ଟ୍ରିହଲ୍ ଠାରୁ ୩୨.୩ କିଲୋମିଟର ପୂର୍ବରେ ଥିଲା। ଏହାର ଗଭୀରତା ୭୨.୮ କି.ମି ଭୂତଳେ ଥିଲା।ଅଧିକାରୀଙ୍କ ମୁତାବିକ ଏହି ଭୂକମ୍ପ ରାଜଧାନୀ ତାଇପେରେ ଅନେକ କୋଠାକୁ ଦୋହଲାଇ ଦେଇଛି। କହି ରଖୁଛୁ ଯେ,ତାଇୱାନ ଦୁଇଟି ଟେକ୍ଟ୍ରୋନିକ୍ ପ୍ଲେଟର ସଂଯୋଗ ସ୍ଥଳ ନିକଟରେ ଅବସ୍ଥିତ। ଏଥିପାଇଁ ଏଠାରେ ଭୂମିକମ୍ପର ସମ୍ଭାବନା ସୃଷ୍ଟି କରିଛି।

​​​​​​​

ସୋସିଆଲ ମିଡିଆରେ ଭୂମିକମ୍ପର ଦୃଶ୍ୟ ଆସିଛି। ଯେଉଁଥିରେ ଲୋକମାନେ ଦୋକାନ ଏବଂ ଘରୁ ବାହାରକୁ ଦୌଡ଼ୁ ଥିବା ଦେଖାଯାଉଛି। ଏକ ଔଷଧ ଦୋକାନର ଭିଡିଓ ଆସିଛି, ଯେଉଁଥିରେ ରାକରେ ରଖାଯାଇ ଥିବା ଔଷଧ ଗୁଡ଼ିକ ହଠାତ୍ ଖସି ପଡ଼ୁଛି। ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ,ଜଣେ ବ୍ୟକ୍ତି ଘରେ ନ୍ୟୁଜରେ ଭୂକମ୍ପର ଖବର ଦେଖୁଛନ୍ତି। ସେତେବେଳେ ତାଙ୍କ ଘରେ ରଖିଥିବା ଅନେକ ଜିନିଷ ମଧ୍ୟ ଖସିବାରେ ଲାଗିଛି।