ନୂଆଦିଲ୍ଲୀ, ୧୪।୭: ଯଦି ଆପଣଙ୍କ ଓଜନ ବଢ଼ୁଛି ତେବେ ଏବେଠୁ ସାବଧାନ ହୋଇଯାନ୍ତୁ । ଯେତେ ଶୀଘ୍ର ପାରୁଛନ୍ତି, ଓଜନ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ନଚେତ୍ ବର୍ତ୍ତମାନର ସବୁଠୁ ମାରାତ୍ମକ ରୋଗ କ୍ୟାନସରର ହୋଇପାରନ୍ତି ଶିକାର । ଏକଥା ଆମେ କହୁନୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡ଼ିଛି । ପ୍ରତିବର୍ଷ ଭାରତରେ ପ୍ରାୟ ୧୪ ଲକ୍ଷ ଲୋକ କର୍କଟ ରୋଗରେ ପୀଡ଼ିତ ହୁଅନ୍ତି । ଏଥିମଧ୍ୟରୁ, ସ୍ତନ କର୍କଟ ହେଉଛି ମହିଳାଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ । ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ମହିଳା ସ୍ତନ କର୍କଟ ରୋଗରେ ମୃତ୍ୟୁବରଣ କରନ୍ତି । ଏହି ସ୍ତନ କର୍କଟ ପାଇଁ ଅନେକ କାରଣ ଦାୟୀ । ଯେଉଁଥିରୁ ଖରାପ ଜୀବନଶୈଳୀ, ବିଳମ୍ବରେ ବିବାହ ଏବଂ ଶାରୀରିକ ନିଷ୍କ୍ରିୟତା ସବୁଠାରୁ ବଡ଼ କାରଣ । କିନ୍ତୁ ଏବେ ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି ଯେ, ଓଜନ ଅଧିକ ଥିବା ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ରୋଗର ଆଶଙ୍କା ଅଧିକ ଥାଏ । ଏହି ଅଧ୍ୟୟନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରାଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଓଜନ ଅଧିକ ହେବା ଦ୍ଵାରା ମେନୋପଜ୍ ପରେ ହୃଦରୋଗରେ ପୀଡ଼ିତ ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ରୋଗର ଆଶଙ୍କା ବଢ଼ିପାରେ । ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସରର ଗବେଷକ ହାଇଞ୍ଜ୍ ଫ୍ରିସଲିଙ୍ଗ କହିଛନ୍ତି ଯେ, ଏହି ଅଧ୍ୟୟନର ଫଳାଫଳ ସ୍ତନ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମକୁ ଉନ୍ନତ କରିବାରେ ସାହାଯ୍ୟ କରିପାରିବ । ସେ ପରାମର୍ଶ ଦେଇଥିଲେ ଯେ ଭବିଷ୍ୟତରେ, ଓଜନ ହ୍ରାସ ପରୀକ୍ଷଣରେ ହୃଦରୋଗରେ ପୀଡ଼ିତ ମହିଳାଙ୍କୁ ସାମିଲ କରି ସ୍ତନ କର୍କଟ ରୋଗ ନିବାରଣ ଉପରେ ଗବେଷଣା କରାଯିବା ଉଚିତ୍ । ଗବେଷକମାନେ ୟୁରୋପୀୟ ପ୍ରୋସ୍ପେକ୍ଟିଭ୍ ଇନଭେଷ୍ଟିଗେସନ୍ ଇନ୍ ଟୁ କ୍ୟାନସର ଆଣ୍ଡ୍ ନ୍ୟୁଟ୍ରିସନ୍ ଏବଂ ୟୁକେ ବାୟୋବ୍ୟାଙ୍କରୁ ୧ ଲକ୍ଷ ୬୮ ହଜାର ୫୪୭ ମେନୋପୌଜାସ ମହିଳାଙ୍କ ତଥ୍ୟ ବିଶ୍ଳେଷଣ କରିଛନ୍ତି । ଅଧ୍ୟୟନ ଆରମ୍ଭ ହେବା ସମୟରେ ଏହି ମହିଳାମାନଙ୍କୁ ଟାଇପ୍-୨ ମଧୁମେହ କିମ୍ବା ହୃଦରୋଗ ନଥିଲା । ପ୍ରାୟ ୧୦-୧୧ ବର୍ଷ ଧରି ଅନୁସରଣ କରିବା ପରେ, ୬ ହଜାର ୭୯୩ ପୋଷ୍ଟ-ମେନୋପୌଜାସ ମହିଳାଙ୍କଠାରେ ସ୍ତନ କର୍କଟ ଚିହ୍ନଟ ହୋଇଥିଲା ।
ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଅଧିକ ଓଜନ ଏବଂ ହୃଦରୋଗର ମିଶ୍ରଣ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୧୫୩ ଅତିରିକ୍ତ ସ୍ତନ କର୍କଟ ରୋଗର କାରଣ ହୋଇପାରେ । ପୂର୍ବ ଗବେଷଣାରୁ ପ୍ରମାଣିତ ହୋଇଛି ଯେ, ମୋଟାପଣ ବା ମେଦବହୁଳତା ଗର୍ଭାଶୟ, ବୃକକ୍, ଯକୃତ ଏବଂ କୋଲୋରେକ୍ଟାଲ୍ କର୍କଟ ଭଳି ୧୨ ପ୍ରକାରର କର୍କଟ ରୋଗର ବିପଦକୁ ବୃଦ୍ଧି କରେ । ନିକଟରେ ‘ନେଚର କମ୍ୟୁନିକେସନ୍ସ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ଓଜନ ବିଶିଷ୍ଟ ମହିଳାମାନଙ୍କଠାରେ ଟ୍ୟୁମର ଏବଂ ଉନ୍ନତ ପର୍ଯ୍ୟାୟର ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ ଥାଏ ।