ହରଭଙ୍ଗା,୧୫।୩ : ବନାଞ୍ଚଳ ଅଞ୍ଚଳରେ ବର୍ତ୍ତମାନ ମହୁଲ ଫୁଲ ସଂଗ୍ରହ ଋତୁ ଆରମ୍ଭ ହୋଇଥିବା ବେଳେ ଚାଷୀ ଓ ଜଙ୍ଗଲ ଉପରେ ନିର୍ଭର ଲୋକମାନେ ଉଚିତ ମୂଲ୍ୟ ପାଇ ପାରୁନାହାନ୍ତି। ଗ୍ରାମ୍ୟ ଓ ଆଦିବାସୀ ପରିବାରଙ୍କ ପାଇଁ ମହୁଲ ଫୁଲ ଏକ ମୁଖ୍ୟ ଜୀବିକା ଉତ୍ସ ହେଲେ ମଧ୍ୟ ବଜାର ବ୍ୟବସ୍ଥା ଓ ସରକାରୀ କ୍ରୟ କେନ୍ଦ୍ର ନାହିଁ। ହରଭଙ୍ଗା ବ୍ଲକର ସଂକୁଲୋଇ, କୁସଙ୍ଗ, ମହାଳିକପଡ଼ା, ତଳଗାଁ, ଆଡ଼େଗଡ଼, ବାଣିଭୂଷଣପୁର, କରଂଜକଟା, ଛତ୍ରଙ୍ଗ, ବିରନରସିଙ୍ଗପୁର ଆଦି ପଞ୍ଚାୟତର ବିଭିନ୍ନ ଜଙ୍ଗଲ ଓ ଉପାନ୍ତ ଅଞ୍ଚଳର ଲୋକମାନେ ଅଭାବୀ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ସ୍ଥାନୀୟ ଅଞ୍ଚଳରେ ମହୁଲ ଫୁଲ ପ୍ରତି କିଲୋର ଦର ବହୁତ କମ ରହିଛି। ମଧ୍ୟସ୍ଥ ଦଲାଲମାନେ ଗ୍ରାମକୁ ଯାଇ କମ ଦରରେ ମହୁଲ କିଣି ନେଉଥିବାରୁ ଚାଷୀ ଓ ସଂଗ୍ରାହକମାନେ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ଅନେକ ସମୟରେ ମହୁଲ ଫୁଲ ୧୦ ରୁ ୧୫ ଟଙ୍କା ପ୍ରତି କିଲୋ ଦରରେ ବିକ୍ରି ହେଉଥିବା ଅଭିଯୋଗ ଆସୁଛି। ଫଳରେ ମହୁଲ ସଂଗ୍ରହ କରୁଥିବା ଗ୍ରାମବାସୀଙ୍କ ଶ୍ରମର ଯଥୋଚିତ କ୍ଷତି ସହୁଛନ୍ତି l ପ୍ରତିବର୍ଷ ମାର୍ଚ୍ଚ ରୁ ମେ ମାସ ପର୍ଯ୍ୟନ୍ତ ଜଙ୍ଗଲରୁ ବହୁ ପରିମାଣରେ ମହୁଲ ଫୁଲ ସଂଗ୍ରହ କରାଯାଏ। ଏହି ଫୁଲ ବିଭିନ୍ନ ଖାଦ୍ୟ ଓ ପାରମ୍ପରିକ ପଦାର୍ଥ ପ୍ରସ୍ତୁତିରେ ବ୍ୟବହୃତ ହେବା ସହିତ ବଜାରରେ ମଧ୍ୟ ଭଲ ଚାହିଦା ରହିଛି। କିନ୍ତୁ ନିୟମିତ ମଣ୍ଡି ବା ସରକାରୀ କ୍ରୟ ବ୍ୟବସ୍ଥା ନଥିବାରୁ ଚାଷୀମାନେ ଦଲାଲଙ୍କ ଉପରେ ନିର୍ଭର କରୁଛନ୍ତି ଓ ଶିକାର ହେଉଛନ୍ତି l ଗ୍ରାମା ଅଞ୍ଚଳରେ ମହୁଲ କ୍ରୟ କେନ୍ଦ୍ର ବା ସରକାରୀ ମଣ୍ଡି ବ୍ୟବସ୍ଥା ହେଲେ ଚାଷୀମାନେ ଦଲାଲମାନଙ୍କ ଶୋଷଣରୁ ମୁକ୍ତି ମିଳିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି l