କଟକ,୦୬/୦୭: ଏମତି କ’ଣ ଅସୁବିଧା ଥିଲା ଯେ ଆଇଆଇସି ବିଉଟି ମହାନ୍ତି ଚରମ ନିଷ୍ପତ୍ତି ନେଲେ । ଛୋଟ ପୁଅର ମୁହଁକୁ ବି ଚାହିଁଲେନି ଜୀବନ ହାରିଦେଲେ । କ’ଣ ଏତେ ବଡ଼ ସମସ୍ୟା ଥିଲା ଯେ, ଦବଙ୍ଗ ପୁଲିସ ଅଧିକାରୀ ହୋଇ ମଧ୍ୟ ତାକୁ ସାମ୍ନା କରିପାରିଲେନି । ପୂର୍ବରୁ ସବୁ କିଛି ଠିକ୍‌ଠା କ୍ ଲାଗୁଥିବା ବେଳେ ହଠାତ୍ ଶୁକ୍ରବାର ରାତିରେ କ’ଣ ହେଲାଯେ ସେ ଆତ୍ମହତ୍ୟା କରିଦେଲେ ।-ଆଜି ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବିଉଟ ମହାନ୍ତିଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ । ତେବେ ମୃତ୍ୟୁ ପଛର ରହସ୍ୟ ବିଉଟିଙ୍କ ଫୋନ୍‌ରେ ଥିବା ଚର୍ଚ୍ଚା ହେଉଛି । ତେଣୁ ପୁଲିସ ପକ୍ଷରୁ ତାଙ୍କର ୨ଟି ଫୋନ୍ ଫରେନ୍ସିକ୍ ଯାଞ୍ଚ୍ ପାଇଁ ପଠାଯାଇଛି ।

ରରିବାର ସକାଳେ ବିଉଟିଙ୍କ ସ୍ୱାମୀ ସମୀର ସ୍ୱାଇଁ, ତାଙ୍କର ତିନି ଭଉଣୀ, ତିନି ଭିଣୋଇ, ଭାଇ ଓ ଅନ୍ୟ କିଛି ସମ୍ପର୍କୀୟଙ୍କୁ ଚାଉଳିଆଗଞ୍ଜ ଥାନାକୁ ଡକାଯାଇଥିଲା । ସେଠାରେ ଡିସିପି ଖିଲାରୀ ରିଷିକେଶ ଦ୍ୟାନ୍ଦେଓ, ଜୋନ୍ ଏସିପି ସୁଧାଂଶୁ ଭୂଷଣ ଜେନା ପ୍ରମୁଖ ଥାନାକୁ ଯାଇ ପରିବାର ଲୋକଙ୍କ ସହିତ କଥା ହେବା ସହ ବୟାନ ରେକର୍ଡ କରାଇଥିଲେ । ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ବିବାଦ ନଥିବା ପରିବାର ଲୋକ କହିଛନ୍ତି । ଏପରିକି ପରିବାରରେ କୌଣସି ବଡ଼ ଅସୁବିଧା ନ ଥିଲା । ସ୍ୱାମୀ-ପୁଅ ଓ ଶାଶୂଙ୍କୁ ନେଇ ତାଙ୍କ ସଂସାର ପ୍ରାୟ ଠିକ୍‌ଠାକ୍ ଥିଲା । କେବଳ ବଡ଼ ଥାନା ଦାୟିତ୍ୱଠୁ ଦୂରରେ ରହିବା ପାଇଁ ସେ ଚାହୁଁଥିଲେ ବୋଲି ପରିବାର ଲୋକ କହିଥିଲେ । ବିଭାଗ ମଧ୍ୟରେ କାହା ସହିତ ଶତ୍ରୁତା ନଥିବା ବିଷୟ ପରିବାର କହିଛନ୍ତି ।

 

ଅଧିକ ପଢ଼ନ୍ତୁ :-  Beauty Mohanty Death Mystery: ବିୟୁଟି ମହାନ୍ତି ମୃତ୍ୟୁ ମାମଲା, ପୁଲିସ ବିଭାଗର କର୍ମଚାରୀ ଅଟକ, ଅଜ୍ଞାତ ସ୍ଥାନରେ ପଚରାଉଚରା ଜାରି

