ନୂଆଦିଲ୍ଲୀ,୮।୧: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର କାର୍ଯ୍ୟାନୁଷ୍ଠାନ ପରେ ରାଜନୈତିକ ସ୍ଥିତି ଖୁବ୍ ଖରାପ ହୋଇଛି। ମମତାଙ୍କ ସହ ଜଡିତ ରାଜନୈତିକ କନସଲଟାନ୍ସି ଫର୍ମ ଇଣ୍ଡିଆନ୍ ପଲିଟିକାଲ ଆକ୍ସନ କମିଟି(I-PAC) ସହ ଜହିତ ଆଡ୍ଡା ଉପରେ ଇଡିର ରେଡରେ ମମତା କେନ୍ଦ୍ରୀୟ ଏଜେନ୍ସି ଓ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କେବଳ ଇଡି ଉପରେ ଦଳର ଦସ୍ତାବିଜ ‘ଚୋରାଇବା’ର ଅଭିଯୋଗ କରିଛନ୍ତି ତାହା ନୁହେଁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ‘ଦୁଷ୍ଟ ହୋମ ମିନିଷ୍ଟର’ ବୋଲି କହିଛନ୍ତି। ଇଡି ସେଣ୍ଟ୍ରାଲ କୋଲକାତାର I-PAC ର ସିନିୟର ଅଧିକାରୀ ପ୍ରତୀକ ଜୈନଙ୍କ ବାସଭବନ ଓ ସଲ୍ଟଲେକ୍ ସେକ୍ଟର-୫ ସ୍ଥିତ ଗୋଦରେଜ୍ ଓ୍ବାଟର ସାଇଡ୍ ବିଲ୍ଡିଂରେ ଫର୍ମ କାର୍ଯ୍ୟାଳୟରେ ଚଢାଉ କରିଛି। ପ୍ରତୀକ ଜୈନଙ୍କୁ ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣନୀତି ଟିମ୍ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ବୋଲି ମନେକରାଯାଉଛି। ଚଢାଉ ଖବର ସାମନାକୁ ଆସିବା ମାତ୍ରେ ତୃଣମୂଳ କଂଗ୍ରେସର ନେତା ଓ କର୍ମୀଙ୍କୁ ବହୁ ସଂଖ୍ୟାରେ ସଲ୍ଟ ଲେକ୍ ସ୍ଥିତ କାର୍ଯ୍ୟାଳୟ ବାହାରେ ଏକାଠି ହୋଇଥିଲେ।
କେନ୍ଦ୍ର ଉପରେ ମମତାଙ୍କ ଅଭିଯୋଗ
ଇଡିର କାର୍ଯ୍ୟାନୁଷ୍ଠାନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧା କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପୁରା କାର୍ଯ୍ୟାନୁଷ୍ଠାନ ‘ସେହି ଦୁଷ୍ଟ ଗୃହମନ୍ତ୍ରୀ’ଙ୍କ ଇଶାରାରେ ହୋଇଛି, ଯିଏକି ଦେଶକୁ ସୁରକ୍ଷିତ ରଖିପାରିନଥିଲେ। ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି, କେନ୍ଦ୍ର ସରକାର ଟିଏମ୍ସି ପ୍ରାର୍ଥୀଙ୍କ ସୂଚୀ, ପାର୍ଟିର ରଣନୀତି ଓ ଆଭ୍ୟନ୍ତରୀଣ ଯୋଜନାକୁ ଏକାଠି କରିବାକୁ ଚାହେଁ। ସେ କହିଥିଲେ ଯେ ଇଡି ତାଙ୍କ ଦଳୀୟ କାର୍ଯ୍ୟାଳୟରୁ ଡକ୍ୟୁମେଣ୍ଟ ଉଠାଇ ନେଉଥିଲା ଓ ସେଠାରେ କୌଣସି ଗାର୍ଡ ମଧ୍ୟ ଉପସ୍ଥିତ ନଥିଲେ। ମମତା ପ୍ରଶ୍ନ ଉଠାଇଛନ୍ତି, ରାଜନୈତିକ ରାଜନୈତିକ ଡକ୍ୟୁମେଣ୍ଟ, ପ୍ରାର୍ଥୀ ତାଲିକା ଏବଂ ଦଳୀୟ ରଣନୀତି ଜବତ କରିବା ଇଡିର କାମ କିମ୍ବା ଗୃହମନ୍ତ୍ରୀଙ୍କର କାମ କି ବୋଲି ମମତା ପ୍ରଶ୍ନ କରିଛନ୍ତି।
