ବଲାଙ୍ଗିର, ୧୪/୭(ମୁକେଶ ବହିଦାର): ଗାଁରେ ମନ୍ଦିର ନାହିଁ । ଜଗନ୍ନାଥ ବି ନାହାନ୍ତି । ରଥଯାତ୍ରା ଆରମ୍ଭ ହେଲାପରେ ପାଖ ଗାଁରୁ ମହାପ୍ରଭୁଙ୍କୁ ଅଣାଯାଏ । ପ୍ରାୟ ୩କିମି ରାସ୍ତାରେ ଜଙ୍ଗଲ, ନାଳ, ଆଡି ଥିବାରୁ ତାଙ୍କୁ ଭାରକରି ଅଣାହୁଏ । ଜଗତର ନାଥ ଜଗନ୍ନାଥ ଗାଁରେ ପହଞ୍ଚିବା ମାତ୍ରେ ତାଙ୍କୁ ଏକ ଚକିଆ ରଥରେ ଗାଁ ପରିକ୍ରମା କରାହୁଏ । ମାତ୍ର ଦୁଇଦିନ ପାଇଁ ଠାକୁର ଗାଁରେ ରହି ପୁଣି ନିଜ ଗାଁକୁ ଫେରିଯାଆନ୍ତି । ଏଭଳି ଢଙ୍ଗରେ ପ୍ରାୟ ଅଢ଼େଇ ଶହବର୍ଷ ହେଲା ବଲାଙ୍ଗିର ଉପାନ୍ତ ଲରମ୍ଭା ଖୁରିପାଣି ଗାଁରେ ଚାଲିଆସୁଛି ଏକ ସ୍ୱତନ୍ତ୍ର ଦୁଇଦିନିଆ ରଥଯାତ୍ରା । ଚାରିପିଢ଼ି ଧରି ଖୁରିପାଣି ଗୌନ୍ତିଆ ପରିବାର ଏହାର ପରିଚାଳନା କରୁଥିବା ବେଳେ ଗାଁର ୮୦ପରିବାର ସଦସ୍ୟ ଏଥିରେ ସାମିଲ ହୁଅନ୍ତି ।

ବର୍ତ୍ତମାନର ଗୌନ୍ତିଆ ରମେଶ ସାହୁଙ୍କ କହିବାନୁସାରେ, ତାଙ୍କ ବୁଢ଼ାଦାଦା ତଥା ତତ୍କାଳୀନ ଖୁରିପାଣି ଗୌନ୍ତିଆ ରାଜେନ୍ଦ୍ର ସାହୁ ଏବଂ ତତ୍କାଳୀନ ଘେଁସ ଗୌନ୍ତିଆ ଭଲ ବନ୍ଧୁ ଥିଲେ । ତେଣୁ ସେଠାରେ ହେଉଥିବା ରଥଯାତ୍ରାକୁ ଦେଖିବା ପାଇଁ ତାଙ୍କୁ ନିଉତା ହେଉଥିଲା । ଶ୍ରୀ ସାହୁ ନିମନ୍ତ୍ରଣ ରକ୍ଷାକରି ସେଠାକୁ ଯାଉଥିଲେ । ସେଠାରେ ହେଉଥିବା ରଥର କେବଳ ଗୋଟିଏ ଚକ ରହୁଥିଲା । ତାହା ଦେଖି ଗୌନ୍ତିଆ ଶ୍ରୀ ସାହୁ ମଧ୍ୟ ନିଜ ଘର ପଛପଟ ବରଗଛ ତଳେ ଅବିକଳ ସେମିତି ଏକ ଚକିଆ ରଥ ନିର୍ମାଣ କରାଇଲେ ଏବଂ ପିଲାଖେଳ ଭାବରେ ତାକୁ ଗାଁରେ ବୁଲାଇଲେ ।

ଅଧିକ ପଢ଼ନ୍ତୁ :- Rath Khala Update: ସିଂହାସନ ପଛକୁ ରହିଲା ‘ପ୍ରଭା’, ରଥର କନା ପଡ଼ିବା କାର୍ଯ୍ୟ ଜାରି

