ନୂଆଦିଲ୍ଲୀ,୦୬/୦୭; ବ୍ରାଜିଲର ଷ୍ଟାର ଫୁଟବଲ ପ୍ଲେୟାର ନେମାର ଇଣ୍ଟରନ୍ୟାସନାଲ ଫୁଟବଲରୁ ଅବସର ନେଇଛନ୍ତି । ଚଳିତ ଫିଫା ବିଶ୍ୱକପରେ ବ୍ରାଜିଲର ଅଭିଯାନ ସରିବା ପରେ ତୁରନ୍ତ ସନ୍ନ୍ୟାସ ଘୋଷଣା କରିଛନ୍ତି ନେମାର । ନ୍ୟୁ ଜର୍ସିର ମେଟଲାଇଫ୍ ଷ୍ଟାଡିୟମରେ ତାଙ୍କର ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିଛନ୍ତି । ବଡ଼ କଥା ହେଉଛି ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟ ୨୦୧୦ ମସିହାରେ ଏହି ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା । ୨୦୨୬ ଫିଫା ବିଶ୍ୱକପରୁ ବ୍ରାଜିଲ୍ ବାଦ ପଡ଼ିବା ପରେ ନେମାର ଅନ୍ତର୍ଜାତୀୟ ଫୁଟବଲ୍ ରୁ ଅବସର ନେବାର ନିଷ୍ପତ୍ତି ନେଇଥିଲେ । ରାଉଣ୍ଡ ଅଫ୍ ୧୬ ମ୍ୟାଚରେ ବ୍ରାଜିଲ୍ ନରୱେ ଠାରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ରେ ନେମାର ବ୍ରାଜିଲ୍ ପାଇଁ ଏକମାତ୍ର ଗୋଲ କରିଥିଲେ। ୨୦୨୬ ଫିଫା ବିଶ୍ୱକପରେ ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ ହେବାର ବ୍ରାଜିଲର ସ୍ୱପ୍ନ ରାଉଣ୍ଡ ଅଫ୍ ୧୬ରେ ଧୂଳିସାତ୍ ହୋଇଛି ।
ରାଉଣ୍ଡ ଅଫ୍ ୧୬ରେ ନରୱେ ଠାରୁ ବ୍ରାଜିଲର ପରାଜୟ ପରେ, ନେମାର କହିଥିଲେ ଯେ, ସେ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଏବେ ସବୁକିଛି ଶେଷ । "ମୁଁ ମେଟଲାଇଫ୍ ଷ୍ଟାଡିୟମରେ ମୋର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିଲି ଏବଂ ଏବେ ମୁଁ ଏହାକୁ ଏଠାରେ ଶେଷ କରୁଛି । " ନେମାରଙ୍କ ଅବସର ତାଙ୍କର କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଛି । ନେମାର ୨୦୧୪, ୨୦୧୮, ୨୦୨୨ ଏବଂ ୨୦୨୬ ଫିଫା ବିଶ୍ୱକପରେ ବ୍ରାଜିଲକୁ ପ୍ରତିନିଧିତ୍ୱ କରିଥିଲେ, ସେହି ୪ଟି ବିଶ୍ୱକପରେ ନଅଟି ଗୋଲ କରିଥିଲେ । ନେମାରଙ୍କ ଅନ୍ତର୍ଜାତୀୟ କ୍ୟାରିଅର ବାବଦରେ କହିବାକୁ ଗଲେ ସେ, ବ୍ରାଜିଲ ପାଇଁ ୧୩୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ମୋଟ ୮୦ଟି ଗୋଲ କରିଛନ୍ତି । ସେ ବ୍ରାଜିଲର ସର୍ବକାଳୀନ ଶ୍ରେଷ୍ଠ ସ୍କୋରର । ସେ ୨୦୧୩ ଫିଫା କନଫେଡେରେସନ କପ୍ ବିଜୟ ଏବଂ ୨୦୧୬ ଅଲିମ୍ପିକ୍ ଗେମ୍ସରେ ବ୍ରାଜିଲର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ବଡ଼ ବିପର୍ଯ୍ୟୟ, ବ୍ରାଜିଲକୁ ବିଦା କଲା ନରୱେ- ଫିଫା ବିଶ୍ୱକପ୍ର ପ୍ରି-କ୍ୱାର୍ଟରରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି । ନରୱେ ୨-୧ ଗୋଲରେ ୫ ଥର ବିଶ୍ୱ ଚାମ୍ପିଅନ ବ୍ରାଜିଲକୁ ହରାଇ ବିଶ୍ୱକପ୍ରୁ ବିଦା କରିଛି । ଏହି ବିଜୟ ସହ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦଳର ଷ୍ଟାର ଷ୍ଟ୍ରାଇକର ଏର୍ଲିଂ ହାଲାଣ୍ଡ ଡବଲ ଗୋଲ୍ ଦେଇ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।
ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ବ୍ରାଜିଲ ୪-୨-୩-୧ ରଣନୀତି ଏବଂ ନରୱେ ୪-୧-୨-୩ ରଣନୀତି ଆପଣେଇ ଥିଲା । ଆରମ୍ଭରୁ ନରୱେ ପ୍ରଭାବ ବିସ୍ତାର କରି ଖେଳିଥିଲା । କିନ୍ତୁ ୧୨ ମିନିଟରେ ପେନାଲ୍ଟି ଏରିଆରେ ଦଳର ତ୍ରୁଟି ଯୋଗୁ ବ୍ରାଜିଲକୁ ମିଳିଥିଲା ପେନାଲ୍ଟି । ପ୍ରଥମେ ମ୍ୟାଚ ରେଫରୀ ଅସହମତି ପ୍ରକାଶ କରିଥିଲେ ବି ଶେଷରେ ସେ ‘ଭାର’ ରିଭ୍ୟୁ ଦେଖି ବ୍ରାଜିଲକୁ ପେନାଲ୍ଟି ଦେଇଥିଲେ । ନିଶ୍ଚିତ ଗୋଲ୍ ସୁଯୋଗ । ବ୍ରୁନୋ ଗୁଇମାରେସ ଏହି ପେନାଲ୍ଟି ମାରିଥିଲେ । କିନ୍ତୁ ତାଙ୍କୁ ଅଟକାଇବାରେ ସଫଳ ରହିଥିଲେ ନରୱେ ଗୋଲକିପର ଓରର୍ଜାନ ନାଇଲାଣ୍ଡ । ଜଳ ପାନର ବିରତି ପରେ ପୁଣି ୨୯ ମିନିଟରେ ଆକ୍ରମଣ କରିଥିଲେ ବ୍ରାଜିଲ ଖେଳାଳି । ଏଥର ବି ପ୍ରାଚୀର ଭଳି ଅଟକାଇଥିଲେ ଗୋଲକିପର ନାଇଲାଣ୍ଡ । ୩୪ ମିନିଟରେ ନରୱେ ପକ୍ଷରୁ ମାର୍ଟିନ ଓଡେଗାର୍ଡ ଏବଂ ୩୬ ମିନିଟରେ ଏର୍ଲିଂ ହାଲାଣ୍ଡ ଆକ୍ରମଣ କରିଥିଲେ । କିନ୍ତୁ ତାହା ବିଫଳ ଯାଇଥିଲା । ୪୦ ମିନିଟରେ ବ୍ରାଜିଲର ଭିନିସିୟସ ଜୁନିୟରଙ୍କ ଏକ ପ୍ରୟାସକୁ ବିଫଳ କରିଥିଲେ ନାଇଲାଣ୍ଡ । ଇନ୍ଜ୍ୟୁରୀ ଟାଇମରେ (୪୫+୪) ଓଡେଗାର୍ଡ ଏକ ଜବରଦସ୍ତ ଆକ୍ରମଣ କରିଥିଲେ । ଏକ ନିଶ୍ଚିତ ଗୋଲ୍କୁ ବ୍ରାଜିଲର ଗୋଲକିପର ଆଲିସନ ବେକର ଅଟକାଇ ଦଳକୁ ନିଶ୍ଚିତ ବିପଦରୁ ରକ୍ଷା କରିଥିଲେ । ପରବର୍ତ୍ତୀ ଅବଶିଷ୍ଟ ଇନଜ୍ୟୁରୀ ଟାଇମରେ ଉଭୟ ଦଳ ଆକ୍ରମଣ କରିଥିଲେ । କିନ୍ତୁ କାହାକୁ ଗୋଲ ସଫଳତା ମିଳି ନଥିଲା । ଶେଷରେ ଏହି ଭାଗ କଡ଼ା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଖେଳ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା ।
ଦ୍ୱିତୀୟାର୍ଦ୍ଧରେ ହାଲାଣ୍ଡଙ୍କ ଚମତ୍କାର ୬୦ ମିନିଟରେ ବ୍ରାଜିଲକୁ ଅତି ସହଜ ସୁଯୋଗ ମିଳିଥିଲା । ପଡ଼ିଆରେ ପ୍ରବେଶ କରୁ କରୁ ଏଣ୍ଡ୍ରିକ ସାଥି ଭିନିସିୟସଙ୍କ ଠାରୁ ପାସ ପାଇଥିଲେ । ସାମ୍ନାରେ କେବଳ ବିପକ୍ଷ ଗୋଲକିପର ଥିଲେ । କିନ୍ତୁ ସେ ବଲକୁ କ୍ଲିୟର କରିପାରି ନଥିଲେ । ପୁଣି ୨ ମିନିଟ ପରେ ବ୍ରାଜିଲ ଆକ୍ରମଣ କରିଥିଲା । ବ୍ରୁନୋଙ୍କ ପ୍ରୟାସକୁ ଅତି ଚତୁରତାର ସହ ଅଟକାଇ ଦେଇଥିଲେ । ୭୯ ମିନିଟରେ ଆଣ୍ଡିଆସ ସ୍କେଲଡେରପଙ୍କ ପାସ୍କୁ ହାଲାନ ଅତି ଚମତ୍କାର ଭାବେ ହେଡର କରି ବଲକୁ ବ୍ରାଜିଲ ଗୋଲପୋଷ୍ଟରେ ପୂରାଇଥିଲେ । ବାସ, ଏହି ଗୋଲ ସହ ନରୱେ ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା । ପୁଣି ୯୦ ମିନିଟରେ ଆଣ୍ଡ୍ରିଆସ ଆଉ ଏକ ପାସ ଦେଲେ । ଏଥର ହାଲାଣ୍ଡ ପେନାଲ୍ଟି ଏରିଆ ବାହାରୁ ଏକ ସୁନ୍ଦର ସଟ୍ ମାରି ଦଳକୁ ଦ୍ୱିତୀୟ ଗୋଲ ଭେଟି ଦେଇଥିଲେ । ଭାଙ୍ଗି ପଡ଼ିଥିଲେ ବ୍ରାଜିଲ ଖେଳାଳି । ଇନ୍ଜ୍ୟୁରୀ ଟାଇମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଦଳର ଖେଳାଳି ହାତାହାତି ହୋଇଥିଲେ । ନେୟମାରଙ୍କୁ ମିଳିଥିଲା ୟୋଲୋ କାର୍ଡ । ୯୦+୧୦ ମିନିଟରେ ବ୍ରାଜିଲକୁ ମିଳିଥିଲା ପେନାଲ୍ଟି । ଏହାକୁ ଗୋଲ ରୂପ ଦେଇଥିଲେ ନେୟମାର । କିନ୍ତୁ ଆଉ ପ୍ରତ୍ୟାବର୍ତ୍ତନ ସୁଯୋଗ ନଥିଲା ବ୍ରାଜିଲ ପାଖରେ । ଶେଷରେ ଗୋଟିଏ ଗୋଲ ଆଗରେ ରହି ନରୱେ ବିଜୟୀ ହେବା ସହ କ୍ୱାର୍ଟରରେ ପ୍ରବେଶ କରିଥିଲା ।
ଏହା ବି ପଢନ୍ତୁ...India A VS SriLanka A: ସୁଦର୍ଶନଙ୍କ ପରେ ଚମକିଲେ ଗୁରନୂର, ୧-୦ରେ ସିରିଜ ଜିତିଲା ଭାରତ ଏ'