ପୁରୀ,୨୨/୦୨: ବୟସ୍କ ଓ ଭିନ୍ନକ୍ଷମଙ୍କୁ ମନା ଶ୍ରୀମନ୍ଦିର । ଜଗତର ଠାକୁର ମହାପ୍ରଭୁ ଜଗନ୍ନାଥ ବାହୁମେଲାଇ ଭକ୍ତଙ୍କୁ କୋଳେଇ ନେବାକୁ ରତ୍ନ ସିଂହାସନରେ ବିରାଜିତ । ହେଲେ ପ୍ରଭୁଙ୍କ ପର୍ଯ୍ୟନ୍ତ ସଭିଏଁ ପହଞ୍ଚିବାକୁ ବାଟ ହୋଇଯାଇଛି ବନ୍ଦ । ଏତେ କଷ୍ଟରେ ପୁରୀ ଯାଏ ଦଉଡ଼ି ଆସିଲି । ହେଲେ ସିଂହଦ୍ୱାରରୁ ଫେରିଯାଉଛି । ଯାହା ପ୍ରଭୁଙ୍କ ଇଚ୍ଛା । ଲୁହ ଭିଜା ଆଖିରେ କୋହ ଭରା କଣ୍ଠରେ ଏଭଳି କହିଛନ୍ତି କଟକ ଭକତପଡ଼ାରୁ ଆସିଥିବା କାର୍ତ୍ତିକ ସ୍ୱାଇଁ । କାର୍ତ୍ତିକଙ୍କୁ ଏବେ ୮୬ ବର୍ଷ ବୟସ । ଶନିବାର ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଅନେକ ଆଶା ନେଇ ପୁରୀକୁ ଆସିଥିଲେ । ହେଲେ ଶ୍ରୀମନ୍ଦିର ଯିବାକୁ ଅସମ୍ଭାଳ ଭିଡ଼ ଓ ବୟସ୍କଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ଦେଖି କାନ୍ଦି କାନ୍ଦି ଫେରିଗଲେ । କେବଳ କାର୍ତ୍ତିକ ନୁହେଁ ଦୈନିକ ଜଗା ଦୁଆରୁ ଏଭଳି ଶହଶହ ବୟସ୍କ ଓ ଭିନ୍ନକ୍ଷମ ଭକ୍ତ ହତାଶ ମନରେ ଫେରିଯାଉଛନ୍ତି ।

ଶ୍ରୀମନ୍ଦିରକୁ ଦୈନିକ ହଜାର ହଜାର ଭକ୍ତ ଆସୁଛନ୍ତି । ପର୍ବପର୍ବାଣୀ ଓ ବିଶେଷ ଦିନରେ ଭକ୍ତଙ୍କ ସଂଖ୍ୟା ଲକ୍ଷେ ଡେଉଁଛି । ଏମାନଙ୍କ ମଧ୍ୟରେ ଅନେକ ଭିନ୍ନକ୍ଷମ ଓ ବୟସ୍କ ମଧ୍ୟ ଅଛନ୍ତି । ହେଲେ ଶ୍ରୀମନ୍ଦିରରେ ଏହି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ସେମାନେ ହତାଶ ହୋଇ ଫେରୁଛନ୍ତି । ବାହାରୁ ପତିତପାବନଙ୍କୁ ମୁଣ୍ଡିଆ ମାରି ଯିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଭକ୍ତଙ୍କ ପାଇଁ ସୁଗମ ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଉନାହିଁ । ଉତ୍ତର ଦ୍ୱାର ଦେଇ ଭିନ୍ନକ୍ଷମଙ୍କ ପ୍ରବେଶ କରାଇବାକୁ ସ୍ୱତନ୍ତ୍ର ସ୍ଥାୟୀ ରାମ୍ପ ପ୍ରସ୍ତୁତ କରାଯାଇଛି । ହେଲେ ଏହି ରାମ୍ପ କୌଣସି କାମରେ ଆସୁନି । ଉତ୍ତର ଦ୍ୱାରରେ ପ୍ରସ୍ତୁତ ହୋଇଥିବା ରାମ୍ପ ଐଶାନେଶ୍ୱର ମନ୍ଦିର ପାଶ୍ୱର୍ ଦେଇ ଆନନ୍ଦ ବଜାରରେ ବାହାରିବାର ଥିଲା । ସେଠାରୁ କୀର୍ତ୍ତନ ଚକଡା ଓ ଘଣ୍ଟି ଦ୍ୱାର ଦେଇ ଭିନ୍ନକ୍ଷମ ଓ ବୟସ୍କ ଭକ୍ତ ବାହାରକାଠ ନିକଟକୁ ଯାଇଥାନ୍ତେ ।

ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତେ । ଏନେଇ ରୂପରେଖ ଶେଷ ହେବା ପରେ ଉତ୍ତରଦ୍ୱାରର ବାମପାଶ୍ୱର୍ରେ ପଥରର ସ୍ଥାୟୀ ରାମ୍ପ ପ୍ରସ୍ତୁତ ହୋଇଥିଲା । ହ୍ୱିଲ ଚେୟାରରେ ଚମଡ଼ା ଥିବାରୁ ଏହି ରାମ୍ପରେ ଚାଲିବାକୁ ସ୍ୱତନ୍ତ୍ର କାଠର ହ୍ୱିଲ ଚେୟାର ମଧ୍ୟ ପ୍ରସ୍ତୁତ ହୋଇଥିଲା । ଭିନ୍ନକ୍ଷମ ଭକ୍ତଟିଏ ହ୍ୱିଲ ଚେୟାରରେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବା ପରେ ସେ ଏହି କାଠର ହ୍ୱିଲ ଚେୟାରରେ ବସି ମନ୍ଦିରକୁ ପ୍ରବେଶ କରୁଥିଲା । ଏଥିପାଇଁ ମନ୍ଦିର ନିକଟରେ ନିୟମିତ ସ୍ୱେଚ୍ଛାସେବୀ ରହୁଥିଲେ । ଅନେକ ସମୟରେ ପୁଲିସ ମଧ୍ୟ ଏଥିପାଇଁ ସହଯୋଗ କରୁଥିଲେ । ହେଲେ ମାତ୍ର କିଛି ମାସ ମଧ୍ୟରେ ଏହା ଆଉ କାର୍ଯ୍ୟକାରୀ କରାଗଲାନାହିଁ । ଏହି କାଠର ହ୍ୱିଲ ଚେୟାର ଏବେ ଖତ ଖାଉଛି ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ନାଗରିକ ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି, ବୟସ୍କ ଓ ଭିନ୍ନକ୍ଷମଙ୍କୁ ସ୍ୱତନ୍ତ୍ର ଭାବେ ନିର୍ମିତ କାଠ ଚଉକିରେ ବୋହି ନେବାକୁ ମଧ୍ୟ ବର୍ଷକ ତଳେ ସ୍ୱତନ୍ତ୍ର ଢଙ୍ଗରେ ଚଉକି ପ୍ରସ୍ତୁତ ହୋଇଥିଲା । ହେଲେ ଏହି ଚଉକି ମଧ୍ୟ କାର୍ଯ୍ୟରେ ଲାଗିଲା ନାହିଁ । ଫଳରେ ଏହି ଚଉକିଗୁଡ଼ିକ ମଧ୍ୟ ପଡ଼ିପଡ଼ି ଖତ ହୋଇଗଲା । ଶ୍ରୀମନ୍ଦିର ନାଟମଣ୍ଡପରେ ସ୍ୱତନ୍ତ୍ର ଦର୍ଶନ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଗଲେ ଭିନ୍ନକ୍ଷମ ବୟସ୍କ ଅନ୍ତତଃ ଉପକୃତ ହେବେ ବୋଲି ଆଶାବାନ୍ଧି ବସିଥିଲେ । ହେଲେ ଧାଡ଼ିଦର୍ଶନ ବ୍ୟବସ୍ଥା ଘୁଞ୍ଚିଘୁଞ୍ଚି ଯିବା ସହ ବୟସ୍କମାନେ ମହାପ୍ରଭୁଙ୍କୁ ମନ ପୂରି ଦର୍ଶନ କରିବାକୁ ବାନ୍ଧିଥିବା ଆଶା ମଉଳି ଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି।