କଟକ,୧୪/୦୨(ଶକ୍ତି ରଞ୍ଜନ ବେହେରା): ଦିନେ ଯେଉଁ ଘର ସାହିତ୍ୟ ଅନୁରାଗୀ, ସାରସ୍ୱତ ସାଧକମାନଙ୍କ ପାଇଁ ତୀର୍ଥକ୍ଷେତ୍ର ଥିଲା ତାହା ଆଜି ବିପର୍ଯ୍ୟସ୍ତ । ଦିନେ ଯେଉଁ ଘରର ଫାଟକ ସବୁବେଳେ ସ୍ୱାଗତ ମୁଦ୍ରାରେ ଥିଲା ତାହା ଏବେ ବନ୍ଦ । ଦିନେ ଯେଉଁ ଘର ସବୁବେଳେ କବିତାର କଳରବରେ ମୁଖରିତ ହେଉଥିଲା ତାହା ଏବେ ନିରବ, ନିସ୍ତବ୍ଧ । କଟକର ଅନ୍ୟତମ ପରିଚୟ କୁହାଯାଉଥିବା ତିନିକୋଣିଆ ବଗିଚା ନିକଟସ୍ଥ ‘ଚନ୍ଦ୍ରଭାଗା’ ଆଜି ଅବହେଳିତ ଅବସ୍ଥାରେ ନିଜ ପରିଚୟ ଖୋଜୁଛି । ପୁରୁଣା ଦିନକୁ ଝୁରି ହେଉଛି । କଟକ ସହରକୁ ପ୍ରାଣ ଭରି ଭଲ ପାଉଥିବା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରଖ୍ୟାତ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବାସଭବନ ‘ଚନ୍ଦ୍ରଭାଗା’ ତାଙ୍କ ଅବର୍ତ୍ତମାନରେ ଏକରକମ ଉଜୁଡ଼ି ଯାଇଛି କହିଲେ ଚଳେ । ଫାଟକରେ ତାଲା ପଡ଼ିଛି । ଘର ସାମ୍ନାର ସବୁଜିମା ଆଉ ନାହିଁ । ଘର ଭିତରର ଅବସ୍ଥା କେମିତି ଥିବ ତାହା କେବଳ ଅନୁମାନ କରାଯାଇପାରେ।
କବିଙ୍କ ବାସଭବନକୁ ସ୍ମାରକୀ ଭବନ ବା ସଂଗ୍ରହାଳୟ କରିବା ପାଇଁ ବହୁ କବି, ସାହିତ୍ୟିକ ମତ ଦେଇ ଆସୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ନୂଆ ଆଶା ସଂଚାର କରିଛି । ଏହି ଯୋଜନାରେ ବରପୁତ୍ରମାନଙ୍କ ବାସଭବନକୁ ସଂଗ୍ରହାଳୟ କରାଯିବାର ବ୍ୟବସ୍ଥା ରହିଛି । ତେଣୁ ଏହି ଯୋଜନାରେ କବି ଜୟନ୍ତଙ୍କ ବାସଭବନ ତଥା ସାଧନା ପୀଠ ଚନ୍ଦ୍ରଭାଗାକୁ ସାମିଲ କରାଗଲେ, ଉଜୁଡ଼ି ଯାଇଥିବା ‘ଚନ୍ଦ୍ରଭାଗା’ର ମୁହଁରେ ହସ ଫୁଟିବ ବୋଲି ଆଶା ବ୍ୟକ୍ତ କରାଯାଉଛି । କବି ଜୟନ୍ତ ମହାପାତ୍ର ଥିଲେ ଜୀବନବାଦୀ କାବ୍ୟଧାରାର ଅନ୍ୟତମ ବିନ୍ଧାଣୀ । ତାଙ୍କ କବିତାରେ ଥିଲା ଜୀବନ ଯନ୍ତ୍ରଣା, ହସଲୁହ ଏବଂ ମାଟି, ପାଣି ଓ ପବନର କଥା । ଉଭୟ ଇଂରାଜୀ ଏବଂ ଓଡିଆ ସାହିତ୍ୟରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ସେ । ଅଧିକାଂଶ ଦେଶରେ ତାଙ୍କ କବିତାର ସ୍ତାବକ ଅଛନ୍ତି । ତେବେ ହଜାରେ ବର୍ଷର ଐତିହ୍ୟ ନଗରୀ କଟକ ସହର ଥିଲା ତାଙ୍କ ପ୍ରିୟତମ ସ୍ଥାନ । କିନ୍ତୁ ଜୟନ୍ତଙ୍କ ଦେହାନ୍ତ ପରେ ତାଙ୍କ ସାଧନା ପୀଠ ‘ଚନ୍ଦ୍ରଭାଗା’ ଆଗ ଭଳି ଆଉ ଚଳଚଞ୍ଚଳ ନାହିଁ । ଏକପ୍ରକାର ଅଲୋଡା ହୋଇ ପଡ଼ିଛି । ଘରେ କେହି ରହୁ ନଥିବାରୁ ଏହା ଆଜି ନିରବ, ନିସ୍ତବ୍ଧ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ । ବାଉଁଶ ବୁଦା ଉପୁଡ଼ି ଯାଇଛି । ଘର ଗେଟ୍ରେ ତାଲା ଝୁଲିବା ସହ ପଡ଼ି ରହିଛି