ଭୁବନେଶ୍ଵର, ୧୧/୧୨ : ରାଉରକେଲା ବାଙ୍କୋ ପଥର ଖଣିରୁ ୪୦୦୦ କିଲୋ ବିସ୍ଫୋରକ ଲୁଟ୍ ଘଟଣା। ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ। ଏହି ମାମଲାରେ ୨ ହଜାରରୁ ଊର୍ଦ୍ଧ୍ୱ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି। ଏବେବି ଏନଆଇଏ ଅଧିକ ତଦନ୍ତ ଜାରି ରଖିଛି। 

ସୂଚନାନୁଯାୟୀ, ମେ ୨୭ ତାରିଖରେ ସୁନ୍ଦରଗଡ଼ ITMA ବାରୁଦ ଗୋଡମରୁ ବାଙ୍କୋ ପଥର ଖଣିକୁ ଯିବା ରାସ୍ତାରେ ୧୦ ରୁ ୧୫ ଜଣ ଶସସ୍ତ୍ର ମାଓବାଦୀ ଲୁଟ୍ କରିଥିଲେ। ପ୍ରାୟ ୪୦୦ କିଲୋର ବିସ୍ଫୋରକ ଲୁଟି ନେଇଥିଲେ। ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ସମେତ ସାରା ଦେଶରେ ହାଇଆଲର୍ଟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିସ୍ଫୋରକ ଲୁଟ୍‌ ପଛରେ ମାଷ୍ଟରମାଇଣ୍ଡ ଥିଲା ଅନ୍‌ମୋଲ। ବିସ୍ଫୋରକ ସାମଗ୍ରୀ ଗୋଦାମରୁ ପଥର ଖାଦାନକୁ ଗାଡ଼ି ସମ୍ପର୍କିତ ସବିଶେଷ ତଥ୍ୟ ଦେଇଥିଲା ମାଓବାଦୀଙ୍କ ଖାସ୍‌ ସହଯୋଗୀ କୁଲୁ ମୁଣ୍ଡା । ବିସ୍ଫୋରକ ସାମଗ୍ରୀ ଚୋରି ହେବା ପରେ ସୁରକ୍ଷାବାହିନୀ, ପୁଲିସ୍‌ ସତର୍କ ହୋଇଥିଲେ । ବିଭିନ୍ନ ପର୍ଯ୍ୟାୟରେ ଚଢ଼ଉ କରି ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ସରଣ୍ଡା ଜଙ୍ଗଲକୁ ୪ ଟନ୍‌ ବିସ୍ଫୋରକ ଜବତ କରାଯାଇଥିଲା । ଏସ୍‌ଓପି ପାଳନ ନକରି ବିସ୍ଫୋରକ ସାମଗ୍ରୀ ପରିବହନ କରୁଥିବା ସ୍ପଷ୍ଟ ହେବା ପରେ ପୁଲିସ୍‌ ବ୍ୟବସାୟୀ ଶ୍ରବଣକୁ ଗିରଫ  କରିଥିଲା । ପରବର୍ତ୍ତୀ ସମୟରେ କେ.ବଲାଙ୍ଗ ପୁଲିସ୍‌  ହାତରେ କୁଲୁ ମୁଣ୍ଡା ବି ଧରାପଡ଼ିଥିଲା । ପୁଲିସ୍‌ ତଦନ୍ତରୁ ସେମିତି କିଛି ଖାସ୍‌ ସୁରାକ ନ ମିଳିବାରୁ ମାମଲା ଏନ୍‌ଆଇଏ ନେଇଥିଲା । ଏନ୍‌ଆଇଏ ଟିମ୍‌ ଶିବାକୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା । କୁଲୁ ଓ ଶିବାକୁ ଏକାଧିକ ଥର ରିମାଣ୍ଡରେ ନେଇ ଜେରା କରିବା ପରେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ  ପ୍ରମାଣ ମିଳିଥିଲା । ମାମଲାରେ ୨ ହଜାରରୁ ଊର୍ଦ୍ଧ୍ୱ ପୃଷ୍ଠାର  ଚାର୍ଜସିଟ୍‌ ଦାଖଲ କରାଯାଇଛି । ତନ୍ମଧ୍ୟରେ ଗିରଫ  ବ୍ୟବସାୟୀ ଶ୍ରବଣର ନାମ ମଧ୍ୟ ରହିଛି । କୁଲୁ, ଶିବା,  ଶ୍ରବଣକୁ ଛାଡ଼ିଦେଲେ ଅନ୍ୟମାନେ ଫେରାର ଅଛନ୍ତି ।   

ସୂଚନାଯୋଗ୍ୟ, ସୁନ୍ଦରଗଡ଼-ଦେବଗଡ଼ ସମ୍ବଲପୁର ଡିଭିଜନର ଜୋନାଲ କମାଣ୍ଡର ହେଉଛି  ପତିରାମ୍‌ ମାଝୀ । ତା’ନାମରେ ୧ କୋଟି ଟଙ୍କାର  ପୁରସ୍କାର ରାଶି ରହିଛି । ସେହିପରି ଅନ୍ୟତମ  ମାଓବାଦୀ କମାଣ୍ଡର ଅମିତ୍‌ ମୁଣ୍ଡା ନାମରେ ୧୫ ଲକ୍ଷ  ଏବଂ ରାଜ୍ୟ କମିଟି ମେମ୍ବର ସମରଜୀ ନାମରେ ୨୫  ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।

୧୧ ଅଭିଯୁକ୍ତମାନେ ହେଲେ ଜାରଜା ମୁଣ୍ଡା ଓରଫ କାଲୁ ମୁଣ୍ଡା, ଅନମୋଲ ଓରଫ ସୁଶାନ୍ତ, ରମେଶ ଓରଫ ପ୍ରୀତମ ମାଝୀ, ପିଣ୍ଟୁ ଲୋହରା, ଲାଲଜିତ, ଶିବ ବୋଦରା, ଅମିତ ମୁଣ୍ଡା, ବୀରେନ ସିଂହ, ରାଜେଶ, ରଙ୍ଗା ପୁନେମ, ଚନ୍ଦ୍ର ମୋହନ ହାଁସଦା।