ମୁମ୍ବାଇ, ୦୨/୦୭: ବର୍ଷା ଧୋଇନେଲା ପ୍ରଥମ T-20 । ଘରୋଇ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି-ଟ୍ବଣ୍ଟି ମୁକାବିଲା ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ବିନିମୟରେ ୧୮୯ ରନ ସଂଗ୍ରହ କରିଥିଲା । ଏହାପରେ ବର୍ଷା ହେବାରୁ ଖେଳ ଜାରି ରଖିବା ସମ୍ଭବ ହୋଇ ନଥିଲା । ୧ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନଛାଡ଼ିବାରୁ ମ୍ୟାଚକୁ ବାତିଲ କରିଥିଲେ ଦୁଇ ଅମ୍ପାୟାର ।
ବୁଧବାର ଠାରୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ୍ ଆରମ୍ଭ ହୋଇଯାଇଛି । ୫ଟି ମ୍ୟାଚ୍ ବିଶିଷ୍ଟ ସିରିଜ୍ ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ମାତ୍ର ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଦଳୀୟ ସ୍କୋର ୬ ବେଳେ ଓପନର ସଞ୍ଜୁ ସାମସନ ବ୍ୟକ୍ତିଗତ ୧ ରନ କରି ଆଉଟ୍ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଇଶାନ କିଷନ ଖାତା ଖୋଲିବା ପୂର୍ବରୁ ରନ ଆଉଟ୍ ହୋଇ ପାଲିଲିୟନ ଫେରିଥିଲେ । ମାତ୍ର ୬ ରନରେ ୨ଟି ୱିକେଟ୍ ହରାଇ ଇ ଭାରତ ବ୍ୟାଟଫୁଟକ ଚାଲିଯାଇଥିଲା। ହେଲେ ଅନ୍ୟ ଓପନର ଅଭିଷେକ ଶର୍ମା ଚିରାଚରିତ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ବାହାର କରିଥିଲେ । ଅନ୍ୟ ପଟେ ଶ୍ରେୟସ ଆୟର ତାଙ୍କୁ ସହାୟତା କରିଥିଲେ। ଉଭୟ ୫୫ ରନ୍ ଯୋଗ କରି ପାଓ୍ବାର ପ୍ଲେ ମଧ୍ୟରେ ଦଳୀୟ ସ୍କୋରକୁ ୬୧ରେ ପହଞ୍ଚାଇ ଦେଇଥିଲେ।
ଅଭିଷେକ ବିସ୍ଫୋରକ ବ୍ୟାଟିଂ ଜାରି ରଖ୍ T-20ରେ ୧୦୦ ଛକା ପୂରଣ କରିବା ସହ ଅଦ୍ଧଶତକ ହାସଲ କରିଥିଲେ। ଅଭିଷେକ ୨୪ଟି ବଲରୁ ୬ ଚୌକା ଓ ୪ ଛକା ବଳରେ ୫୯ ରନ କରି ଆଉଟ୍ ହୋଇଥିଲେ। ଆୟର ଅଦ୍ଧଶତକ ଅର୍ଜନ କରି ଦଳୀୟ ସ୍କୋରକୁ ୧୬୫ରେ ପହ ଞ୍ଚାଇବା ପରେ ଆଉଟ୍ ହୋଇଥିଲେ। ସେ ୪୭ଟି ବଲ୍ ରୁ ୬୮ ରନ୍ କରିଥିଲେ। ଶିବମ ଦୁବେ ୨୧ଟି ବଲରେ ଅପରାଜିତ ୪୨ ରନ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୧୮୯ରେ ପହଞ୍ଚିଥିଲା । ଯାହା ଫଳରେ ଘରୋଇ ଇଂଲଣ୍ଡ ସାମ୍ନାରେ ୧୮୯ ରନ ଟାର୍ଗେଟ୍ ରଖିଥିଲା । ମାତ୍ର ଦ୍ବିତୀୟ ଇନିଂସ ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥିଲା । ୧ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବାରୁ ମ୍ୟାଚକୁ ବାତିଲ୍ କରିଥିଲେ ଅମ୍ପାୟାର । ତେବେ ଆସନ୍ତା ୪ ତାରିଖରେ ମାଞ୍ଚେଷ୍ଟର ଠାରେ ଉଭୟ ଦଳ ମଧ୍ୟରେ ଦ୍ଵିତୀୟ T-20 ମ୍ୟାଚ୍ ଖେଳାଯିବ।
ଅଧିକ ପଢ଼ିନ୍ତୁ- T20I Top Batsman: ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା ତାଲିକା, ଅଭିଷେକଙ୍କୁ ହଟାଇ କିଷନ ଶୀର୍ଷରେ