ଧର୍ମଗୁରୁ, ଧର୍ମପ୍ରବକ୍ତା, ମନୀଷୀମାନେ ନିଜ ନିଜର ବାଣୀ ଓ ରଚନାରେ ସାମାଜିକ ଐକ୍ୟ ସହିତ କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧିର କଥା କହିଛନ୍ତି । କୃଷି ଆମ ଅର୍ଥନୀତିର ମୁଖ୍ୟ ଅବଲମ୍ବନ ହୋଇଥିବାରୁ ସମସ୍ତେ ବିଶେଷତଃ ନିରାମିଷାଶୀମାନେ କୃଷିକୁ ସର୍ବାଧିକ ଗୁରୁତ୍ୱର ସହିତ ବିଚାର କରିଛନ୍ତି । ବେଳେବେଳେ ବିଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ସଂଘର୍ଷ ଉପୁଜି ସାମାଜିକ ଐକ୍ୟ ବିପନ୍ନ ହୁଏ ।

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ଡାନି ରୋଡ୍ରିକ୍ କହନ୍ତି "ସାମାଜିକ ସଂଘର୍ଷକୁ ସମାଧାନ କରିବାର ଦକ୍ଷତା ଉପରେ କୌଣସି ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି ନିର୍ଭର କରେ ।' ଅନେକ ସମୟରେ ଭିନ୍ନ ଭିନ୍ନ ଧର୍ମାନୁଗାମୀଙ୍କ ମଧ୍ୟରେ ଧର୍ମସ୍ଥଳକୁ କେନ୍ଦ୍ରକରି ସଂଘର୍ଷ ଉପୁଜିଥାଏ, ଯାହାର କୁପ୍ରଭାବ ଆମ ଅର୍ଥନୀତି ଉପରେ ମଧ୍ୟ ପଡ଼ିଥାଏ । ତେଣୁ ସମଗ୍ର ମାନବଜାତି ଗୋଟିଏ ଧର୍ମ "ମାନବ-ଧର୍ମ'କୁ ସବୁ ଧର୍ମର ଊଦ୍ଧ୍ୱର୍, ଅର୍ଥାତ୍ ସର୍ବୋଚ୍ଚ ବିଚାର କଲେ ସମୂହ-ଜୀବନ ସମୃଦ୍ଧ ହେବା ନିଶ୍ଚିତ ।

ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତ ବେଦାନ୍ତ ତତ୍ତ୍ୱ "ଅହଂ ବ୍ରହ୍ମୋସ୍ମି', "ତତ୍ ତ୍ୱମ୍ ଅସି' ଅର୍ଥାତ୍ "ମୁଁ ବ୍ରହ୍ମ, ସମସ୍ତେ ବ୍ରହ୍ମ'ର ଦୃଢ଼ ସମର୍ଥକ ଥିଲେ ଶ୍ରୀ ନାରାୟଣ ଗୁରୁ । କେରଳର କାଲାଭାଙ୍କୋଡେରେ ତାଙ୍କଦ୍ୱାରା ପ୍ରତିଷ୍ଠିତ ଏକ ମନ୍ଦିରରେ ସେ କୌଣସି ଦେବ ବିଗ୍ରହଙ୍କୁ ସଂସ୍ଥାପନ କରିନଥିଲେ, ରଖିଥିଲେ କେବଳ ଗୋଟିଏ ଦର୍ପଣ । ଦର୍ଶନାଭିଳାଷୀମାନେ ମନ୍ଦିରକୁ ଯାଇ ଦର୍ପଣରେ ନିଜ ନିଜର ପ୍ରତିବିମ୍ବକୁ ଦର୍ଶନ କରୁଥିଲେ । ଶ୍ରୀ ନାରାୟଣ ଗୁରୁଙ୍କର ବାର୍ତ୍ତା ଥିଲା "ନିଜକୁ ଦେଖ । ତୁମେ ବ୍ରହ୍ମ । ଈଶ୍ୱର ତୁମ ଭଳି ପ୍ରତ୍ୟେକ ଜୀବର ଅନ୍ତରରେ ଅଛନ୍ତି । ସମସ୍ତ ଜୀବ ହିଁ ବ୍ରହ୍ମ । କେବଳ ଆତ୍ମାନୁଭବ ବଳରେ ଜୀବ ମୁକ୍ତ ହେବ' । ଠିକ୍ ସେହିଭଳି ମୁରିକ୍କୁମ୍ପୁଯହାରେ ପ୍ରତିଷ୍ଠିତ ଆଉ ଏକ ମନ୍ଦିରରେ କୌଣସି ଦେବ ବିଗ୍ରହଙ୍କୁ ସଂସ୍ଥାପନ ନକରି ସେ ରଖିଥିଲେ ଗୋଟିଏ ଉଜ୍ୱଳ ଆଲୁଅ ଓ ଲେଖିଥିଲେ ଚାରୋଟି ଶବ୍ଦ "ସତ୍ୟ, କର୍ମ, ଦୟା, ଶ୍ରଦ୍ଧା'³ ଯାହା ସେହି ଆଲୁଅର ଉଜ୍ୱଳତାରେ ସ୍ପଷ୍ଟ ଦୃଶ୍ୟ ହେଉଥିଲା । ସମସ୍ତ ଶ୍ରେଣୀ, ଜାତି, ଧର୍ମର ଲୋକଙ୍କ ପାଇଁ ତାଙ୍କର ମନ୍ଦିର ଦୁଇଟି ସବୁବେଳେ ଖୋଲାଥିଲା । ମାଲୟାଲାମ, ତାମିଲ ଓ ସଂସ୍କୃତ ଭାଷାରେ ସେ ଅନେକ ବହି ଲେଖିଥିଲେ । କୋରାନ ସମ୍ପର୍କରେ ତାଙ୍କର ଲେଖାଗୁଡ଼ିକୁ ମୁସଲମାନମାନେ ପସନ୍ଦ କରୁଥିଲେ । ଥରେ ଜଣେ ଯୁବ ଖ୍ରୀଷ୍ଟିୟାନ ଧର୍ମପ୍ରଚାରକ ତାଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହେବାକୁ କହିବାରୁ ସେ ଉତ୍ତର ଦେଲେ "ମୁଁ ବି ଜଣେ ଖ୍ରୀଷ୍ଟିୟାନ' ।

୧୯୨୧ ବର୍ଷରେ ଏକ ସମ୍ମିଳନୀରେ ସେ ଘୋଷଣା କଲେ "ମାନବଜାତି ପାଇଁ ଏକ ଜାତି, ଏକ ଧର୍ମ, ଏକ ଈଶ୍ୱର' । ଭୋକିଲା ଲୋକଙ୍କୁ ଆଧ୍ୟାତ୍ମିକତା ଶିକ୍ଷା ଦିଆଯାଇପାରିବ ନାହିଁ ବୋଲି ସେ ଜାଣିଥିଲେ । ତେଣୁ କହୁଥିଲେ "ଶିକ୍ଷା ଓ ସମ୍ବଳ ଉଭୟ ଆବଶ୍ୟକ । ଶିକ୍ଷିତ ହେଲେ ତୁମେ ସ୍ୱାଧୀନ ହେବ । ସଂଗଠିତ ହେଲେ ଶକ୍ତିଶାଳୀ ହେବ । ଶିଳ୍ପାୟନ କଲେ ତୁମର ଆର୍ଥିକ ସ୍ଥିତି ଉନ୍ନତ ହେବ' । ତାଙ୍କର କାମ ଓ କଥାଗୁଡ଼ିକ ମହାତ୍ମା ଗାନ୍ଧି ଓ ରବୀନ୍ଦ୍ରନାଥ ଠାକୁରଙ୍କର ଖୁବ୍ ମନପସନ୍ଦ ହୋଇପାରିଥିଲା । ଜୈନଧର୍ମର ପ୍ରଥମ ତୀର୍ଥଙ୍କର ଋଷଭଦେବ ମଣିଷ-ଜୀବନର ଯେଉଁ ୬ଟି ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ ତାହା ହେଉଛି- ୧) ଅସି (ସୁସ୍ଥତା, ଆତ୍ମରକ୍ଷା ପାଇଁ ଶରୀର ସାଧନା), ୨) ମସୀ (କଳା, ସଂସ୍କୃତି, ଲିଖନ ଦକ୍ଷତା, ସାହିତ୍ୟ, ଶିକ୍ଷା), ୩) କୃଷି, ୪) ବିଦ୍ୟା (ଜ୍ଞାନ ଓ ପ୍ରଶିକ୍ଷଣ), ୫) ବାଣିଜ୍ୟ, ବ୍ୟବସାୟ, ୬) ଶିଳ୍ପକଳା (ସ୍ଥାପତ୍ୟ, ହସ୍ତଶିଳ୍ପ, ଦକ୍ଷତା ବିକାଶ) । ତାଙ୍କର ବଡ଼ପୁଅ ବାହୁବଳୀ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ସେବା, ହିତସାଧନ ଉପରେ ଗୁରୁତ୍ୱ ଦେବା ସହିତ ସୁସ୍ଥ, ବଳଶାଳୀ, କର୍ମଠ ହେବାକୁ ହଠଯୋଗ ଓ କୁସ୍ତି କସରତ ଭଳି ଗ୍ରାମ୍ୟ କ୍ରୀଡ଼ାର ପ୍ରସାର ପାଇଁ ଉଦ୍ୟମ କଲେ । ଚବିଶତମ ତୀର୍ଥଙ୍କର ମହାବୀର ଯାବତୀୟ କୁସଂସ୍କାର, ଅନ୍ଧବିଶ୍ୱାସ, ଜାତିପ୍ରଥା, ଲିଙ୍ଗଭେଦ, ସତୀଦାହ, ପଶୁବଳିକୁ ପ୍ରତ୍ୟାଖ୍ୟାନ କରିବା ସହିତ ଅହିଂସା, ଦୟା ଓ ବିଜ୍ଞାନସମ୍ମତ ବିଚାରକୁ ପ୍ରୋତ୍ସାହନ ଦେଲେ ଓ ସମ୍ପୂର୍ଣ୍ଣ ଐକ୍ୟ ଆଧାରରେ ଏକ ଅର୍ଥନୈତିକ, ରାଜନୈତିକ, ସାମାଜିକ ନ୍ୟାୟ ଆନ୍ଦୋଳନର ପ୍ରସାର କଲେ ।

"ସୋକା ଗାକ୍‌ବାଇ ବୌଦ୍ଧ ସଂଗଠନ'ର ପ୍ରତିଷ୍ଠାତା ଅଧ୍ୟକ୍ଷ ସୁନେସାବୁରୋ ମାକିଗୁଚି ତାଙ୍କର ୧୯୦୩ ବର୍ଷରେ ପ୍ରକାଶିତ "ଏ ଜେଓଗ୍ରାଫି ଅଫ୍ ହ୍ୟୁମାନ୍ ଲାଇଫ୍' ପୁସ୍ତକରେ ସାମ୍ରାଜ୍ୟବାଦ, ଉପନିବେଶବାଦ, ଅର୍ଥନୈତିକ ପ୍ରତିଦ୍ୱନ୍ଦ୍ୱିତା ବିରୋଧରେ ମାନବଜାତିକୁ ସତର୍କ କରାଇ ମତ ଦେଲେ ଯେ ପ୍ରତ୍ୟେକ ବ୍ୟକ୍ତି ଓ ରାଷ୍ଟ୍ର ମାନବିକ, ମହାନୁଭବ ବିଚାର ଆଧାରରେ ନିଜର ଜୀବନ ସହିତ ଅନ୍ୟମାନଙ୍କର ଜୀବନକୁ ସୁରକ୍ଷିତ, ସମୁନ୍ନତ କରିବାକୁ ଉଦ୍ୟମ କଲେ ବିଶ୍ୱର ମଙ୍ଗଳ ହେବ । ଆମ ଶାସ୍ତ୍ରରେ ପାଞ୍ଚ ପ୍ରକାର ଯଜ୍ଞାନୁଷ୍ଠାନ ପାଇଁ ଆମକୁ କୁହାଯାଇଛି- ଋଷି ଯଜ୍ଞରେ ଜ୍ଞାନଦାୟୀ ଋଷି, ପିତୃଯଜ୍ଞରେ ପୂର୍ବପୁରୁଷମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହିତ ଅତିଥି ଯଜ୍ଞରେ ଅତିଥି, କ୍ଷୁଧାର୍ତ୍ତ, ଭୂତଯଜ୍ଞରେ ପଶୁପକ୍ଷୀମାନଙ୍କର ସେବା କରିବା ଏବଂ ଦେବଯଜ୍ଞରେ ଅଗ୍ନି, ବରୁଣ, ବାୟୁ ଦେବତାମାନଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବା । ଯେହେତୁ ଆଲୋକ, ଉତ୍ତାପ, ଜଳ, ବାୟୁ ଆମ କୃଷି ପାଇଁ ପ୍ରୟୋଜନୀୟ ଓ କୃଷି ଆମ ଅର୍ଥନୀତିର ମୂଳାଧାର ଭାବରେ ଗ୍ରହଣୀୟ ।

