ନୂଆଦିଲ୍ଲୀ : ଆଫ୍ରିକାର କଙ୍ଗୋ ଦେଶରେ ପୁଣିଥରେ ଇବୋଲା ଭୂତାଣୁର ପ୍ରକୋପ ଆରମ୍ଭ ହୋଇଛି। ଆଫ୍ରିକାର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସଂଗଠନ 'ଆଫ୍ରିକା ସିଡିସି' ଶୁକ୍ରବାର ଦିନ ଏହା ନିଶ୍ଚିତ କରିଛି। ବର୍ତ୍ତମାନ ସୁଦ୍ଧା ୨୪୬ ଜଣ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଥିବା ବେଳେ ୬୫ ଜଣଙ୍କର ମୃତ୍ୟୁ ଘଟିଛି।
କଙ୍ଗୋରେ ଇବୋଲାର ଏହା ହେଉଛି ୧୭ ତମ ପ୍ରକୋପ। ଏହି ରୋଗ ଅତ୍ୟନ୍ତ ବିପଜ୍ଜନକ ଏବଂ ଖୁବ୍ ଶୀଘ୍ର ବ୍ୟାପିଥାଏ। ଏଥିସହିତ ପଡୋଶୀ ଦେଶ ୟୁଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ମଧ୍ୟ ଏହା ବ୍ୟାପିବାର ଭୟ ରହିଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।
ଇବୋଲା କ’ଣ?
ଇବୋଲା ଏକ ଅତ୍ୟନ୍ତ ବିପଜ୍ଜନକ ଭୂତାଣୁଜନିତ ରୋଗ। ଏହି ରୋଗ ବିରଳ ହେଲେ ମଧ୍ୟ ଗମ୍ଭୀର ଏବଂ ପ୍ରାୟତଃ ପ୍ରାଣଘାତୀ ହୋଇଥାଏ। ଏହା ଜଣେ ମଣିଷ ଠାରୁ ଅନ୍ୟ ଜଣକୁ ଶରୀରର ତରଳ ପଦାର୍ଥ ଯଥା ରକ୍ତ, ବାନ୍ତି କିମ୍ବା ବୀର୍ଯ୍ୟ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟାପି ଥାଏ। ଏପର୍ଯ୍ୟନ୍ତ ଏହାର କୌଣସି ସଠିକ୍ ଚିକିତ୍ସା ବାହାରି ନାହିଁ, କିନ୍ତୁ ଏହାର ଟିକା ଉପଲବ୍ଧ ଅଛି।
ବର୍ତ୍ତମାନର ସ୍ଥିତି କ’ଣ ?
ଏହି ସଂକ୍ରମଣ କଙ୍ଗୋର ଇଟୁରୀ ପ୍ରଦେଶରେ ବ୍ୟାପିଛି, ଯାହା ଦେଶର ପୂର୍ବ ଭାଗରେ ଥିବା ଏକ ଅତି ଦୁର୍ଗମ ଅଞ୍ଚଳ। ଏହା ରାଜଧାନୀ କିନସାସା ଠାରୁ ୧୦୦୦ କିଲୋମିଟରରୁ ଅଧିକ ଦୂରରେ ଅବସ୍ଥିତ। ଆଫ୍ରିକା ସିଡିସି ସୂଚନା ଦେଇଛି ଯେ ମୁଖ୍ୟତଃ ମୋଙ୍ଗୱାଲୁ ଏବଂ ରଖାମ୍ପାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକାଂଶ ମାମଲା ଏବଂ ମୃତ୍ୟୁ ଘଟିଛି।
୨୦ଟି ନମୁନା ମଧ୍ୟରୁ ୧୩ଟିରେ ଇବୋଲା ଭୂତାଣୁ ଥିବା ନିଶ୍ଚିତ ହୋଇଛି। ଇଟୁରୀର ରାଜଧାନୀ ବୁନିଆରେ ମଧ୍ୟ କିଛି ସନ୍ଦିଗ୍ଧ ମାମଲା ମିଳିଛି, ଯାହାର ଯାଞ୍ଚ ଜାରି ରହିଛି।
ଏହି ଅଞ୍ଚଳ ଏତେ ବିପଜ୍ଜନକ କାହିଁକି?
ଇଟୁରୀ ପ୍ରଦେଶ ଅନେକ କାରଣରୁ ଏକ କଷ୍ଟକର ଅଞ୍ଚଳ। ଏଠାରେ ରାସ୍ତାଘାଟ ଅତ୍ୟନ୍ତ ଖରାପ ଥିବାରୁ ସାହାଯ୍ୟ ପହଞ୍ଚାଇବା କଷ୍ଟକର ହୋଇଥାଏ। ଏଠାରେ ସୁନା ଖଣି ଗୁଡ଼ିକ ରହିଛି, ଯେଉଁଥିପାଇଁ ବହୁ ସଂଖ୍ୟାରେ ଶ୍ରମିକଙ୍କ ଯିବା ଆସିବା ଲାଗି ରହେ ଏବଂ ରୋଗ ବ୍ୟାପିବାର ଆଶଙ୍କା ବଢ଼ି ଯାଏ। ଏହି ଅଞ୍ଚଳରେ ହିଂସା ମଧ୍ୟ ଦେଖିବାକୁ ମିଳେ। 'ଇସଲାମିକ ଷ୍ଟେଟ୍' ସହ ଜଡ଼ିତ ଆଲାଇଡ୍ ଡେମୋକ୍ରାଟିକ୍ ଫୋର୍ସ ନାମକ ଏକ ଆତଙ୍କବାଦୀ ସଂଗଠନ ଏଠାରେ ଏବଂ ଆଖପାଖ ଅଞ୍ଚଳରେ କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଛି।
ପଡୋଶୀ ଦେଶଗୁଡ଼ିକୁ ବିପଦ କାହିଁକି ?
ଇଟୁରୀ ପ୍ରଦେଶ ୟୁଗାଣ୍ଡା ଏବଂ ଦକ୍ଷିଣ ସୁଦାନର ସୀମା ନିକଟରେ ଅବସ୍ଥିତ। ଆଫ୍ରିକା ସିଡିସି କହିଛି ଯେ ଲୋକମାନଙ୍କର ଅତ୍ୟଧିକ ଯିବା ଆସିବା ଯୋଗୁଁ ଏହି ରୋଗ ସୀମା ଅତିକ୍ରମ କରି ପାରେ। ଏହି କାରଣରୁ ଶୁକ୍ରବାର ଏକ ଜରୁରୀକାଳୀନ ବୈଠକ ଡକାଯାଇଥିଲା ଯେଉଁଥିରେ କଙ୍ଗୋ, ୟୁଗାଣ୍ଡା ଏବଂ ଦକ୍ଷିଣ ସୁଦାନର ସ୍ୱାସ୍ଥ୍ୟ ଅଧିକାରୀ, ଜାତିସଂଘ (UN) ଏଜେନ୍ସି ଏବଂ ଅନ୍ୟାନ୍ୟ ଦେଶ ଅଂଶଗ୍ରହଣ କରିଥିଲେ। ସୀମା ସେପାରିରେ କିପରି ନଜର ରଖାଯିବ, ଟେଷ୍ଟିଂ ଓ ଟିକା କିପରି ପହଞ୍ଚାଯିବ ଏବଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କିପରି ଚିହ୍ନଟ କରାଯିବ ସେ ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।
କଙ୍ଗୋରେ ଇବୋଲାର ଇତିହାସ :
୧୯୭୬ ମସିହାରେ କଙ୍ଗୋରେ ହିଁ ପ୍ରଥମେ ଇବୋଲା ରୋଗ ଆବିଷ୍କାର ହୋଇଥିଲା। ସେବେଠାରୁ ବର୍ତ୍ତମାନ ସୁଦ୍ଧା କଙ୍ଗୋରେ ୧୭ ଥର ଏହାର ପ୍ରକୋପ ଦେଖିବାକୁ ମିଳିଛି। ୨୦୧୮ରୁ ୨୦୨୦ ମଧ୍ୟରେ ପୂର୍ବ କଙ୍ଗୋରେ ଭୟଙ୍କର ପ୍ରକୋପ ହୋଇଥିଲା, ଯେଉଁଥିରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ୨୦୨୫ ମଧ୍ୟ ଏକ ପ୍ରକୋପ ହୋଇଥିଲା ଯାହା ତିନି ମାସ ଚାଲିଥିଲା ଏବଂ ୪୩ ଜଣଙ୍କର ମୃତ୍ୟୁ ଘଟିଥିଲା। ତା’ର ପାଞ୍ଚ ମାସ ପରେ ପୁଣି ଏହି ନୂଆ ମାମଲା ସାମ୍ନାକୁ ଆସିଛି। ୨୦୧୪-୨୦୧୬ ମଧ୍ୟରେ ପଶ୍ଚିମ ଆଫ୍ରିକାରେ ଇବୋଲାର ଏକ ବଡ଼ ପ୍ରକୋପରେ ୧୧,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ଥିଲେ।
କଙ୍ଗୋ ପାଇଁ ଏହା ଅଧିକ ମୁସ୍କିଲ କାହିଁକି ?
କଙ୍ଗୋ ଆଫ୍ରିକାର ଦ୍ୱିତୀୟ ବୃହତ୍ତମ ଦେଶ ହୋଇ ଥିଲେ ମଧ୍ୟ ସେଠାରେ ରୋଗ ସହ ଲଢ଼ିବା ସବୁବେଳେ କଷ୍ଟକର ହୋଇଛି। ଦେଶର ପୂର୍ବ ଭାଗରେ M23 ଭଳି ଅନେକ ସଶସ୍ତ୍ର ଗୋଷ୍ଠୀ ସକ୍ରିୟ ଅଛନ୍ତି ଯେଉଁମାନେ ଜାନୁଆରୀରୁ ବଡ଼ ବଡ଼ ସହରଗୁଡ଼ିକୁ କବଜା କରି ରଖିଛନ୍ତି। ଗତ ବର୍ଷର ପ୍ରକୋପ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୁ ଟିକା ପହଞ୍ଚାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା, କାରଣ ରାସ୍ତା ବନ୍ଦ ଥିଲା ଏବଂ ପାଣ୍ଠିର ଅଭାବ ଥିଲା। ଏଥର ମଧ୍ୟ ସମାନ ଆହ୍ୱାନ ସାମ୍ନାକୁ ଆସିଛି।