ଢେଙ୍କାନାଳ,୧୭/୦୭: ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ଗୁରୁବାର କଂଗ୍ରେସ ଓଡ଼ିଶା ବନ୍ଦ ପାଳନ କରୁଛି । ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ଦଳ । ଏହାର ପ୍ରଭାବ ଢେଙ୍କାନାଳରେ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରୁଛନ୍ତି । ବନ୍ଦକୁ ସିପିଆଇ, ସିପିଆଇଏମ୍ ସମେତ ୭ଟି ଦଳର ସମର୍ଥନ ଯୋଗାଇ ଦେଇଛନ୍ତି। କର୍ମୀମାନେ ବୁଲି ବୁଲି ଦୋକାନ ବଜାର ସ୍କୁଲ କଲେଜ, ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ କରୁଛନ୍ତି । ଜିଲ୍ଲା କଂଗ୍ରେସ ସଂଯୋଜକ ଛବିରାଜ ବିଶ୍ୱାଳଙ୍କ ନେତୃତ୍ୱରେ ନେତା ଓ କର୍ମୀମାନେ ଢେଙ୍କାନାଳ ମୁଖ୍ୟ ଷ୍ଟେସନରେ ପହଞ୍ଚି ରେଳ ରୋକ କରିଥିଲେ। ଅନୁଗୁଳ-ପୁରୀ ମେମୁ ଟ୍ରେନକୁ ଅଟକାଇ ସମ୍ମୁଖରେ ନାରାବାଜି ପ୍ରଦର୍ଶନ କରିଛନ୍ତି। ୧୦ ମିନିଟ ଅଟକିବା ପରେ ଟ୍ରେନ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।
ସେହିପରି ଢେଙ୍କାନାଳ କଲେଜ ବାଇପାସ, ମହିଷାପଟ, କୋରିହାଁ ବାଇପାସ ଛକରେ ରାସ୍ତାରୋକ କରାଯାଇଛି। ଏହାଦ୍ୱାରା ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମକର୍ତ୍ତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ନାରାବାଜି ଦେଉଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବନ୍ଦ ପାଳନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।