ଆବର୍ଜନା । ଦିନ ଥିଲା ବାଉଁଶ ଓ ଅନାବନା ଗଛରେ ଆଚ୍ଛାଦିତ, ଗ୍ରାମ୍ୟ ପରିବେଶ ଦ୍ୱାରା ପରିବେଷ୍ଟିତ ଏହି ଘରେ ରଚନା ହେଉଥିଲା ଇଂରାଜୀ ଏବଂ ଓଡିଆ ଭାଷାର ଅନନ୍ୟ କାବ୍ୟ, କବିତା । ଇଣ୍ଡିଆନ୍ ସମର୍, ହଙ୍ଗର୍ ଏବଂ ରିଲେସନ୍ସିପ୍ ଭଳି ସ୍ମରଣୀୟ କାବ୍ୟ ରଚନା କରିଥିବା ଜୟନ୍ତ ପ୍ରଥମ ଭାରତୀୟ କବି ଭାବେ ଇଂରାଜୀ ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୨୦୦୯ ମସିହାରେ ତାଙ୍କୁ ‘ପଦ୍ମଶ୍ରୀ’ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଥିଲା । ୨୦ରୁ ଅଧିକ ଇଂରାଜୀ କବିତା ସଂକଳନ ଓ ୭ଟିରୁ ଅଧିକ ଓଡିଆ କବିତା ସଂକଳନର ସେ ରଚୟିତା । ସେହିପରି ସାହିତ୍ୟ ପତ୍ରିକା ‘ଚନ୍ଦ୍ରଭାଗା’ ପ୍ରତିଷ୍ଠା କରିବା ସହ ସମ୍ପାଦନା ମଧ୍ୟ କରୁଥିଲେ ସେ । ଚନ୍ଦ୍ରଭାଗାରେ ବସି ୯୦ ବର୍ଷ ବୟସରେ ସେ କବିତା ଲେଖୁଥିଲେ ।
ଏପରିକି ୨୦୨୩ ମସିହାରେ ଅସୁସ୍ଥ ହୋଇ ମେଡିକାଲ୍ ବେଡ୍ରେ ଥିବାବେଳେ ତାଙ୍କ ରଚିତ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହାର କିଛି ଦିନ ପରେ ସେବର୍ଷ ଅଗଷ୍ଟ ୨୭ ତାରିଖରେ ଏସ୍ସିବି ମେଡିକାଲ୍ରେ ସେ ଆଖି ବୁଜିଥିଲେ । ଏପରି ସ୍ଥିତିରେ କବିଙ୍କ ସ୍ମୃତି ବିଜଡ଼ିତ ସାଧନାର ପୀଠର ସୁରକ୍ଷା ପାଇଁ ପ୍ରୟାସ କରାଯିବାକୁ ଏବଂ ଏ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ଅନ୍ୟପକ୍ଷରେ ସରକାରୀ ବ୍ୟବସ୍ଥାରେ ଥିବା ପ୍ରାବଧାନ ଅନୁଯାୟୀ ତାଙ୍କ ପରିବାର ଲୋକଙ୍କ ସମ୍ମତିରେ ସରକାର ଚନ୍ଦ୍ରଭାଗାକୁ ହାତକୁ ନେଇ ଏକ ସ୍ମାରକୀ ବା ସଂଗ୍ରହାଳୟ ରୂପ ଦେଇପାରିବେ ବୋଲି ବିଶିଷ୍ଟ ଭାଷାବିତ୍ ପ୍ରଫେସର ଡ. ନଟବର ଶତପଥୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ ମତ ଦେଇଛନ୍ତି । ଉଦାହରଣ ଭାବେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସାହିତ୍ୟିକ ପଦ୍ମଶ୍ରୀ ମନୋଜ ଦାସଙ୍କ ବାଲେଶ୍ୱର ଜିଲ୍ଲା ଶଙ୍ଖାରୀ ଗାଁରେ ଥିବା ପୈତୃକ ଘରକୁ ସଂଗ୍ରହାଳୟ ଏବଂ ପାଠାଗାର କରିବା ପାଇଁ ସରକାର ୨୦୨୧ ମସିହାରେ ଘୋଷଣା କରିଥିଲେ । ସେହିପରି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥାନ ବରଗଡ ଜିଲ୍ଲା ବରପାଲିରେ ତାଙ୍କୁ ଉତ୍ସର୍ଗ କରି ଏକ ବ୍ୟାଖ୍ୟାନ କେନ୍ଦ୍ର ଏବଂ ସଂଗ୍ରହାଳୟ ପ୍ରତିଷ୍ଠା ହୋଇଛି । ଅନ୍ୟପକ୍ଷରେ, ଏବେ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବାରୁ ଚନ୍ଦ୍ରଭାଗାକୁ ଏହି ଯୋଜନାରେ ସାମିଲ କରିବାକୁ ମତ ପ୍ରକାଶ ପାଉଛି ।