ନୂଆଦିଲ୍ଲୀ, ୧୫/୦୩: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ । ରବିବାର ଅପରାହ୍ଣରେ ବାଜିପାରେ ବିଗୁଲ୍ । ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର ଆଜି ତାରିଖ ଘୋଷଣା କରିବେ । ସାମ୍ବାଦିକ ସମ୍ମିଳନୀ କରି ୪ ରାଜ୍ୟ ଏବଂ ଏକ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ ECI ଜ୍ଞାନେଶ କୁମାର । ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ, ଆସାମ ଏବଂ ପୁଦୁଚେରୀରେ ବିଧାନସଭା ନିର୍ବାଚନ ହେବ । ଆସନ୍ତା ଏପ୍ରିଲ୍ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଭୋଟ୍ ଗ୍ରହଣ ହେବା ନେଇ ଆଶା କରାଯାଉଛି ।
ସୂଚନା ମୁତାବକ, ଚାରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଶୀଘ୍ର ଶେଷ ହେବ । ମତଦାନ ପର୍ଯ୍ୟାୟରେ ସ୍ବଳ୍ପ କରିବାକୁ ବିଚାର କରୁଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ, ଆସାମ ଓ ପୁଦୁଚେରିରେ ‘ଆଦର୍ଶ ନିର୍ବାଚନ ଆଚାର ସହିଂତା’ ବା ‘କୋଡ୍ ଅଫ୍ କଣ୍ଡକ୍ଟ’ ଲାଗୁ ହୋଇଯିବ ।
ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ:
୨୦୨୧ରେ ହୋଇଥିବା ବିଧାନସଭା ନିର୍ବାଚନକୁ ତୁଳନା କଲେ । ଏଥର ମତଦାନ ତାରିଖ ସଂଖ୍ୟା କମ୍ ହେବାର ସମ୍ଭାବନା ରହିଛି । ପୂର୍ବରୁ ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ଭୋଟ୍ ହୋଇଥିଲା । କିନ୍ତୁ ଏଥର ଏହା ହ୍ରାସ କରିବା ସହ ଅଧିକରୁ ଅଧିକ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯିବା ନେଇ ସୂଚନା ରହିଛି । ବିଶେଷ କରି ପଶ୍ଚିମବଙ୍ଗରେ ସ୍ବଚ୍ଛ, ଅବାଧ ଏବଂ ହିଂସାମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।
ଏପ୍ରିଲ-ମେ’ ରେ ନିର୍ବାଚନ:
ସେପଟେ ଆସାମ, ତମିଳନାଡୁ, କେରଳ ଏବଂ ପୁଡୁଚେରୀରେ ଚୂଡ଼ାନ୍ତ ଭୋଟର ଲିଷ୍ଟ ବିରୋଧରେ ଅପିଲ୍ କରିବାର ଧାର୍ଯ୍ୟ ସମୟ ଶେଷ ହୋଇଛି । ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିସାରିଛନ୍ତି । କେବଳ ସରକାରୀ ଭାବେ ଘୋଷଣା ବାକି ରହିଛି । ପଶ୍ଚିମବଙ୍ଗ ସମେତ ପାଞ୍ଚ ରାଜ୍ୟରେ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ’ ଏବଂ ଜୁନ୍ ୨୦୨୬ ମଧ୍ୟରେ ସମାପ୍ତ ହେବ । ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ କମିଶନର ଏପ୍ରିଲ-ମେ’ ମାସ ମଧ୍ୟରେ ନିର୍ବାଚନ ଶେଷ କରିପାରନ୍ତି ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ-ରାଜ୍ୟସଭା ଭୋଟ ଟେନ୍ସନ୍; ଭକ୍ତଙ୍କ ନିଦ ହଜାଇଲେଣି ୩ ବିଧାୟକ,ବିଜେଡ଼ିର ଚିନ୍ତା ବଢ଼ାଇଲେ ଚକ୍ରମଣୀ,ନବ ଓ ସୌଭିକ