ମୁମ୍ବାଇ, ୨୩।୩: ମୁମ୍ୱାଇ, ଯାହାକୁ ସ୍ୱପ୍ନର ସହର ବୋଲି କୁହାଯାଏ । ଏଠାକୁ ପ୍ରତିଦିନ ହଜାର ହଜାର ଯୁବକଯୁବତୀ ହାତରେ ଡିଗ୍ରୀ ଧରି ଚାକିରି ଆଶାରେ ଆସନ୍ତି । କିନ୍ତୁ, ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମସ୍ତଙ୍କ ଚିନ୍ତାଧାରାକୁ ବଦଳାଇ ଦେଇଛି । ଜଣେ ଅଟୋ ଚାଳକଙ୍କ ଦୈନିକ ରୋଜଗାର ଶୁଣିବା ପରେ କର୍ପୋରେଟ୍ ଚାକିରି କରୁଥିବା ଜଣେ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

"ପଇସା ବର୍ଷୁଛି, ଖାଲି ସାଉଣ୍ଟିବା ଜାଣିବା ଦରକାର"

ଇନଷ୍ଟାଗ୍ରାମରେ 'Uvichar' ନାମକ ଏକ ପେଜ୍ରୁ ଶେୟାର କରାଯାଇଥିବା ଏହି ଭିଡିଓରେ ଜଣେ ବ୍ଲଗର ଅଟୋରେ ଯାତ୍ରା କରୁଥିବା ସମୟରେ ଚାଳକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ବ୍ଲଗର ଜଣକ ଯେତେବେଳେ ମୁମ୍ବାଇର ମହଙ୍ଗା ମାଡ଼ ବିଷୟରେ କହିଥିଲେ, ସେତେବେଳେ ଅଟୋ ଚାଳକ ଜଣକ ଏକ ଚମକାଇଲା ଭଳି ଉତ୍ତର ଦେଇଥିଲେ । ଚାଳକ କହିଥିଲେ, "ସହର ମହଙ୍ଗା ସତ, କିନ୍ତୁ ଏଠି ପଇସା ବର୍ଷୁଛି, ବାସ୍ ସାଉଁଟିବା ବାଲା ଦରକାର ।"

ଏହା ବି ପଢ଼ନ୍ତୁ... ଏବେ ଆଉ ମିଳିବନି ୧୪.୨ କିଲୋର ଘରୋଇ ଗ୍ୟାସ ସିଲିଣ୍ଡର,୧୦ କିଲୋର ସିଲିଣ୍ଡର ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ସରକାର...

ଅଟୋ ଚାଳକଙ୍କର ଦିନକୁ ୨୫୦୦, ମାସକୁ ରୋଜଗାର ୭୫ ହଜାର !

ଅଟୋ ଚାଳକଙ୍କ କହିବା ଅନୁଯାୟୀ, ସମସ୍ତ ଖର୍ଚ୍ଚ କାଟିବା ପରେ ସେ ଦିନକୁ ପ୍ରାୟ ୨୫୦୦ ଟଙ୍କା ରୋଜଗାର କରନ୍ତି । ଏହି ହିସାବରେ ତାଙ୍କର ମାସିକ ଆୟ ପ୍ରାୟ ୭୫,୦୦୦ ଟଙ୍କା । ଏହା ଶୁଣି ବ୍ଲଗର ଜଣକ ଅବାକ୍ ହୋଇଯାଇଥିଲେ । ସେ ମଜାରେ କହିଥିଲେ ଯେ, "ଅଧିକ ପାଠ ପଢ଼ିବା ପରେ ବି ଅନେକ ଲୋକଙ୍କୁ ଏତିକି ଦରମା ମିଳେନାହିଁ । ଘରେ ବସିବା ଅପେକ୍ଷା ଅଟୋ ଚଲାଇବା ଭଲ, ଏଠି ପ୍ରତିଦିନ ନୂଆ ନୂଆ ଲୋକଙ୍କ ସହ ମଧ୍ୟ ଭେଟ ହୁଏ ।"

ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ:

ଭିଡିଓଟି ଭାଇରାଲ ହେବା ପରେ ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି: "ଏବେ ଅଟୋ ହିଁ ଚଲାଇବାକୁ ପଡ଼ିବ ।" ଅନ୍ୟ ଜଣେ ପଚାରିଛନ୍ତି: "ଭାଇ, ଆପଣଙ୍କ ଟିମ୍ରେ କିଛି ଭାକେନ୍ସି ଅଛି କି ?" ଆଉ ଜଣେ ୟୁଜର କହିଛନ୍ତି, "ସବୁଠୁ ବଡ଼ କଥା ହେଉଛି ଏହି ରୋଜଗାର ପୁରା ଟ୍ୟାକ୍ସ ଫ୍ରି !"