୧୮୮୮ ବର୍ଷରେ ମୋହନଦାସ କରମଚାନ୍ଦ ଗାନ୍ଧି ଲଣ୍ଡନର ଫ୍ଲିଟ୍ ଷ୍ଟ୍ରୀଟରେ ଥିବା ନିରାମିଷ ଭୋଜନାଳୟ "ସେଣ୍ଟ୍ରାଲ ଭେଜିଟାରିଆନ ରେଷ୍ଟୁରାଣ୍ଟ'ରେ ପ୍ରଥମ ମିଲ୍ ଖାଇଥିଲେ ଓ ସେଠାରେ କିଣିଥିଲେ ହେନରୀ ସଲ୍ଟଙ୍କ ଲିଖିତ ବହି "ଏ ପ୍ଲି ଫର୍ ଭେଜିଟାରିଆନିଜିମ୍' । ବହିଟିରେ ନିରାମିଷ ଖାଦ୍ୟ, ପ୍ରାକୃତିକ ଚିକିତ୍ସା (ନେଚରଥେରାପି), ପଶୁପକ୍ଷୀଙ୍କ ଅଧିକାର, ଉପନିବେଶବାଦ ବିରୋଧୀ ଦୃଷ୍ଟି ସମେତ ଥିଓସୋଫି, ଫେମିନିଜିମ୍ ସମ୍ବନ୍ଧୀୟ ଆଲୋଚନା ପଢ଼ି ଖୁବ୍ ପ୍ରଭାବିତ ହୋଇଥିଲେ । ଆଉ ଏକ ନିରାମିଷ ଭୋଜନାଳୟ "ଦି ପୋରିଜ୍ ବଉଲ୍'ରେ ତାଙ୍କର ସାକ୍ଷାତ ହୋଇଥିଲା ଲଣ୍ଡନ "ଭେଜିଟାରିଆନ୍ ସୋସାଇଟି ଜର୍ଣ୍ଣାଲ'ର ସଂପାଦକ ଡ. ଜୋସିଆ ଓଲ୍ଡଫିଲ୍ଡଙ୍କ ସହିତ । ପରବର୍ତ୍ତୀ ସମୟରେ ସେ ଭେଟିଥିଲେ ଶ୍ରୀମଦ୍ ଭଗବତ୍ ଗୀତାର ଅନୁବାଦକ ସାର୍ ଏଡ୍ଓ୍ବିନ୍ ଆର୍‌ନଲ୍ଡ  ଓ ଲଣ୍ଡନରେ ରହୁଥିବା ଗୁଜରାଟୀ ଲେଖକ ନାରାୟଣ ହେମଚନ୍ଦ୍ରଙ୍କୁ । ସେମାନେ ସମସ୍ତେ ଥିଲେ ନିରାମିଷାଶୀ । ଏପରିକି ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଏକ ନିରାମିଷ ଭୋଜନାଳୟରେ ଗାନ୍ଧି, ହେନରୀ ପୋଲାକ୍, ହର୍‌ମାନ୍ କାଲେନ୍‌ବାଚ୍‌ ସ୍ଥିର କରିଥିଲେ ନିରାମିଷ ଖାଦ୍ୟର ଶରୀର ଉପରେ ସୁସ୍ଥ ପ୍ରଭାବ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସେମାନେ ଏକତ୍ର କାର୍ଯ୍ୟ କରିବେ । ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ସମ୍ବନ୍ଧରେ ଗାନ୍ଧି ଲେଖିଛନ୍ତି ଯେ ସେ ନିରାମିଷ ଖାଦ୍ୟକୁ ଧାର୍ମିକ, ଅର୍ଥନୈତିକ, ବିଜ୍ଞାନସମ୍ମତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବିଚାର କରୁଥିଲେ । ଗ୍ରାମ୍ୟକୃଷିରୁ ଉତ୍ପନ୍ନ ଶସ୍ୟ, ଫଳ, ସବୁଜ ପରିବା, ଶାଗ ଓ ପାରମ୍ପରିକ ଘଣାତେଲ ଉପରେ ଗୁରୁତ୍ୱାରୋପ କରୁଥିଲେ । ଭାରତୀୟ କୃଷିକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଭାରତରେ ଥିବା ଖାଦ୍ୟସାର ଗବେଷଣାର ନିର୍ଦ୍ଦେଶକ ଡ. ରବର୍ଟ ମ୍ୟାକ୍ କ୍ୟାରିସନ୍‌ଡଙ୍କ ନିକଟକୁ ଚିଠି ଲେଖିବା ସହିତ ନିଜେ ମଧ୍ୟ ଦୀର୍ଘବର୍ଷ ଧରି ଖାଦ୍ୟ ସମ୍ପର୍କିତ ପରୀକ୍ଷଣ, ନିରୀକ୍ଷଣ ଜାରି ରଖିଥିଲେ । ପରମହଂସ ଯୋଗାନନ୍ଦ କାଲିଫର୍ଣ୍ଣିଆରୁ ଗାନ୍ଧିଙ୍କ ନିକଟକୁ ପଠାଇଥିବା କେତେକ ଫଳଗଛର ଚାରା ବାଟରେ ନଷ୍ଟ ହୋଇଯାଇଥିଲା, ନଚେତ୍ ସେଗୁଡ଼ିକୁ ନେଇ ସେ କେତେ ପରୀକ୍ଷା ନିରୀକ୍ଷା କରିପାରିଥାଆନ୍ତେ । ଗାନ୍ଧି-ଆଶ୍ରମଗୁଡ଼ିକରେ ଅତ୍ୟନ୍ତ ସରଳ ଖାଦ୍ୟ ପ୍ରସ୍ତୁତ ହେଉଥିଲା । ପ୍ରାୟ ପ୍ରତିଦିନ କଖାରୁ ରନ୍ଧା ହୁଏ ବୋଲି ଥରେ ନାତୁଣୀ ଇଲା ସେବାଗ୍ରାମକୁ କଦୁଗ୍ରାମ (କଦୁ ଶବ୍ଦର ଅର୍ଥ କଖାରୁ) ମନ୍ତବ୍ୟ ଦେବାରୁ ଗାନ୍ଧି ହସିଲେ ଓ କଖାରୁ ସହିତ ଅନ୍ୟାନ୍ୟ ପରିବା ମିଶାଇ ରାନ୍ଧିବାକୁ କହିଲେ । ନିଜେ ନିରାମିଷ ଖାଦ୍ୟ ଗ୍ରହଣ କରି ଅନ୍ୟ ଅନେକଙ୍କୁ ପ୍ରଭାବିତ କରିପାରିଥିବାରୁ ଗାନ୍ଧିଙ୍କୁ ୧୯୩୧ ମସିହାରେ ଲଣ୍ଡନରେ ଗୋଲ୍ଟେବୁଲ୍ ବୈଠକ ସମୟରେ ଭେଜିଟାରିଆନ୍ ସୋସାଇଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଧର୍ମଗୁରୁ, ଧର୍ମପ୍ରବକ୍ତା, ମନୀଷୀମାନେ ନିଜ ନିଜର ବାଣୀ ଓ ରଚନାରେ ସାମାଜିକ ଐକ୍ୟ ସହିତ କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧିର କଥା କହିଛନ୍ତି । କୃଷି ଆମ ଅର୍ଥନୀତିର ମୁଖ୍ୟ ଅବଲମ୍ବନ ହୋଇଥିବାରୁ ସମସ୍ତେ ବିଶେଷତଃ ନିରାମିଷାଶୀମାନେ କୃଷିକୁ ସର୍ବାଧିକ ଗୁରୁତ୍ୱର ସହିତ ବିଚାର କରିଛନ୍ତି । ବେଳେବେଳେ ବିଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ସଂଘର୍ଷ ଉପୁଜି ସାମାଜିକ ଐକ୍ୟ ବିପନ୍ନ ହୁଏ । ଗୋଟେ ଉପାସନା ପୀଠ ଭଙ୍ଗାଯାଏ, ଆଉ ଗୋଟେ ଗଢ଼ାଯାଏ, ଉଭୟ ପ୍ରକ୍ରିୟା ପାଇଁ ବହୁ ଅର୍ଥ ବ୍ୟୟ ହୁଏ । ବିବାଦର ସମାଧାନ ପାଇଁ ବର୍ଷ ପରେ ବର୍ଷ ବିତିଯାଏ, ସେଥିପାଇଁ ମଧ୍ୟ ବହୁ ଅର୍ଥ ବ୍ୟୟ ହୁଏ । ଯେଉଁଥିପାଇଁ ରାଷ୍ଟ୍ରର ଅର୍ଥନୀତି ଚାପଗ୍ରସ୍ତ ହୁଏ । ବିଶେଷଜ୍ଞମାନେ କହନ୍ତି, ଭିନ୍ନ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ପାଇଁ ମାର୍ଗ ପ୍ରସ୍ତୁତ ହେଲେ ଏବଂ କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେଇ ଅର୍ଥର ବ୍ୟବସ୍ଥା ହେଲେ ସାମାଜିକ ଉନ୍ନୟନ ତ୍ୱରାନ୍ୱିତ ହେବା ନିଶ୍ଚିତ ।