ଡକ୍ୟୁମେଣ୍ଟ ଚୋରି ଅଭିଯୋଗ ମଧ୍ୟରେ, ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟରୁ କିଛି ଫାଇଲକୁ ତାଙ୍କ କନଭୟ ଗାଡ଼ିରେ ନିଆଯାଇ ରଖାଯାଇଥିବା ଏକ ମାମଲା ମଧ୍ୟ ସାମ୍ନାକୁ ଆସିଛି। ଏହାପରେ ପ୍ରଶ୍ନ ଉଠୁଛି ଯେ ଏହି ଫାଇଲଗୁଡ଼ିକରେ ଏପରି କେଉଁ ସୂଚନା ଥିଲା ଯାହାକୁ ଏତେ ସୁରକ୍ଷା ଦରକାର ଥିଲା। ଏହି ବିଷୟରେ ଟିଏମସି କିମ୍ବା ଇଡି ଦ୍ୱାରା ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।
‘ପାର୍ଟିର ରଣନୀତି ଚୋରାଇବାକୁ ଆସିଛନ୍ତି’
ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳର ଆଭ୍ୟନ୍ତରୀଣ ରାଜନୈତିକ ରଣନୀତିରେ ପ୍ରବେଶ ପାଇବା ପାଇଁ ଇଡି ଚଢାଉ କରାଯାଇଥିଲା। ଏହା ଦୁର୍ଭାଗ୍ୟଜନକ ଯେ ଇଡି ଆଇଟି କ୍ଷେତ୍ର ସହିତ ଜଡିତ ଏକ କାର୍ଯ୍ୟାଳୟରେ ପ୍ରବେଶ କରି ପ୍ରାର୍ଥୀ ତାଲିକା, ଦଳୀୟ ରଣନୀତି, ଯୋଜନା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବାକୁ ଚେଷ୍ଟା କରୁଛି। ବଢ଼ୁଥିବା ଉତ୍ତେଜନାକୁ ଦେଖି ବିଧାନନଗର ପୋଲିସ କମିଶନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।
I-PAC ଏବଂ ମମତା ବାନାର୍ଜୀଙ୍କ ସମ୍ପର୍କ
I-PAC ଦୀର୍ଘ ଦିନ ଧରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତିକାର ହୋଇଆସିଛି। ୨୦୨୧ ବିଧାନସଭା ନିର୍ବାଚନରେ, I-PAC ତୃଣମୂଳ କଂଗ୍ରେସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, ଯାହା ଦଳକୁ ବିଜେପି ବିରୁଦ୍ଧରେ ଏକ ବଡ଼ ବିଜୟ ଆଣିଥିଲା। ଏହା ପରେ, ଟିଏମସି ୨୦୨୬ ପର୍ଯ୍ୟନ୍ତ ଆଇ-ପିଏସି ସହିତ ଚୁକ୍ତିନାମାକୁ ବୃଦ୍ଧି କରିଥିଲା। ୨୦୨୪ ଲୋକସଭା ନିର୍ବାଚନ ସମୟରେ ଆଇ-ପିଏସି ପଶ୍ଚିମବଙ୍ଗରେ ଟିଏମସିକୁ ରଣନୀତିକ ସମର୍ଥନ ମଧ୍ୟ ପ୍ରଦାନ କରିଥିଲା।
IPAC ର ରାଜନୈତିକ ଯାତ୍ରା କିଭଳି ?
ଇଣ୍ଡିଆନ୍ ପଲିଟିକାଲ ଆକ୍ସନ କମିଟି (IPAC) ୨୦୧୩ ମସିହାରେ ସିଟିଜେନ୍ ଫର ଆକାଉଣ୍ଟେବଲ୍ ଗଭର୍ନାନ୍ସ ଭାବରେ ପ୍ରତିଷ୍ଠିତ ହୋଇଥିଲା। ଏହି ସଂଗଠନ ରାଜନୈତିକ ଦଳ ଏବଂ ନେତାମାନଙ୍କ ପାଇଁ ଏଜେଣ୍ଡା ସ୍ଥିର କରିବା ଏବଂ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରେ। ୨୦୧୪ରେ ‘ଚାଏ ପେ ଚର୍ଚ୍ଚା’, ‘ମୋଦୀ ଆନେ ୱାଲେ ହେଁ,’ ଏବଂ ‘ମୋଦୀ ଘର-ଘର’ ଭଳି ଅଭିଯାନଗୁଡ଼ିକୁ I-PAC ଦ୍ୱାରା ପରିକଳ୍ପନା କରାଯାଇଥିଲା। ଏହା ବ୍ୟତୀତ, I-PAC ବିହାର, ପଞ୍ଜାବ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ପାଇଁ ନିର୍ବାଚନ ରଣନୀତି ବିକଶିତ କରିଛି।
ଆହୁରି ପଢନ୍ତୁ: ଏବେ ବାଂଲାଦେଶ ଯିବା ଭାରତୀୟଙ୍କୁ ହେବନି ସହଜ, ଭିସା କଟକଣା ବଢାଇଲେ କଲେ ୟୁନୁସ ସରକାର