ନୂଆଦିଲ୍ଲୀ: ୟୁରୋପୀୟ ସଂଘ ( EU ) ମୁଖ ଉର୍ସୁଲା ଭନ୍ ଡେର୍ ଲେଏନ୍ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ଉଭୟ ନେତା ପ୍ରସ୍ତାବିତ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ( FTA )କୁ ଯଥାଶୀଘ୍ର ଚୂଡ଼ାନ୍ତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଉର୍ସୁଲା ଭନ୍ କହିଛନ୍ତି ଯେ, ଭାରତ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

ଉର୍ସୁଲା ଭନ୍ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇ ଆମେ ଖୁସି ହେଲୁ । ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ଭାରତର ସମ୍ପର୍କକୁ ଆମେ ହୃଦୟର ସହିତ ସ୍ୱାଗତ କରୁଛୁ । ରୁଷର ଆକ୍ରମଣାତ୍ମକ ଯୁଦ୍ଧ ସମାପ୍ତ କରିବା ଏବଂ ଶାନ୍ତି ପ୍ରତିଷ୍ଠା କରିବାରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ପଡ଼ିବ ଏହି ଯୁଦ୍ଧକୁ ଏକ ବିଶ୍ୱ ଚିନ୍ତା ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ, ଏହା ଆର୍ଥିକ ସ୍ଥିରତାକୁ କ୍ଷତି ପହଞ୍ଚାଇବ, ତେଣୁ ଏହା ସମଗ୍ର ବିଶ୍ୱ ପାଇଁ ବିପଦପୂର୍ଣ୍ଣ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଉଭୟ ନେତା ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ, ନବସୃଜନ, ପ୍ରତିରକ୍ଷା, ସୁରକ୍ଷା ଏବଂ ଯୋଗାଣ ଶୃଙ୍ଖଳ ଭଳି ପ୍ରମୁଖ କ୍ଷେତ୍ରରେ ହୋଇଥିବା ପ୍ରଗତିକୁ ସ୍ୱାଗତ କରିଛନ୍ତି। ଉଭୟ ନେତା ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଶୀଘ୍ର ସମାପ୍ତ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୟୁରୋପୀୟ ସଂଘର ଶୀର୍ଷ ନେତା ଆଣ୍ଟୋନିଓ କୋଷ୍ଟାଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏବଂ ଭାରତରେ ପରବର୍ତ୍ତୀ ଭାରତ-ୟୁରୋପୀୟ ସଂଘ ସମ୍ମିଳନୀ ଯଥାଶୀଘ୍ର ଆୟୋଜନ କରିବା ବିଷୟରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଏଥିପାଇଁ ଉଭୟ ନେତାଙ୍କୁ ଭାରତକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି।

ଭାରତ ସେପ୍ଟେମ୍ବର ତାରିଖରେ ନୂଆଦିଲ୍ଲୀରେ ୟୁରୋପୀୟ ସଂଘ ସହିତ ୧୩ତମ ପର୍ଯ୍ୟାୟ ଏଫଟିଏ ଆଲୋଚନା ଆରମ୍ଭ କରିବ। ଏହା ପୂର୍ବରୁ, ଏହି ଆଲୋଚନା ଚଳିତ ବର୍ଷ ଆରମ୍ଭରେ ବ୍ରସେଲ୍ସରେ ଅନୁଷ୍ଠିତ ହୋଇଥିଲା । ଆଠ ବର୍ଷର ବ୍ୟବଧାନ ପରେ ଉଭୟ ପକ୍ଷ ଜୁନ୍ ୨୦୨୨ ରେ ପୁଣି ଆଲୋଚନା ଆରମ୍ଭ କରିଥିଲେ। ବଜାର ପ୍ରବେଶ ଉପରେ ମତଭେଦ ଯୋଗୁଁ ୨୦୧୩ ରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା