ନୂଆଦିଲ୍ଲୀ, ୦୮/୦୩: ଫିଫା ବିଶ୍ୱକପ୍କୁ ଅଧିକ ପରିବ୍ୟାପ୍ତ କରାଯିବ । ଅଧିକ ଦଳ ବିଶ୍ୱକପ୍ ଖେଳିବାର ସୁଯୋଗ ପାଇବେ । ଏନେଇ ଗତ ବୁଧବାର ଦିନ ଫିଫା ବୋର୍ଡ ବୈଠକରେ ଆଲୋଚନା ହୋଇଛି । ୨୦୩୦ ବିଶ୍ୱକପ୍ରେ ୬୪ ଦଳ ସାମିଲ କରାଯିବା ନେଇ ଫିଫା ଚିନ୍ତା କରୁଛି ।
ସାରା ବିଶ୍ୱରେ ଫୁଟବଲର ଆଦର ରହିଛି । ବିଶ୍ୱରେ ଯେତିକି ପ୍ରତିଯୋଗିତା ଆୟୋଜିତ ହେଉଛି, ଫିଫା ବିଶ୍ୱକପ୍କୁ ଅଧିକ ଦର୍ଶକ ଦେଖିଥାନ୍ତି । ଫୁଟବଲର ଲୋକପ୍ରିୟତା ଏବଂ ଦର୍ଶକଙ୍କ ଆଗ୍ରହକୁ ଦେଖି ଫିଫା ବିଶ୍ୱକପ୍ର କଳେବରକୁ ବଢ଼ାଇବା ଆବଶ୍ୟକ ହୋଇ ପଡ଼ିଛି।
ଏମିତିରେ ବି ଫିଫା ସଭାପତି ଗିଆନି ଇନ୍ଫାଣ୍ଟିନୋଙ୍କ ସମୟରେ ୨୦୨୬ ବିଶ୍ୱକପ୍ରେ ଦଳ ସଂଖ୍ୟା ୪୮ କରାଯାଇଛି । ଗତ ବୁଧବାର ଦିନ ଯେଉଁ ବୈଠକ ବସିଥିଲା, ଉରୁଗୁଏ ଏବଂ ଇଗନାସିଓ ଆଲୋନସୋର ପ୍ରତିନିଧି ଦଳ ୨୦୩୦ ବିଶ୍ୱକପ୍ରେ ଦଳ ସଂଖ୍ୟା ବଢ଼ାଇବା ନେଇ ପ୍ରସ୍ତାବ ଦେଇଥିଲେ । ଏ ପ୍ରସ୍ତାବକୁ ଅନ୍ୟ ସଦସ୍ୟମାନେ ଅଗ୍ରାହ୍ୟ କରିନଥିଲେ । ବରଂ ସମସ୍ତେ ନିରବ ରହିଥିଲେ ।
ଫିଫା ପକ୍ଷରୁ କୁହାଯାଇଛି ଯେ, ବିଶ୍ୱକପ୍ର ଶତବାର୍ଷିକ ପାଳନ (୨୦୩୦) ଅବସରରେ ୬୪ଟି ଦଳ ଖେଳିବା ବିଷୟରେ ଆମ କାଉନସିଲ ସଦସ୍ୟମାନେ ଦେଇଥିବା ପ୍ରସ୍ତାବ ବିଷୟରେ ଫିଫା ପକ୍ଷରୁ ବିଶ୍ଳେଷଣ କରାଯିବ । ୨୦୨୨ ବିଶ୍ୱକପ୍ କତାରରେ ଆୟୋଜିତ ହୋଇଥିଲା । ୩୨ଟି ଦଳ ଏହି ସଂସ୍କରଣରେ ଭାଗ ନେଇଥିଲେ । ୨୦୨୬ ସଂସ୍କରଣରେ ଏହା ୪୮କୁ ବୃଦ୍ଧି ପାଇଛି । ବିଶ୍ୱକପ୍ ୩ଟି ଦେଶ ଯଥା-ଆମେରିକା, କାନାଡ଼ା ଓ ମେକ୍ସିକୋରେ ଆୟୋଜିତ ହେବ ।
୧୯୩୦ରୁ ବିଶ୍ୱକପ୍ ଆରମ୍ଭ ହୋଇଥିଲା । ତେଣୁ ୨୦୩୦ରେ ଶହେ ବର୍ଷ ପୂରଣ ହେବାକୁ ଯାଉଛି । ତେଣୁ ଏହି ସଂସ୍କରଣକୁ ଅଧିକ ପରିବ୍ୟାପ୍ତ କରିବା ନେଇ ଫିଫା ଯୋଜନା ରଖିଛି । ଯଦି ୬୪ ଦଳ ୨୦୩୦ ସଂସ୍କରଣରେ ଖେଳନ୍ତି, ତାହା ପୂର୍ବରୁ ଫିଫାର ସଂଖ୍ୟା ଗରିଷ୍ଠ ସଦସ୍ୟ ଏହି ପ୍ରସ୍ତାବ ସପକ୍ଷରେ ସହମତି ପ୍ରକାଶ କରିବାର ଆବଶ୍ୟକତା ରହିଛି ।
୨୦୩୦ ବିଶ୍ୱକପ୍ ମରୋକ୍କୋ (ଆୟୋଜକ), ପର୍ତ୍ତୁଗାଲ, ସ୍ପେନ, ଆର୍ଜେଣ୍ଟିନା, ପାରାଗୁଏ ଓ ଉରୁଗୁଏରେ ଖେଳାଯିବ । ୨୦୩୪ ସଂସ୍କରଣକୁ ସାଉଦି ଆରବ ଆୟୋଜନ କରିବ ।
ଫିଫାରେ ମହାଦୁର୍ନୀତି ପରେ ୨୦୧୬ରେ ଇନ୍ଫାଣ୍ଟିନୋ ସଭାପତି ହୋଇଥିଲେ । ସେବେଠାରୁ ସେ ଫିଫାର ୨୧୧ ସଦସ୍ୟଙ୍କୁ ସହାୟତା ରାଶି ବଢ଼ାଇବା ଏବଂ ବିଶ୍ୱକପ୍ର କଳେବର ବଢ଼ାଇବା ଉପରେ ଅଧିକ ଧ୍ୟାନ ଦେଇ ଆସିଛନ୍ତି ।