କେନ୍ଦ୍ରାପଡ଼ା,୨୪/୦୧: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର  ପେଣ୍ଠ ବେଳାଭୂମିରେ ଚାଲିଥିବା ଇକୋ ରିଟ୍ରିଟ୍‌କୁ ନେଇ  ନ୍ୟାସ୍‌ନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଉଭୟ କେନ୍ଦ୍ର ଓ  ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଛନ୍ତି । କେନ୍ଦ୍ର ଜଙ୍ଗଲ ଓ  ପରିବେଶ ମନ୍ତ୍ରାଳୟ(ବନ୍ୟପ୍ରାଣୀ)ର ଅତିରିକ୍ତ ଆଞ୍ଚଳିକ  ମହାନିର୍ଦ୍ଦେଶକ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର  ଅତିରିକ୍ତ ଶାସନ ସଚିବ, ଜାତୀୟ ବୋର୍ଡ ବନ୍ୟପ୍ରାଣୀ  ଅତିରିକ୍ତ ସଚିବ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନୋଟିସ୍‌  କରାଯାଇ ସବିଶେଷ ରିପୋର୍ଟ ତଲବ କରାଯାଇଛି ।  ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏହି ଜାଗା  ଆସୁଥିବାରୁ ଏଠାରେ ଇକୋ ରିଟ୍ରିଟ୍‌ ହେବା ବନ୍ୟପ୍ରାଣୀ  ସୁରକ୍ଷା ଆଇନ ୧୯୭୨କୁ ଉଲ୍ଲଂଘନ କରୁଛି ବୋଲି  ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ରିପୋର୍ଟ ଦେବାକୁ  ଜଷ୍ଟିସ୍‌ ବି. ଅମିତ ସତଲେକର ଏବଂ ଡ. ଅରୁଣ  କୁମାର ବର୍ମାଙ୍କ ଖଣ୍ଡପୀଠ କହିଛନ୍ତି । ଏହି କାର୍ଯ୍ୟକ୍ରମ  ଦ୍ୱାରା କ’ଣ କ୍ଷତି ହେଉଛି ସେ ନେଇ ମାର୍ଚ୍ଚ ୧୮ ତାରିଖ  ସୁଦ୍ଧା ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।  

ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ  ଆୟୋଜିତ ଏହି ଇକୋ ରିଟ୍ରିଟ୍‌ ଗତ ଡିସେମ୍ବର ୧ ତାରିଖରୁ  ଆରମ୍ଭ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ ଓ  ଗହୀରମଥା ଅଭୟାରଣ୍ୟ ଭିତରେ ଆସୁଥିବା ପେଣ୍ଠ ସାମୁଦ୍ରିକ  ବେଳାଭୂମିରେ ଆୟୋଜିତ ହେଉଥିବାରୁ ଏହାକୁ ନେଇ  ବିବାଦ ଦେଖା ଦେଇଥିଲା । ଇକୋ ରିଟ୍ରିଟ୍‌ ପାଇଁ ପରିବେଶ  ପ୍ରଦୂଷଣ ସାଙ୍ଗକୁ ବନ୍ୟଜନ୍ତୁ, ଅଲିଭ୍‌ ରିଡ୍‌ଲେ୍‌ କଇଁଛଙ୍କ  ଜୀବନ ଉପରେ ପ୍ରଭାବ ପଡୁଥିବା ନେଇ ଗତ ନଭେମ୍ବର  ମାସରେ ପରିବେଶବିତ୍‌ ଆଳୟ ସାମନ୍ତରାୟ କେନ୍ଦ୍ର ଓ ରାଜ୍ୟ  ସରକାରଙ୍କୁ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ  ମାମଲା ଏନ୍‌ଜିଟିକୁ ଯାଇଥିଲା । ଆବେଦନକାରୀଙ୍କ  ପକ୍ଷରୁ ଏନ୍‌ଜିଟିରେ ଆଇନ୍‌ଜୀବୀ ଶଙ୍କର ପ୍ରସାଦ ପାଣି,  ଆଶୁତୋଷ ପାଢ଼ୀ ଏହି ମାମଲା ପରିଚାଳନା କରୁଛନ୍ତି ।