ନୂଆଦିଲ୍ଲୀ,୧୪/୦୯: ନେପାଳ, ଫ୍ରାନ୍ସ ପରେ ଏବେ ବ୍ରିଟେନ୍‌ରେ ବିକ୍ଷୋଭ ନିଆଁ ଜଳୁଛି । ପ୍ରବାସୀଙ୍କ ବିରୋଧରେ ବ୍ରିଟେନ୍‌ରେ ତୀବ୍ର ହେଉଛି ଆନ୍ଦୋଳନ । ଇମିଗ୍ରେସନ୍ ବିରୋଧରେ ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା ଟମି ରବିନ୍‌ସନ୍ସଙ୍କ ନେତୃତ୍ୱରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଏହାକୁ ନେଇ ଅରବପତି ଏଲ୍‌ନ ମସ୍କ ବିବାଦୀୟ ବୟାନ ଦେଇ ବିକ୍ଷୋଭ ନିଆଁରେ ଘିଅ ଢାଳିଛନ୍ତି । ଆନ୍ଦୋଳନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରିଛନ୍ତି ।

କୋଟିପତି ବ୍ୟବସାୟୀ ତଥା ଟେସଲା ସିଇଓ ଏଲନ ମସ୍କ କହିଛନ୍ତି, ''ବ୍ରିଟେନରେ ଏବେ କ୍ଷମତା ପରିବର୍ତ୍ତନ ହେବା ଜରୁରୀ । ପ୍ରଦର୍ଶନକାରୀଙ୍କ ପାଖରେ ଏବେ କେବଳ ଗୋଟିଏ ରାସ୍ତା । 'ଲଢେଇ କର ନହେଲେ ମର' । ଅଧିକ ପ୍ରବାସୀ ବ୍ରିଟେନକୁ ସଙ୍କଟରେ ପକାଇଛନ୍ତି । ଆଗକୁ ଏହା ଦେଶର ବିନାଶର କାରଣ ହୋଇପାରେ । ହିଂସାର ନିଆଁ ତୁମ ପାଖରେ ନିଶ୍ଚିନ୍ତ ପହଞ୍ଚିବ । ଏହାକୁ ରୋକିବାକୁ ତୁମ ପାଖରେ କୌଣସି ଉପାୟ ନାହିଁ । ତେଣୁ ଲଢିବା ପାଇଁ ପ୍ରସ୍ତୁତ ରହିବା ଏକମାତ୍ର ରାସ୍ତା । ମୋତେ ଲାଗୁଛି କି ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କୁ କ୍ଷମତାକୁ ହଟାଇବାକୁ ପଡିବ । ସଂସଦ ଭଙ୍ଗା ହେବା ଉଚିତ୍‌ ଏବଂ ନିର୍ବାଚନ କରାଯିବ ଦରକାର ।'' ତେବେ ଏଠି ପ୍ରଶ୍ନ ଉଠୁଛି ଲଣ୍ଡନ ବିକ୍ଷୋଭକୁ ଏତେ କାହିଁକି ଗୁରୁତ୍ୱ ଦେଉଛନ୍ତି ଏଲନ୍ ମସ୍କ । କାହିଁକି ଉତ୍ତେଜନାମୂଳକ ବୟାନ ଦେଉଛନ୍ତି ।