ନୂଆଦିଲ୍ଲୀ,୦୬/୦୬: ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ  ହୋଇଥିବା ବିଶ୍ୱ ବାଣିଜ୍ୟ ଯୁଦ୍ଧ ଭାରତ ସମେତ  ଅନ୍ୟାନ୍ୟ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକ ପାଇଁ  ବଡ଼ ସମସ୍ୟା ଆଣିବ । ଉକ୍ତ ରାଷ୍ଟ୍ରଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପାଇଁ ଅଧିକ ଜଟିଳ ତଥା ଆହ୍ୱାନଜନକ ପରିସ୍ଥିତି ସୃଷ୍ଟି ହେବ। କୋଭିଡ୍‌-୧୯ ମହାମାରୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ଯେତିକି ଚିନ୍ତା ଦେଇ ନ ଥିଲା ତା’ଠାରୁ ଅଧିକ  ଚିନ୍ତା ଏହି ବାଣିଜ୍ୟ ଯୁଦ୍ଧ ଦେବ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପ୍ରଥମ ଡେପୁଟି  ଏମ୍‌ଡି ଗୀତା ଗୋପୀନାଥ ଏହା ପ୍ରକାଶ କରିଛନ୍ତି ।  

ଏକ ସାକ୍ଷାତ୍‌କାରରେ ଗୋପୀନାଥ କହିଛନ୍ତି  ଯେ, ୨୦୨୦ ମହାମାରୀ ବିଶ୍ୱବ୍ୟାପୀ କେନ୍ଦ୍ରୀୟ  ବ୍ୟାଙ୍କଗୁଡ଼ିକୁ ସୁଧ ହାର ହ୍ରାସ କରିବା ସହ ଆର୍ଥିକ ପ୍ୟାକେଜ୍‌ ପ୍ରଦାନ କରିବାକୁ ଅନୁମତି  ଦେଇଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତି ସମ୍ପୂର୍ଣ୍ଣ  ଅଲଗା । ଶୁଳ୍କର ଅପ୍ରତ୍ୟାଶିତ ପ୍ରଭାବ ଏକ ପ୍ରକାର ଝଟ୍‌କା ସୃଷ୍ଟି କରିଛି, ଯାହାକି ବିଶ୍ୱବ୍ୟାପୀ  କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ମୁଦ୍ରାନୀତି ନିଷ୍ପତ୍ତିକୁ  ଜଟିଳ କରୁଛି । 

ଏଥର ଚ୍ୟାଲେଞ୍ଜ୍‌ ମହାମାରୀଠାରୁ ବି ଅଧିକ ଭୟଙ୍କର ହେବ ବୋଲି ଗୋପୀନାଥ  କହିଛନ୍ତି ।  ଗୋପୀନାଥ ଆହୁରି କହିଛନ୍ତି ଯେ,  ଟାରିଫ୍‌ ଯୋଗୁ ଆମେରିକା ଭଳି ବିକଶିତ  ଅର୍ଥନୀତିଗୁଡ଼ିକ ଦରଦାମ ବୃଦ୍ଧିଜନିତ  ଚାପର ସାମ୍ନା କରୁଥିବାବେଳେ ବିକାଶମୁଖୀ  ରାଷ୍ଟ୍ରଗୁଡ଼ିକ ଚାହିଦା ଜନିତ ଝଟ୍‌କାର ସାମ୍ନା  କରୁଛନ୍ତି । ସାମ୍ପ୍ରତିକ ପରିସ୍ଥିତି ଦ୍ୱନ୍ଦ୍ୱ ସୃଷ୍ଟି  କରୁଛି । ବିକାଶମୁଖୀ ରାଷ୍ଟ୍ରଗୁଡ଼ିକରେ କେନ୍ଦ୍ରୀୟ  ବ୍ୟାଙ୍କଗୁଡ଼ିକୁ ଘରୋଇ ଚାହିଦା ବଢ଼ାଇବାକୁ  ସୁଧ ହାର ହ୍ରାସର ଆବଶ୍ୟକତା ରହିଛି । କିନ୍ତୁ  ଆମେରିକାରେ ଉଚ୍ଚ ସୁଧ ହାର ସେମାନଙ୍କୁ  ଦରକୁ ସ୍ଥିର କିମ୍ବା ବୃଦ୍ଧି କରିବା ପାଇଁ ବାଧ୍ୟ  କରିପାରେ । କାରଣ ସେମାନଙ୍କୁ ନିଜ ମୁଦ୍ରାକୁ  ସୁରକ୍ଷା ଦେବାକୁ ପଡ଼ିବ ।  

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର  ମୁଦ୍ରାନୀତି ସମୀକ୍ଷା ବୈଠକ ଜୁନ୍‌ ୪ରୁ ଆରମ୍ଭ  ହୋଇଥିବାବେଳେ ଜୁନ୍‌ ୬ରେ ନିଷ୍ପତ୍ତି ଘୋଷଣା  କରିବ ସର୍ବୋଚ୍ଚ ବ୍ୟାଙ୍କ । ଏଥର ଆର୍‌ବିଆଇ  ଏହାର ପ୍ରମୁଖ ସୁଧ ହାର ରେପୋରେଟ୍‌ରେ  ୨୫ରୁ ୫୦ ବେସିସ୍‌ ପଏଣ୍ଟ୍‌ ହ୍ରାସ କରିବା  ନେଇ ଅନୁମାନ ରହିଛି । ଏହା ହେଲେ ଚଳିତ  ବର୍ଷରେ ଏହା କ୍ରମାଗତ ତୃତୀୟ ହ୍ରାସ ହେବ ।