ବ୍ରହ୍ମପୁର,୨୯।୪ : ଗୋପାଳପୁର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ମିଳିଲା ନୂଆ ତଥ୍ୟ ।ସୁଧୀରଙ୍କ ଏଫଏମ୍ଟି ରିପୋର୍ଟରୁ ମିଳିଲା ସାଂଘାତିକ ତଥ୍ୟ। ଅତ୍ୟଧିକ ମାଡ଼ରୁ ସୁଧୀର ପାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁଧୀରଙ୍କ ମୁଣ୍ଡ ଏବଂ ପିଞ୍ଜରା ହାଡ଼ରେ ଲାଗିଥିଲା ଗଭୀର ଆଘାତ। ମୃତଦେହ ଠାବ ହେବାର ୫ରୁ ୬ ଦିନ ପୂର୍ବରୁ ସୁଧୀରଙ୍କ ମୃତ୍ୟୁ ହୋଇଛି। ସୁଧୀରଙ୍କ ମୃତଦେହ ଜବତ ସମୟରେ ଗଳିତ ହୋଇଯାଇଥିଲା। କଳ ଦାନ୍ତକୁ ଷ୍ଟେଟ ଫରେନ୍ସିକ୍ ଲାବରୋଟୋରୀକୁ ପଠାଯାଇଛି ବୋଲି MKCG FMT ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାସ ସୂଚନା ଦେଇଛନ୍ତି।

ଗତ ୧୫ ତାରିଖରେ ସୁଧୀର ପାତ୍ର ଭଲିବଲ୍ ଖେଳି ବଣଗାଁରୁ ଘରକୁ ସତ୍ୟନାରାୟଣପୁର ଫେରୁଥିବା ସମୟରେ ଅପହୃତ ହୋଇଥିଲେ । ତାଙ୍କୁ ବୁଗୁଡ଼ା ନିଆଯାଇଥିଲା । ସେଠାରେ ହତ୍ୟା କରିବା ପରେ ରାଶିପଙ୍କାଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ହତ୍ୟାରେ ସଂପୃକ୍ତି ଅଭିଯୋଗରେ ତାଙ୍କ ଝିଆରୀ ଓ ପୁତୁରାଙ୍କ ସମେତ ୯ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଝିଆରୀ ନିବେଦିତା ପାତ୍ର, ତାଙ୍କ ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ା ଗାଁର କାଳୁଚରଣ ପ୍ରଧାନ ଓରଫ୍ କାଳିଆ (୨୮), ପୁତୁରା ତୁଷାର, ସୁପାରି କିଲର୍ ୟୁପି ବାରଣାସିର ଗୋଲୁ ଓରଫ୍ ଲମ୍ବୁ ଓରଫ୍ ସୂର୍ଯ୍ୟପ୍ରତାପ ସିଂହ(୨୮), ହିଞ୍ଜିଳି ଥାନା ଆଲପୁରର ଛୋଟା ଓରଫ୍ ଜିତୁନ୍ ପୋଲାଇ (୩୩), ବୁଗୁଡ଼ା ରାମନ୍ଦା ଗାଁର କମଲ ଓରଫ୍ ନାରାୟଣ ପ୍ରଧାନ, ବୁଗୁଡ଼ା ବି.ବ୍ରହ୍ମପୁର ଗାଁର ଟୁଲୁ ଓରଫ୍ ଆଶିଷ ମହାପାତ୍ର (୨୫), ହିଞ୍ଜିଳିକାଟୁ ଥାନା ଖରିଡ଼ା ଗାଁର ଶୁଭମ୍ ନାୟକ(୨୦) ଓ ପୁନରାଖଣ୍ଡି ଗାଁର ଗେଡ଼ୁ ଓରଫ୍ ଶୁଭମ ଗୌଡ଼(୨୦) । ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ପୁଲିସ ୩ ଦିନିଆ ରିମାଣ୍ଡରେ ଆଣିଥିଲା।  ଅଭିଯୁକ୍ତ ନାରାୟଣ ପ୍ରଧାନ, ସୁପାରି କିଲର୍ ସୂର୍ଯ୍ୟପ୍ରତାପ ସିଂହ ଓରଫ୍ ଗୋଲୁ, କାଳୁ ଚରଣ ପ୍ରଧାନ, ଜିତୁନ୍ ପଲେଇ, ଆଶିଷ ମହାପାତ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ପୁଲିସ ଆଣିଥିଲା। ଗତ ୨୫ରୁ ୨୭ ତାରିଖ ଯାଏଁ ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିଲା ପୁଲିସ । ରିମାଣ୍ଡରେ ପୁଲିସ ବିଭିନ୍ନ ଦିଗକୁ ନେଇ ଜେରା କରିବା ସହ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା । ରିମାଣ୍ଡ ଶେଷ ପରେ ସମସ୍ତଙ୍କୁ ବ୍ରହ୍ମପୁର ଜେଲ୍କୁ ପଠାଯାଇଛି । ଏହି ଜେରା ସମୟରେ ପୋଲିସକୁ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଜେଲରେ ଥିବାସୁଧୀରଙ୍କ ଝିଆରୀ ନିବେଦିତା ଏବଂ ପୁତୁରା ତୁଷାରସହ ଅନ୍ୟ ୨ ଅଭିଯୁକ୍ତଙ୍କୁ ପୁଲିସ ବୁଧବାର ଦିନିକିଆ ରିମାଣ୍ଡରେ ଆଣିଛି।

ଆହୁରି ପଢନ୍ତୁ : ଚନ୍ଦନଯାତ୍ରାରେ ବିବାଦ ପ୍ରସଙ୍ଗ : ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