​​​​​​​ଲାଞ୍ଜିଗଡ଼,୮/୯(ଆପ୍ର)-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି।ହାତୀପଲ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ୱାଲୀ ଗାଁରେ।

ପାହାଡ ପଦର ପଞ୍ଚାୟତ ଅନ୍ତର୍ଗତ ପଟାଙ୍ଗ ପଦର ଗାଁର ଦୁଇ ପରିବାର କିଛି ବର୍ଷ ହେବ ବେନଗାଁ ପଞ୍ଚାୟତର ଢୋଡ଼ୱାଲୀ ଗାଁରେ ରହି ପୋଡୁ ଚାଷ କରି ଆସୁଥିଲେ। ରବିବାର ବିଳମ୍ବିତ ରାତିରେ ୨୨ଟିକିଆ ହାତୀ ପଲ ଲାଞ୍ଜିଗଡ଼ ନିକଟସ୍ଥ ଝିମିରି ଜଙ୍ଗଲରୁ ଗାଁ ନିକଟରେ ପହଞ୍ଚିଥିଲେ l ହାତୀ ଗର୍ଜନ ଶୁଣି ଦୁଗୀ ମାଝୀ ଓ ପୁରାଣା ମାଝୀଙ୍କ ପରିବାର ଜୀବନ ବିକଳରେ ଘର ଛାଡି ନିକଟସ୍ଥ ଗାଁ ଘୋଡ଼ା ପୋଖରୀକୁ ଚାଲି ଯାଇଥିଲେ। ସକାଳୁ ଗାଁକୁ ଆସିକି ଦେଖିଲା ବେଳକୁ ଦୁଗୀ ମାଝୀ ଓ ପୁରାଣା ମାଝୀଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହିତ ଧାନ,ଚାଉଳ, ମାଣ୍ଡିଆ, ବିରି ଓ ଆସବାପତ୍ରକୁ ନଷ୍ଟ କରି ଦେଇଛନ୍ତି। ବର୍ତ୍ତମାନ ହାତୀପଲ ଗାଁ ନିକଟରେ ଥିବା ଝିମିରି ଜଙ୍ଗଲରେ ରହିଥିବା ବେଳେ ଲୋକେ ଲାଞ୍ଜିଗଡ ଠାରୁ ବେନଗାଁ ଦେଇ ସେହି ରାସ୍ତାରେ ଯାତାୟାତ ପାଇଁ ଭୟ କରୁଛନ୍ତି।

ଖବର ପାଇ ମୂଷାନାଲ ସେକ୍ସନ ଭାରପ୍ରାପ୍ତ ବନପାଳ ମହେଶ କୁମାର ମହାପାତ୍ର, ବନରକ୍ଷୀ ସୁରେନ୍ଦ୍ର ଶବର, ନିରାକାର ଦାସ, ଗଜସାଥି ସୁରେନ୍ଦ୍ର ପୂଝରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି ।ତେବେ ଉକ୍ତ ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ କ୍ଷତିଗ୍ରସ୍ତ ପରବାରକୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦୁଇ ପରିବାର ନିବେଦନ କରିଛନ୍ତି। ଏଥିପ୍ରତି ବନବିଭାଗ ଓ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।