ଅନ୍ୟପକ୍ଷରେ ପରିବାର ଲୋକ ମଧ୍ୟ ପୁଲିସ ଅଧିକାରୀଙ୍କଠାରୁ ବିଭାଗରେ କୌଣସି ଅସୁବିଧା ଥିଲାକି ବୋଲି ପଚାରି ବୁଝିଥିଲେ । ଏହାପରେ ପରିବାର ଲୋକ ଚ୍ୟାମ୍ବର ଭିତରେ ଥିବା ବିଉଟିଙ୍କ ଭ୍ୟାନିଟି ବ୍ୟାଗ୍, ତାଙ୍କୁ ମିଳିଥିବା କିଛି ମୋମେଣ୍ଟୋ, କିଛିଦିନ ପୂର୍ବରୁ ଆଣି ରଖିଥିବା ଡ୍ରେସ୍ ଓ ଏକାଧିକ ହଳ ୟୁନିଫର୍ମକୁ ସାଙ୍ଗରେ ନେଇଯାଇଥିଲେ । ଏହି ସମୟରେ ପରିବାର ଲୋକ ଉକ୍ତ ରେଷ୍ଟ୍ରରୁମ୍‌ ଯାଇ ଦେଖିଥିଲେ । ପରେ ଉକ୍ତ ରେଷ୍ଟରୁମ୍‌କୁ ପୁଣି ତାଲା ପକାଇ ରଖାଯାଇଛି । ଦୀର୍ଘ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ପରେ ପରିବାର ଲୋକ ଚାଲିଯାଇଥିଲେ । ଏହାପରେ ପରିବାର ଲୋକ ଏକାଠି ହୋଇ କେନ୍ଦ୍ରାପଡ଼ା ମାର୍ଶାଘାଇରେ ଥିବା ବିଉଟିଙ୍କ ଶାଶୂଘରକୁ ଯାଇଛନ୍ତି । ମାମଲାର ତଦନ୍ତ ପାଇଁ ପୁଲିସ ପକ୍ଷରୁ ବିଉଟିଙ୍କର ଦୁଇଟି ମୋବାଇଲ୍ ଫୋନ୍‌କୁ ଭୁବନେଶ୍ୱର ଫରେନ୍ସିକ୍ ଲାବ୍ ପଠାଯାଇଛି । ବିଉଟିଙ୍କ ୩ଟି ଫୋନ୍ ନମ୍ବରର ସିଡିଆର୍ ପୁଲିସ ମଗାଇଛି । ଶୁକ୍ରବାର ରାତିରେ ହୋଇଥିବା କଲ୍‌ରେ ସମ୍ଭବତଃ ସମସ୍ତ ରହସ୍ୟ ଲୁଚି ରହିଥିବା ପୁଲିସ ଆଶଙ୍କା କରୁଛି ।

ବ୍ୟକ୍ତିଗତ ସମ୍ପର୍କ ଦିଗରେ ବି ଯାଞ୍ଚ୍ ହେବ

ବିଉଟିଙ୍କ ମୃତ୍ୟୁ ପଛର କାରଣ ଜାଣିବା ପାଇଁ ପୁଲିସ ସବୁ ଦିଗରୁ ତଦନ୍ତ କରୁଛି । ଏହି କ୍ରମରେ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ମଧ୍ୟ ଛାନ୍ଭିନ୍ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ନିଜ ବିଭାଗର ହେଉ ବା ବିଭାଗ ବାହାରେ ଯାହା ସହିତ ବିଉଟିଙ୍କର ବ୍ୟକ୍ତିଗତ ସମ୍ପର୍କ ଥିଲା ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ତଳ ପାହ୍ୟାରେ ଜଣେ ପୁଲିସ ଅଧିକାରୀଙ୍କୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ମଧ୍ୟ ହେଉଛି । ସେ ପୂର୍ବରୁ କଟକରେ କାମ କରୁଥିଲେ ଓ ଏବେ ଭୁବନେଶ୍ୱର ସହରାଞ୍ଚଳ ପୁଳିସରେ କାମ କରୁଛନ୍ତି । ଏହି ଚର୍ଚ୍ଚାକୁ ମଧ୍ୟ ପୁଲିସ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିନି । ତଦନ୍ତ ଜାରି ଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ରାତି ୧୦ଟା ୩୫ରେ ଏମିତି କ’ଣ ହେଲା?

