ଶ୍ରୀନଗର, ୫।୩: କାଶ୍ମିରୀ ମହିଳା ରାବିୟା ୟାସିନ୍ । ପୁଲୱାମା ଜିଲ୍ଲା ବଖେରବାନ୍ ଗାଁର ବାସିନ୍ଦା । କେତେ ଟାହିଟପରା, ବାର ଲୋକଙ୍କଠୁ ବାର କଥା ଶୁଣି ବି ସେ ଭାଙ୍ଗିପଡ଼ିନାହାନ୍ତି । ଆଜିର ପୁରୁଷ ପ୍ରଧାନ ସମାଜରେ ନିଜର ଦକ୍ଷତା ବଳରେ ନୂଆ କାହାଣୀ ଲେଖିଛନ୍ତି । ଆଗ୍ରହ ଓ ଦୃଢ଼ ମନୋବଳ ପାଇଁ ଟ୍ରକ୍ ଭଳି ଭାରୀଯାନ ଚଳାଇବାରେ ସକ୍ଷମ ହୋଇଛନ୍ତି । ଆଉ ପ୍ରଥମ ମହିଳା ଟ୍ରକ୍ ଡ୍ରାଇଭର ପାଲଟିଛନ୍ତି । ୬ ବର୍ଷ ତଳେ ଇମତିୟାଜ୍ ସେ ଅହମ୍ମଦ ମୀରଙ୍କୁ ବିବାହ କରିଥିଲେ । ଯିଏ ଜଣେ ଟ୍ରକ୍ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ବିବାହ ପରେ ରାବିୟା ନିଜ ସ୍ୱାମୀଙ୍କ ସହ ଟ୍ରକ୍ରେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ । ତାଙ୍କ ସ୍ୱାମୀ ଟ୍ରକ୍ରେ ଦୀର୍ଘ ଯାତ୍ରା କରୁଥିବାର ଦେଖିଲେ । ନିଜ ସ୍ୱାମୀଙ୍କ ସହ ଟ୍ରକ୍ରେ ଯାତ୍ରା କରୁଥିବା ବେଳେ ଅନେକ କିଛି ନିଆରା ଅନୁଭୂତି ସାଉଁଟିଥିଲେ । ସ୍ୱାମୀଙ୍କୁ ଦେଖି ତାଙ୍କ ମନରେ ମଧ୍ୟ ଟ୍ରକ୍ ଚଳାଇବାକୁ ଉତ୍ସାହ ବଢ଼ିଲା । ଯାହା ପରେ ସେ ନିଜ ସ୍ୱାମୀଙ୍କୁ ଟ୍ରକ୍ ଚାଳନା ଶିଖିବା ପାଇଁ କହିଥିଲେ । ଏହା ଶୁଣି ଇମତିଆଜ୍ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ, ପରବର୍ତ୍ତୀ ସମୟରେ ରାବିୟାଙ୍କ ସାହସ, ଆଗ୍ରହ ଦେଖି ସେ ତାଙ୍କୁ ଟ୍ରକ୍ ଚାଳନା ଶିଖାଇଥିଲେ ।

ଏଭଳି ଭାରି ଓଜନର ଟ୍ରକ୍ ସମ୍ଭାଳିବା ରାବିୟାଙ୍କ ପାଇଁ ଖୁବ୍ କଠିନ ଥିଲା । କିନ୍ତୁ, ଆତ୍ମବିଶ୍ୱାସ ଥିଲେ ଯେ କୌଣସି କାର୍ଯ୍ୟ ସମ୍ଭବ ହୋଇପାରିବ ବୋଲି ସେ ତାହା ପ୍ରମାଣିତ କରି ଦେଖାଇଥିଲେ । ଅଦମ୍ୟ ଇଚ୍ଛାଶକ୍ତି, ପରିଶ୍ରମ ସଂଘର୍ଷ ଓ ସମର୍ପଣରୁ ସେ ଆଜି ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ପାଖାପାଖି ୧ ବର୍ଷର କଠିନ ପରିଶ୍ରମ ଓ ଅଭ୍ୟାସ ପରେ ରାବିୟା ଟ୍ରକ୍ ଷ୍ଟିୟରିଂ ଧରିବାରେ ସକ୍ଷମ ହୋଇଥିଲେ । ଏହାପରେ ଜାତୀୟ ରାଜପଥରେ ଟ୍ରକ୍ ଚାଳନା କରିଥିଲେ । ଯାହା ପରେ ତାଙ୍କର ଆତ୍ମବିଶ୍ୱାସ ବଢ଼ିଥିଲା । ବର୍ତ୍ତମାନ ସ୍ୱାମୀଙ୍କ ସହ ମିଶି ଭାରତର ବିଭିନ୍ନ ରାଜ୍ୟକୁ ଟ୍ରକ୍ ଚଳାଇ ଯାଉଛନ୍ତି । ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ମହାରାଷ୍ଟ୍ର ଭଳି ବିଭିନ୍ନ ରାଜ୍ୟକୁ ସେ ଟ୍ରକ୍ ଚାଳନା କରିଛନ୍ତି । ବର୍ତ୍ତମାନ ସମୟରେ ମହିଳାମାନେ କୌଣସି କ୍ଷେତ୍ରରେ କମ୍ ନୁହଁନ୍ତି ବୋଲି ସେ ତାଙ୍କର କାର୍ଯ୍ୟରେ ପ୍ରମାଣିତ କରିଦେଖାଇଛନ୍ତି ।

ପ୍ରଥମେ ଲୋକମାନେ ତାଙ୍କ ଟ୍ରକ୍ ଚାଳନାକୁ ନେଇ ଅନେକ ଥଟ୍ଟା ପରିହାସ କରୁଥିବା ସେ କହିଛନ୍ତି । କିନ୍ତୁ, ଏବେ ସେହି ଲୋକମାନେ ତାଙ୍କୁ ଦେଖି ପ୍ରେରିତ ହେଉଛନ୍ତି । ସେ ଜାତୀୟ ରାଜପଥରେ ଟ୍ରକ୍ ଚଲାଉଥିବା ବେଳେ ବାଟଘାଟରେ ଲୋକେ ତାଙ୍କୁ ଭିନ୍ନ ନଜରରେ ଦେଖିଥାନ୍ତି । ତେବେ ରାବିୟା ସାମାଜିକ ଗଣମାଧ୍ୟମରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ରାବିୟା ବ୍ଲଗ୍ସ-୭୮୬ ନାମରେ ଏକ ୟୁଟ୍ୟୁବ୍ ଚାନେଲ ଖୋଲିଛନ୍ତି । ଯେଉଁଥିରେ ସେ ନିଜର ଯାତ୍ରା, ନିଜ ସଫଳତାର କାହାଣୀ ସେୟାର କରିଥାନ୍ତି । ଦର୍ଶକମାନେ ତାଙ୍କ ଭିଡିଓ ଦେଖିବା ସହ ତାଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାନ୍ତି । ଅନ୍ୟପଟେ ସାହିପଡ଼ିଶା ଲୋକେ ରାବିୟାଙ୍କ କାର୍ଯ୍ୟକୁ ନେଇ ଥଟ୍ଟା ମଜା କରୁଥିବା ବେଳେ ତାଙ୍କ ପରିବାର କିନ୍ତୁ, ତାଙ୍କର ପୂର୍ଣ୍ଣ ରୂପେ ସମର୍ଥନ କରୁଥିଲେ । ବିଶେଷ କରି ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଏ ଦିଗରେ ତାଙ୍କୁ ପ୍ରୋତ୍ସାହନ ଦେଇଥିଲେ । ମହିଳାମାନେ କେବଳ ନିର୍ଦ୍ଦିଷ୍ଟ କର୍ମ ପରିସରରେ ସୀମିତ ନୁହଁନ୍ତି, ସେମାନେ ସବୁ କ୍ଷେତ୍ରରେ ସଫଳତା ପାଇପାରିବେ । ଏଥିପାଇଁ କେବଳ ସେମାନଙ୍କୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି ରାବିୟା କହିଛନ୍ତି ।