ଋଣ ଶୁଝି ନ ପାରିଲେ ଜବରଦସ୍ତି ଗାଡ଼ି ସିଜ୍ କରିପାରିବେନି ଏଜେଣ୍ଟ: ପାଟନା ହାଇକୋର୍ଟ

ପାଟନା,୨୫/୦୫: ଋଣ କରି ନେଇଥିବା ଗାଡ଼ି ବାବଦ କିସ୍ତି ଠିକ୍ ସମୟରେ ପରିଶୋଧ କରି ନ ପାରିଲେ କୌଣସି ବ୍ୟାଙ୍କ କିମ୍ବା ଘରୋଇ ଫାଇନାନ୍ସ କମ୍ପାନୀ ଜୋର ଜବରଦସ୍ତି ସେହି ଗାଡ଼ି ଉଠାଇ ନେଇପାରିବେ ନାହିଁ ବୋଲି ପାଟନା ହାଇକୋର୍ଟ ରାୟ ଦେଇଛନ୍ତି । ରିକଭରି ଟିମ୍ ଦ୍ୱାରା ବଳପୂର୍ବକ ଗାଡ଼ି ଉଠାଇ ନିଆଯିବା ବେଆଇନ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ମୌଳିକ ଅଧିକାରର ଉଲ୍ଲଂଘନ । ଯଦି କେହି ଏପରି କରୁଥାନ୍ତି ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ । ପ୍ରତିଭୂତିକରଣ ପ୍ରାବଧାନର ପାଳନ କରାଯାଇ ବାହନ ବାବଦ ଋଣ ଆଦାୟ କରାଯିବା ଉଚିତ । ଏଥିପାଇଁ ଗ୍ରାହକଙ୍କ ସୁରକ୍ଷା ହିତକୁ ଲାଗୁ କରାଯାଉ ବୋଲି ହାଇକୋର୍ଟ କହିଛନ୍ତି ।
ଜଷ୍ଟିସ୍ ରାଜୀବ ରଞ୍ଜନଙ୍କ ଏକକ ଖଣ୍ଡପୀଠ ଏ ବାବଦରେ ଆସିଥିବା ଏକାଧିକ ପିଟିଶନର ଶୁଣାଣି କରି ବଳପୂର୍ବକ ଏପରିକି ବନ୍ଧୁକ ମୁନରେ ମଧ୍ୟ ଋଣ ଆଦାୟ କରୁଥିବା ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀଗୁଡ଼ିକୁ ଭର୍ତ୍ସନା କରିଥିଲେ । ଏଥିସହ ଜୋର ଜବରଦସ୍ତି ଯେପରି କୌଣସି ଋଣ ଆଦାୟକାରୀ ଏଜେଣ୍ଟ କାହାର ଯାନକୁ ଉଠାଇ ନ ନିଅନ୍ତି ତାହା ସୁନିଶ୍ଚିତ କରିବାକୁ ହାଇକୋର୍ଟ ବିହାରର ସମସ୍ତ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏହି ମାମଲାରେ ଦୋଷୀ ବ୍ୟାଙ୍କ/ବିତ୍ତୀୟ କମ୍ପାନୀ ଉପରେ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଲଗାଇଛନ୍ତି ।