ନୂଆଦିଲ୍ଲୀ,୧୫।୧୦: ଭାରତରେ ୨୦୧୦ ପରେ ପୁଣିଥରେ ଆୟୋଜନ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା। ଏଥିପାଇଁ ଆୟୋଜକ ସହର ଭାବରେ ଅହମ୍ମଦାବାଦର ନାଁ ରହିଛି। ବୁଧବାର ରାଜ୍ୟଗୋଷ୍ଠୀ କ୍ରୀଡାର କାର୍ଯ୍ୟକାରୀ ବୋର୍ଡ ଏହି ସୁପାରିଶ କରିଛି।  କମନୱେଲଥ ସ୍ପୋର୍ଟସ୍ ଏକଜିକ୍ୟୁଟିଭ ବୋର୍ଡ ଅହମ୍ମଦାବାଦକୁ ସୁପାରିଶ କରିଛି। ଅହମ୍ମଦାବାଦରେ ଆୟୋଜନ ନେଇ  ଅନ୍ତିମ ନିଷ୍ପତ୍ତି ୨୬ ନଭେମ୍ବରରେ ନିଆଯିବ। କାରଣ ଏହି ଦିନ ଗ୍ଲାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡାର ସାଧାରଣ ବୈଠକ ଆୟୋଜନ କରାଯିବ।  

ବୋର୍ଡ ଏହା ମଧ୍ୟ କହିଛି ଯେ, ନାଇଜେରିଆ ସହ ଆଫ୍ରିକାରେ ଭବିଷ୍ୟତର ଖେଳର ଆୟୋଜନ କରିବା ପାଇଁ କାମ କରିବା ଜାରି ରହିବ। ଯେଉଁଥିରେ ୨୦୩୪ ଖେଳ ଉପରେ ବିଚାର କରାଯିବ। ୨୦୨୬ରେ ଗ୍ଳାସଗୋରେ ଆୟୋଜନ ହେବ। ଯେଉଁଥିରେ କୁସ୍ତୀ, ତୀରନ୍ଦାଜ, ବ୍ୟାଡମିଣ୍ଟନ, ହକି ଭଳି ଖେଳ ରହିବ। ଆଇଓଏ ସ୍ପଷ୍ଟ କରିଛି ଯଦି ଭାରତ ୨୦୩୦ ରାଜ୍ୟଗୋଷ୍ଠୀ ଆୟୋଜନ କରିବ ତେବେ ଏହି ସବୁ ଖେଳ ସାମିଲ କରାଯିବ।

୨୦୧୦ ରେ ରାଜ୍ୟଗୋଷ୍ଠୀ କ୍ରୀଡା ଭାରତ ଆୟୋଜନ କରିଥିଲା। ଏଥିରେ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଏହାର ମୂଳ ବଜେଟ୍ ଥିଲା ୧୬୦୦ କୋଟି ଟଙ୍କା। ଭାରତ ୨୦୩୦ ଅଲିମ୍ପିକ୍ସ ଖେଳର ଆୟୋଜନ ପାଇଁ ମଧ୍ୟ ଇଛା ପ୍ରକାଶ କରିଛି। ଏଥିପାଇଁ ବି ଅହମ୍ମଦାବାଦ ଆଗରେ ରହିଛି। ଏଥିପାଇଁ ମୌଳିକ ଢାଞ୍ଚା ତିଆରି କରାଯାଉଛି। ତା ଛଡା ୨୦୩୦ ରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ ୧୦୦ ବର୍ଷ ପୂରଣ ହେବାକୁ ଯାଉଛି।