ନୂଆଦିଲ୍ଲୀ,୧।୧୨: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ହେବା ନେଇ ବିବାଦ ଥମିନି। ଆଗକୁ ଆହୁରି ଫାଟ ସୃଷ୍ଟି ହୋଇପାରେ। ବିରୋଧି ଦଳ ଓ ରାଜନୈତିକ ବିଶ୍ଲେଷକଙ୍କ ମତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ-ମୁଖ୍ୟମନ୍ତ୍ରୀ ଡି-ଶିବକୁମାରଙ୍କ ଭିତର ବୁଝାମଣା ଅସ୍ଥାୟୀ। ଏହା ଝଡ ପୂର୍ବର ନୀରବତା। କଂଗ୍ରେସ ଏହି ପ୍ରସଙ୍ଗ ଉପରେ ଭ୍ରମ୍ ସୃଷ୍ଟି କରିବା ପାଇଁ ବିରୋଧି ଓ ଗଣମାଧ୍ୟମକୁ ଦାୟୀ କରିଛି। ଗତ ଏକ ମାସ ଧରି ଚାଲିଥିବା କ୍ଷମତା ସଂଘର୍ଷ ପରେ ଦୁଇ ନେତା ଶନିବାର ସିଦ୍ଦରମୈୟାଙ୍କ ବାସଭବନରେ ବ୍ରେକଫାଷ୍ଟରେ ସାକ୍ଷାତ କରିଥିଲେ। ଏହି ସମୟରେ ଦୁହିଁଙ୍କ ଭିତରେ ମତଭେଦ ଦୂର ହୋଇଥିବାର ଘୋଷଣା କରିଥିଲେ।

​​​​​​​

ବ୍ରେକଫାଷ୍ଟ ପରେ ଦୁଇ-ନେତା ମିଳିତ ଭାବରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏକତା ପ୍ରଦର୍ଶନ କରିଥିଲେ। ଘୋଷଣା କରିଥିଲେ ପାର୍ଟି ହାଇକମାଣ୍ଡଙ୍କ କଥା ମାନିବେ। ଏଭଳି ଭାବରେ ସେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ବିବାଦକୁ ଶେଷ କରିବାର ଚେଷ୍ଟା କରିଛନ୍ତି। ଉଲ୍ଲେଖନୀୟ ଯେ, ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । କୁହାଯାଉଛି କି କଂଗ୍ରେସର ନେତୃତ୍ୱ ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ ଯେ, ସିଦ୍ଦରମୈୟା ୨.୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଶିବକୁମାର ପରବର୍ତ୍ତୀ ୨.୫ ବର୍ଷ ମୁଖ୍ୟମନ୍ତ୍ରୀ ହେବେ । ସିଦ୍ଦରମୈୟାଙ୍କ ୨.୫ ବର୍ଷ ନଭେମ୍ବର ୨୦ରେ ଶେଷ ହୋଇଛି । ତେଣୁ ଶିବକୁମାରଙ୍କ ସମର୍ଥକ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଲାଗି ଦାବି କରିଛନ୍ତି । କିନ୍ତୁ ଏଭଳି କୌଣସି ପ୍ରତିଶ୍ରୁତିକୁ ସିଦ୍ଦରମୈୟା ଖଣ୍ଡନ କରିଥିଲେ।

ଏହାକୁ ନେଇ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ନେତା ପ୍ରକାଶ ଶେଷରଘବାଚରଙ୍କ କହିବା ଅନୁସାରେ, ’ ଏହା କେବଳ ଏକ ଅସ୍ଥାୟୀ ବୁଝାମଣା। ଥରେ ଯେତେବେଳେ କେହି ରାଜନୀତିରେ ଅତି ମହତ୍ବକାଂକ୍ଷୀ ହୋଇ ଯାଆନ୍ତି, ତେବେ ଆପଣ ଏହାକୁ କିଛି ସମୟ ପାଇଁ ଶାନ୍ତ କରିପାରିବେ, କିନ୍ତୁ ଏହା ପୁଣିଥରେ ଆରମ୍ଭ ହେବ। ଶେଷରଘବାଚରଙ୍କ କହିବା ଅନୁସାରେ, ଶିବକୁମାର ନିଜର ସମର୍ଥକଙ୍କୁ ତାଙ୍କ ସପକ୍ଷରେ ସ୍ବର ଉତ୍ତୋଳନ କରିବାକୁ ଉକସାଇଛନ୍ତି।