ପରବର୍ତ୍ତୀ ସମୟରେ ଗାଁରେ ଏକଚକିଆ ରଥ ଚାଲିଲା । ଗୌନ୍ତିଆଙ୍କ ଇଚ୍ଛାକ୍ରମେ ତାଲପାଲି ଗାଁରୁ ଚତୁର୍ଦ୍ଧାମୂର୍ତ୍ତିକୁ ଆଣି ରଥଯାତ୍ରା ଆୟୋଜନ କଲେ । କାଳକ୍ରମେ ଘେସର ଏକଚକିଆ ରଥ ପରମ୍ପରା ବନ୍ଦ ହୋଇଗଲା । କିନ୍ତୁ ଖୁରିପାଣିରେ ବଂଶାନୁକ୍ରମେ ସେହି ପରମ୍ପରାକୁ ବଜାୟ ରଖି ଆସିଛନ୍ତି । ଦୀର୍ଘଦିନ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ତାଲପାଲିରୁ ଅଣାଗଲା । ଯଦିଓ ମଝିରେ କିଛିଦିନ ପାଇଁ ଗାଁରେ ମୂର୍ତ୍ତି ବ୍ୟବସ୍ଥା କରିବାକୁ ଯୋଜନା ହେଲା, ତଥାପି ତାହା ଫଳପ୍ରଦ ହେଲାନାହିଁ। ତେଣୁ ବର୍ତ୍ତମାନ ପଡୋଶୀ ବ୍ରାହ୍ମଣୀପାଲି ଗାଁରୁ କେବଳ ଜଗନ୍ନାଥଙ୍କୁ ସପ୍ତମୀ ଦିନ ଅଣାଯାଇ ନବମୀ ଦିନ ଛାଡ଼ି ଦିଆଯାଇଥାଏ ।

ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ଟିକେମନ ଛତରଙ୍କ କହିବାନୁସାରେ, ସେ ପିଲାଦିନରୁ ଗୋଟିଏ ଚକ ବିଶିଷ୍ଟ ରଥ ଦେଖିଆସୁଛନ୍ତି । ରଥର ଉଚ୍ଚତା ୧୫ଫୁଟ ରହୁଥିବା ବେଳେ ରଥର ତଳଭାଗ ମଝିରେ ଚକ ଖଞ୍ଜାଯାଇଥାଏ । ଚକାଟି ୧୧ଇଞ୍ଚ ଚଉଡ଼ା ଥିବା ବେଳେ ଗୋଲେଇ ୪୦ ଇଞ୍ଚ ରହିଛି । ଯଦିଓ ପୂର୍ବରୁ ସେଭଳି କୌଣସି ବୈଷୟିକ ଜ୍ଞାନ କୌଶଳ ନଥିଲା, ତଥାପି ରଥରେ କୌଣସି ସମସ୍ୟା ହେଉନଥିଲା । ଗାଁରେ କୌଣସି ମନ୍ଦିର କିମ୍ବା ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ ଗାଁ ସ୍କୁଲରେ ମହାପ୍ରଭୁଙ୍କୁ ରଖାଯାଇଥାଏ । ଦୁଇଦିନ ପାଇଁ ଜଙ୍ଗଲପାହାଡ଼ ତଳି ତଥା ଆଦିବାସୀପ୍ରବଣ ଗାଁ ଖୁରିପାଣିରେ ଯାତ୍ରା ଲାଗିଥାଏ । ଏକଚକିଆ ରଥ ଏବଂ ଦୁଇଦିନିଆ ଯାତ୍ରା ସମ୍ପୂର୍ଣ୍ଣ ଗାଁକୁ ଆଜି ବି ଏକ ପରିବାର ଭାବରେ ବାନ୍ଧି ରଖିଛି । ଏହି ଦୁଇଦିନିଆ ଯାତ୍ରାରେ ମହାବାହୁଙ୍କୁ ଅତିଥି ଭାବରେ ପାଇବାକୁ ଚାହିଁ ବସିଥାନ୍ତି ବୋଲି ଗାଁର ଅଚ୍ୟୁତାନନ୍ଦ ସାହୁ, ଅଭି ପୁଟେଲ, ବାଞ୍ଛାବଟ ଦଣ୍ଡସେନା, ଅଭିମନ୍ୟୁ ସାହୁ, ଗୁଣନିଧି ସାହୁ ପ୍ରମୁଖ କହିଛନ୍ତି ।