ନୂଆଦିଲ୍ଲୀ,୮।୧: ଭାରତ ଓ ବାଂଲାଦେଶ ଭିତରେ ଭିସାକୁ ନେଇ ବିବାଦ ଆହୁରି ବଢି ଯାଇଛି। ବାଂଲାଦେଶ ଭାରତୀୟ ନାଗରିକଙ୍କ ପାଇଁ ଭିସା କଟକଣା ଆହୁରି କଡାକଡି କରିବା ନେଇ ସ୍ପଷ୍ଟ କରିଛି। ଗୁରୁବାର କୋଲକାତା,ମୁମ୍ବାଇ ଓ ଚେନ୍ନାଇ ସ୍ଥିତ ବାଂଲାଦେଶ ଡେପୁଟି ହାଇ କମିଶନ୍ ମଧ୍ୟ ଭିସା ସେବାକୁ ସୀମିତ କରିଦେଇଛନ୍ତି। ଏହି ସୂଚନା ବାଂଲାଦେଶର ପ୍ରମୁଖ ଖବର କାଗଜର ଢାକା ଟ୍ରିବ୍ୟୁନ୍ ଦେଇଛି।

ରିପୋର୍ଟ ଅନୁସାରେ,ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ବୁଧବାର ରାତିରେ ଏହି ନିଷ୍ପତ୍ତି ସମ୍ପର୍କିତ ମିଶନ୍କୁ ସୂଚିତ କରିଛି। ମନ୍ତ୍ରଣାଳୟ ଭିସା ସେବାରେ କାଟ୍ ପଛରେ ସୁରକ୍ଷା କାରଣ ବୋଲି କହିଛି। ଗତ କିଛି ଦିନରେ ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଛି। ବିଶେଷକରି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା କ୍ଷମତାଚ୍ୟୁତ ହେବାପରେ ସେ ଭାରତର ଶରଣ ନେଇଥିଲେ। ଏହାକୁ ନେଇ ଦୁଇ ଦେଶର ସ୍ଥିତି ଜଟିଳ ହୋଇଛି।

ନୂଆ ବ୍ୟବସ୍ଥା ଅନୁସାରେ, ବିଜନେସ୍ ଓ ରୋଜଗାର (ଏମ୍ପଏଲମେଣ୍ଟ) ଭିସାକୁ ଛାଡି ସବୁ ଶ୍ରେଣୀର ଭିସାକୁ ନିଲମ୍ବିତ କରି ଦିଆଯାଇଛି। ଢାକା ଟ୍ରିବ୍ୟୁନ୍ ଅନୁସାରେ, କୋଲକାତା ସ୍ଥିତ ବାଂଲାଦେଶ ଡେପୁଟି ହାଇକମିଶନର କନସୁଲାର ଓ ଭିସା ସେବା ସମ୍ପୂର୍ଣ୍ଣ ଭାବରେ ରୋକି ଦିଆଯାଇଛି। କୋଲକାତା ମିଶନ୍‌ର ଜଣେ ଅଧିକାରୀ ଖବରକାଗଜକୁ କହିଛନ୍ତି, ଏହି ନିଷ୍ପତ୍ତି ଉଚ୍ଚ ଅଧିକାରୀଙ୍କ ନିର୍ଦେଶରେ ନିଆଯାଇଛି। ବର୍ତ୍ତମାନ କେବଳ ବିଜନେସ୍ ଓ ରୋଜଗାର ଭିସା ହିଁ ପ୍ରୋସେସ୍ କରାଯାଉଛି। ବର୍ତ୍ତମାନ ଏହି ପଦକ୍ଷେପ ୨୨ ଡିସେମ୍ବରରେ ନିଆଯାଇଥିବା କଟକଣା ପରେ ନିଆଯାଇଛି। ସେତେବେଳେ ବାଂଲାଦେଶ ନୂଆଦିଲ୍ଲୀ ସ୍ଥିତ ନିଜର ହାଇକମିଶନ୍, ଅଗରତାଲା(ତ୍ରିପୁରା)ର ଆସିଷ୍ଟାଣ୍ଟ ହାଇ-କମିଶନ୍ ଓ ସିଲିଗୁଡିର ଭିସା ସେଣ୍ଟରରେ ଭିସା ଓ କନସୁଲାର ସେବାକୁ ନିଲମ୍ବିତ କରିଥିଲା। ଏହାଛଡା ଗୌହାଟି(ଆସାମ) ସ୍ଥିତ ବାଂଲାଦେଶ ମିଶନ୍‌ର ମଧ୍ୟ କନସୁଲାର ସେବାକୁ ରୋକି ଦିଆଯାଇଥିଲା। ନୂଆ କଟକଣା ସହ ଭାରତୀୟ ନାଗରିକଙ୍କ ପାଇଁ ବାଂଲାଦେଶୀ ଭିସା ଏବେ ଖୁବ୍ ସୀମିତ ଶ୍ରେଣୀ ଓ ଅଳ୍ପ ସ୍ଥାନରେ ରହିଯାଇଛି।