ନୂଆଦିଲ୍ଲୀ,୧୪/୦୭: ଜର୍ଜିଆର ବାତୁମିଠାରେ  ଚାଲିଥିବା ଫିଡେ ଚେସ୍‌ ମହିଳା ବିଶ୍ୱକପ୍‌ରେ ତୃତୀୟ ରାଉଣ୍ଡ୍‌ ଖେଳ ଜାରି ରହିଛି । ଭାରତୀୟ/ ଆଇଏମ୍‌ ଦିବ୍ୟା ଦେଶମୁଖ ଚମତ୍କାର ଖେଳ ପ୍ରଦର୍ଶନ କରି ଚତୁର୍ଥ ରାଉଣ୍ଡରେ  ପ୍ରବେଶ କରିଛନ୍ତି । ଅନ୍ୟ ପଟରେ ବନ୍ତିକା ଅଗ୍ରୱାଲ୍‌ ପ୍ରଥମ ଗେମ୍‌  ଜିତିଥିବାବେଳେ କୋନେରୁ ହମ୍ପି, ଆର୍‌ ବୈଶାଳୀ ନିଜ ନିଜ  ପ୍ରଥମ ଗେମ୍‌ ଡ୍ର’ ରଖିଛନ୍ତି ।  ଭାରତୀୟ ଜିଏମ୍‌ ହାରିକା  ଦ୍ରୋଣାବଳୀ ଉଭୟ ଗେମ୍‌କୁ  ଡ୍ର’ ରଖିଛନ୍ତି । 

ତୃତୀୟ ରାଉଣ୍ଡରେ  ଦିବ୍ୟା ୧.୫-୦.୫ରେ  ସର୍ବିୟାର ତିଓଡୋରା  ଇଞ୍ଜାକଙ୍କୁ ହରାଇଥିଲେ । ସେ ପ୍ରଥମ ଗେମ୍  ଜିତିଥିବାବେଳେ ଦ୍ୱିତୀୟ ଗେମ୍‌କୁ ଡ୍ର’ ରଖିଥିଲେ । ଅନ୍ୟ  ପଟରେ ବନ୍ତିକା ପ୍ରଥମ ଗେମ୍‌ର ବିଶ୍ୱର ୧୧ତମ ମାନ୍ୟତାପ୍ରାପ୍ତ  ରୁଷିଆ ଖେଳାଳି କାଟେରିନା ଲାଗ୍‌ନୋଙ୍କୁ ପରାଜିତ କରିଥିଲେ ।  ସେ ୧-୦ରେ ଆଗୁଆ ରହିଛନ୍ତି । ଜିଏମ୍‌ ଦ୍ରୋଣାବଳୀ ଓ  ଗ୍ରୀସର ଷ୍ଟାଭାରୌଲା ସୋଲାକିଡୌଙ୍କ ମଧ୍ୟରେ ମ୍ୟାଚ୍‌ ୧-୧ରେ  ବରାବର ରହିଛି । 

ସେହିପରି ଜିଏମ୍‌ ବୈଶାଳୀ ଆମେରିକାର  କାରିସା ୟିପ୍‌ଙ୍କ ଏବଂ ଜିଏମ୍‌ ହମ୍ପି ପୋଲାଣ୍ଡର କ୍ଲାଉଡିଆ  କୁଲୋନଙ୍କ ବିପକ୍ଷ ପ୍ରଥମ ବାଜିରେ ପଏଣ୍ଟ ଭାଗ କରିଥିଲେ ।  ବୈଶାଳୀ ଓ କାରିସା ପ୍ରଥମ ଗେମ୍‌ରେ ମାତ୍ର ୧୩ଟି ଗୋଟି  ଚାଳନା ପରେ ପଏଣ୍ଟ ଭାଗ କରିବାକୁ ନିଷ୍ପତ୍ତି ନେଇଥିଲେ ।