ଜୁରିଖ, ୩୦/୦୪ : ଆସନ୍ତା ଜୁନ ଓ ଜୁଲାଇରେ ହେବାକୁ ଥିବା ଫିଫା ବିଶ୍ୱକପ୍ ପାଇଁ କିଛି କଠୋର ନିୟମ ଲାଗୁ କରାଯାଇଛି । ମ୍ୟାଚ ସମୟରେ କୌଣସି ଖେଳାଳି ଗ୍ରାଉଣ୍ଡ ଭିତରେ ମୁହଁରେ ହାତ ଦେଲେ କିମ୍ବା ଜର୍ସିରେ ପାଟିକୁ ଘୋଡ଼ାଇ ପ୍ରତିପକ୍ଷ ଦଳର ଖେଳାଳିଙ୍କୁ କିଛି କହିଲେ ସିଧା ସଳଖ ରେଡ୍ କାର୍ଡ ପାଇ ବିଦା ହେବେ । ଅନ୍ତର୍ଜାତୀୟ ଫୁଟବଲ୍ ଆସୋସିଏସନ ବୋର୍ଡ(ଆଇଏଫଏବି) ପକ୍ଷରୁ କାନାଡ଼ାର ଭାଙ୍ଗୋଭର ଠାରେ ଆୟାଜିତ ବୈଠକ ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି । କେବଳ ସେତିକି ନୁହେଁ, ରେଫରୀଙ୍କ ନିଷ୍ପତ୍ତିର ବିରୋଧ କରି କୌଣସି ଖେଳାଳି ପ୍ରତିବାଦ କଲେ ମଧ୍ୟ ସିଧା ସଳଖ ରେଡ କାର୍ଡ ପାଇବେ ।
ସୂଚନାଯୋଗ୍ୟ, ମରୋକ୍କୋ ଓ ସେନେଗାଲ ମଧ୍ୟରେ ଅନୁଷ୍ଠିତ ଆଫ୍ରିକା କପ୍ ଓ ନେସନ୍ସ ଫାଇନାଲ ମୁକାବିଲାରେ ଘଟିଥିବା ଅଭାବନୀୟ ଘଟଣାକୁ କେନ୍ଦ୍ର କରି ଏଭଳି ନୂଆ ନିୟମ ଲାଗୁ କରାଯାଇଛି । ଉକ୍ତ ମ୍ୟାଚରେ ମରକ୍କୋ ଦଳକୁ ରେଫରି ଏକ ପେନାଲ୍ଟି ପ୍ରଦାନ କରିବା ପ୍ରତିବାଦରେ ସେନେଗାଲ୍ ଦଳ ଗ୍ରାଉଣ୍ଡ ଛାଡ଼ି ଡ୍ରେସିଂରୁମ୍କୁ ଫେରି ଯାଇଥିଲା। ପରେ ପରେ ଦଳ ଗ୍ରାଉଣ୍ଡକୁ ଫେରିଥିଲା ଓ ମରକ୍କୋ ପକ୍ଷରୁ ବ୍ରାହିମ ଡାଏଜ ପେନାଲ୍ଟିକୁ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲେ । ୯୫ତମ ମିନିଟ୍ରେ ଗୋଲ୍ କରିଥିବା ସେନେଗାଲ୍ ଚାମ୍ପିଅନ୍ ହୋଇଥିଲା । ପରେ ଆଫ୍ରିକା ଫୁଟବଲ ମହାସଙ୍ଘ ଏହି ଘଟଣାର ତଦନ୍ତ କରି ସେନେଗାଲକୁ ଦଣ୍ଡିତ କରିଥିଲା । ମରକ୍କୋକୁ ୩-୦ ଗୋଲ୍ରେ ବିଜୟୀ ଘୋଷଣା କରାଯାଇଥିଲା ଓ ସେନେଗାଲ୍ ଠାରୁ ଟ୍ରଫି ଫେରାଇ ମରକ୍କୋକୁ ପ୍ରଦାନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ :- IPL Controversy: ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣି ବିବାଦରେ ପରାଗ, ବିସିସିଆଇ ଦେଲା ଅଲଟିମେଟମ୍
ସେହିପରି ଗତ ଫେବ୍ରୁଆରୀ ମାସରେ ଅନୁଷ୍ଠିତ ଚାମ୍ପିଅନ୍ସ ଲିଗ୍ ମ୍ୟାଚରେ ବେନଫିକା ପକ୍ଷରୁ ଖେଳୁଥିବା ଆର୍ଜେଣ୍ଟିନା ଖେଳାଳି ଗିଆନଲୁକା ପ୍ରେଷ୍ଟିଆନି ମୁହଁରେ ଜର୍ସି ଘୋଡ଼ାଇ ରିୟଲ ମାଦ୍ରିଦ ଫରୱାଡ୍ର୍ ବ୍ରାଜିଲର ଭିନିସିୟସ ଜୁନିୟରଙ୍କୁ କିଛି କହିଥିଲେ । ତାଙ୍କ ବିପକ୍ଷରେ ଜାତିଗତ ଆକ୍ଷେପ କରିଥିବା ଭିନିସିୟସ ଜୁନିୟର ଅଭିଯୋଗ କରିଥିଲେ । ପ୍ରେଷ୍ଟିଆନିଙ୍କୁ ସଙ୍ଗେ ସଙ୍ଗେ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଥିଲା । ପରେ ୟୁଇଏଫଏ ଏହି ଘଟଣାର ତଦନ୍ତ କରିବା ପରେ ପ୍ରେଷ୍ଟିଆନି ଦୋଷୀ ସାବ୍ୟସ୍ତ ହୋଇଥିଲେ । ଫଳ ସ୍ୱରୂପ ତାଙ୍କୁ ମୋଟ୍ ୬ଟି ମ୍ୟାଚରୁ ବାସନ୍ଦ କରାଯାଇଥିଲା ।