ଭୁବନେଶ୍ବର,୬।୧ ରାଜ୍ୟରେ ୪୮ ଘଣ୍ଟା ଘନ କୁହୁଡିର ସତର୍କତା ଜାରି କରାଯାଇଛି। ୪  ଦିନ ଯାଏ କମିବନି ଶୀତର ପ୍ରକୋପ । ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୭ ଦିନ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ହେଲେ ୪୮ ଘଣ୍ଟା ଯାଇ ଘନ କୁହୁଡିର ସମ୍ଭାବନା ରହିଛି। ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ଘନ   କୁହୁଡି ପାଇଁ ଓ୍ବାର୍ଣ୍ଣିଂ  ଜାରି କରିଛି। 

ତେବେ ଆସନ୍ତା  ୨୪ ଘଣ୍ଟାରେ ଖୋର୍ଦ୍ଧା, ଅନୁଗୁଳ, ଗଂଜାମ, ଗଜପତି, ରାୟଗଡା, ଜଗତସିଂହପୁର,କେନ୍ଦ୍ରାପଡା ,ଭଦ୍ରକ , ଯାଜପୁର, କେନ୍ଦୁଝର  ଓ ମାଲକାନଗିରିରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ । ସେହିପରି  ଘନ ରୁ ଅଧିକ ଘନ(୧୦୦ ମି ଉର୍ଧ୍ଵ) କୁହୁଡି ପାଇଁ ସୁନ୍ଦରଗଡ,   ଢେଙ୍କାନାଳ, କାଳାହାଣ୍ଡି , କନ୍ଧମାଳ,କୋରାପୁଟ ଓ କଟକରେ ୟେଲୋ ଓ୍ବାର୍ଣ୍ଣିଂ  ଜାରି କରିଛି ପାଣିପାଗ ବିଭାଗ। ସେହିପରି  ମଙ୍ଗଳବାର ଖୋର୍ଦ୍ଧା, ଅନୁଗୁଳ, ଗଜପତି ଓ ରାୟଗଡାରେ ହାଲୁକରୁ ମଧ୍ୟମ କୁହୁଡି ଦୃଶ୍ୟମାନ ସହ ଢେଙ୍କାନାଳ, କଟକ,ସୁନ୍ଦରଗଡ  କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ କୁହୁଡି ନେଇ ୟେଲୋ ଓ୍ବାର୍ଣ୍ଣିଂ  ଜାରି  କରିଛି  ପାଣିପାଗ ବିଭାଗ । 

ସେପଟେ  ଆଗାମୀ  ୪  ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ  କୌଣସି ପରିବର୍ତ୍ତନ ହେବନାହିଁ  ବୋଲି  ବିଭାଗ ପୂର୍ବାନୁମାନ କରିଛି । ତେଣୁ ରାଜ୍ୟରେ ଶୀତ ଜାରି ରହିବ। ୪ ଦିନ ପରେ  ୨ରୁ ୪ ଡିଗ୍ରୀ ରାତି ତାପମାତ୍ରା  ବଢିବା ସହ ଶୀତର ପ୍ରକୋପ  ସାମାନ୍ୟ  କମିପାରେ  ବୋଲି  ଆକଳନ କରିଛି  ପାଣିପାଗ ବିଭାଗ।  ପାହାଡିଆ ଅଞ୍ଚଳ ଭାବରେ ୭.୫ ଡିଗ୍ରୀ ସହ କୋରାପୁଟ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୧୦.୦  ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।