ନୂଆଦିଲ୍ଲୀ, ୨୯/୦୧ : କେନ୍ଦ୍ର ବଜେଟ୍ ୨୦୨୬ ପୂର୍ବରୁ ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କରାଯାଇଛି। ଏହି ରିପୋର୍ଟ ଦେଶର ଅର୍ଥବ୍ୟବସ୍ଥାର ବର୍ତ୍ତମାନର ସ୍ଥିତି, ବିକାଶର ଗତି ଏବଂ ନୀତିଗତ ଚ୍ୟାଲେଞ୍ଜକୁ ବିଶ୍ଳେଷଣ କରୁଛି। ସାଧାରଣତଃ ବଜେଟରେ ଉପସ୍ଥାପିତ ଘୋଷଣା ଏବଂ ଆୟବ୍ୟୟ ହିସାବ ପଛରେ ଥିବା ଯୁକ୍ତି ଏବଂ ପ୍ରାଥମିକତା ଏହି ସର୍ଭେରେ ଦର୍ଶାଯାଏ।

ସରକାରଙ୍କ ପାଇଁ ଏହା ଏକ ବର୍ଷର ଆର୍ଥିକ ମୂଲ୍ୟାଙ୍କନ। ଯାହାକି ଆସନ୍ତା ଆର୍ଥିକ ବର୍ଷରେ ନୀତି-ନିର୍ମାଣ କେଉଁ ଦିଗରେ ଯିବ ସେବିଷୟରେ ନାଗରିକମାନଙ୍କୁ ସଙ୍କେତ ଦିଏ। ଅର୍ଥନୈତିକ ସର୍ଭେ ଦେଶର ସମସ୍ତ ପ୍ରମୁଖ କ୍ଷେତ୍ରରେ ଆର୍ଥିକ ଧାରା ଏବଂ ପରିବର୍ତ୍ତନର ବିଶ୍ଳେଷଣ କରେ। ଏଥିରେ କୃଷି ଏବଂ ଉଦ୍ୟୋଗର ବୃଦ୍ଧି, ଇନଫ୍ରାଷ୍ଟ୍ରକ୍ଚରର ସ୍ଥିତି, ରୋଜଗାର, ନଗଦ ନେଣଦେଣ, ମହଙ୍ଗା, ବ୍ୟାପାର, ବିଦେଶୀ ମୁଦ୍ର ଭଣ୍ଡାର ଏବଂ ଅନ୍ୟ ମାଇକ୍ରୋ ଇଣ୍ଡିକେଟର୍ସ ଉପରେ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଏଥର ବଜେଟରେ କେମିତି ରାଜସ୍ଵ ବଢିବ, କେଉଁ କ୍ଷେତ୍ରରେ ନିବେଶ ବଢିବ ଏବଂ କେଉଁ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ ତାହା ଏହି ରିପୋର୍ଟରୁ ସଙ୍କେତ ମିଳିଥାଏ।

ଏବେ ବଜେଟର ସ୍ଵରୂପ ବଦଳିଛି। ସ୍ଵାଧୀନତା ପରେ ବିଶେଷକରି ପଞ୍ଚବାର୍ଷିକ ଯୋଜନା ସମୟରୁ ବଜେଟ୍ କେବଳ ଲେଖାଜୋଖା ହୋଇ ରହିନାହିଁ। ସରକାରଙ୍କ ନୀତି ଏବଂ ଦିଶା-ନିର୍ଦ୍ଦେଶକୁ ସାର୍ବଜନିନ କରିବାର ପ୍ରମୁଖ ମାଧ୍ୟମ ପାଲଟିଛି। ଏଥିପାଇଁ ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ବେକ୍ଷଣର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। କାରଣ କେଉଁ କ୍ଷେତ୍ରରେ ସୁଧାର ଅଣାଯିବ, କେଉଁ କ୍ଷେତ୍ରରେ ନିବେଶ ବଢିବ ତାହା ସର୍ବେକ୍ଷଣରୁ ଜଣାପଡ଼େ।

ଏହି ଖବରଟିକୁ ପଢନ୍ତୁ- ଆର୍ଥିକ ସର୍ବେକ୍ଷଣ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ : ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ ହେଉଛି ସରକାରଙ୍କ ପରିଚୟ