ଅନ୍ୟଦିନ ଭଳି ବିଉଟି ମହାନ୍ତି ରାତିରେ ୟୁନିଫର୍ମ ବଦଳାଇ ସାଧାରଣ ଡ୍ରେସ୍ ପିନ୍ଧିବାକୁ ରେଷ୍ଟ ରୁମ୍‌କୁ ଗଲେ । ସେଠାରେ ୟୁନିଫର୍ମ ବଦଳାଇ ଜିନ୍ସ ଓ କୁତ୍ତି ର୍ ପିନ୍ଧିଲେ । ସ୍ୱାମୀ ସମୀର ସ୍ୱାଇଁଙ୍କ କହିବାନୁସାରେ ରାତି ପ୍ରାୟ ୧୦ଟା ୩୫ରେ ସେ କଲ୍ କରିଥିଲେ । ପ୍ରାୟ ୫ ମିନିଟ୍ କଥା ହେଲେ । ମାତ୍ର ରାତି ୧୧ଟା ୪୬ରେ କଲ୍ କଲା ବେଳକୁ ବିଉଟି ଫୋନ୍ ଉଠାଉ ନାହାନ୍ତି । ୟୁନିଫର୍ମ ବଦଳାଇବା ପରେ ସେ ତଳକୁ ଆସିବା କଥା । ନୂଆ ସ୍କର୍ପିଓର ଡ୍ରାଇଭର ସୋନୁ ମଧ୍ୟ ତଳେ ଅପେକ୍ଷା କରିଛି ମାଡାମ୍‌କୁ ଘରକୁ ନେଇ ଯିବାପାଇଁ । ସିସିଟିଏନ୍ଏସ୍‌ର ପିଲା ଓ ଅନ୍ୟ ୩ ଜଣ ଅଫିସର ତଳେ କେସ୍ କ୍ଲୋଜ୍ କରିବାକୁ ଅପେକ୍ଷା କରିଛନ୍ତି । ହେଲେ ସ୍ୱାମୀଙ୍କ ଫୋନ୍ କଲ୍ ପରେ କ’ଣ ହେଲା ଯେ ପରଦିନ ବିଉଟିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା ।

ପୁଲିସ ସନ୍ଦେହ କରୁଛି ଯେ, ସ୍ୱାମୀଙ୍କ ସହିତ କୌଣସି ଏକ ବିଷୟରେ ବିଉଟି କଥା ହୋଇଥିଲେ । ଯାହାକୁ ନେଇ ବିବାଦ ଉପୁଜିଥିଲା । ଆଉ ଏହାର କିଛି ସମୟ ପରେ ବିଉଟି ଏକ ବଡ଼ ନିଷ୍ପତ୍ତି ନେଇଗଲେ । ଯଦିଓ ସେହି ଫୋନ୍ କଲ୍ ସ୍ୱାଭାବିକ ଥିଲା ବୋଲି ସ୍ୱାମୀ ସମୀର କହୁଛନ୍ତି, ପୁଲିସ କିନ୍ତୁ ଉକ୍ତ କଲ୍‌ର ସବୁ ରହସ୍ୟ ଲୁଚି ରହିଥିବା ଦୃଢ଼ତାର ସହିତ କହୁଛି ।

ବୁଧବାର ସୁଦ୍ଧା ଆସିବ ବ୍ୟବଚ୍ଛେଦ ରିପୋର୍ଟ

ବିଉଟିଙ୍କ ମୃତଦେହକୁ ଶନିବାର ସନ୍ଧ୍ୟା ପରେ ବ୍ୟବଚ୍ଛେଦ କରାଯାଇଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସଂପୂର୍ଣ୍ଣ ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସନ୍ତା ବୁଧବାର ମଧ୍ୟରେ ପ୍ରଦାନ କରିବା ପାଇଁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି । ରବିବାର ଏଫ୍ଏମ୍ଟି ବିଭାଗ ଛୁଟି ଥିଲା । ତେଣୁ ଦୁଇ ଦିନ ଭିତରେ ରିପୋର୍ଟ ପ୍ରସ୍ତୁତ କରି ବୁଧବାର ପ୍ରଦାନ କରିବାକୁ ଏଫ୍ଏମ୍ଟି ବିଭାଗ ମୁଖ୍ୟଙ୍କୁ କୁହାଯାଇଛି । ଜରୁରୀ ପରିସ୍ଥିତିରେ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହି କ୍ରମରେ ଏଫ୍ଏମ୍‌ଟି ବିଭାଗ ମୁଖ୍ୟ ନିଜେ ଏହି ବ୍ୟବଚ୍ଛେଦକୁ ତଦାରଖ କରୁଥିବା ସୂଚନା ମିଳିଛି ।