କଣ୍ଟାମାଳ,୮/୧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ବଘିଆବାହାଲ ଗ୍ରାମର ହାଟପଦା ପଛରେ ଥିବା ଏକ ବୁଦାମୂଳେ ଗୋଟିଏ ଭାଲୁ ରହୁଥିବାବେଳେ ସ୍ଥାନୀୟ ଚାଷୀମାନେ ଭାଲୁକୁ ଘରପାଖରେ ଦେଖି ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନରକ୍ଷୀ ଜ୍ୟୋତି ରଞ୍ଜନ ବାରିକ ଓ ବନ ବିଭାଗ ଦ୍ୱାରା ନିୟୋଜିତ କର୍ମଚାରୀ କ୍ଷିମାନିଧି ଗିଭିଲା ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବାବେଳେ ହଠାତ ଭାଲୁ ବାହାରି କର୍ମଚାରୀ କ୍ଷମାନିଧିକୁ ଆକ୍ରମଣ କରିଥିଲା । ଆକ୍ରମଣରେ ଗୁରୁତର ହେବା ପରେ ତାଙ୍କୁ ଉଦ୍ଧାର କରି ସୋନପୁର ହସ୍ପିଟାଲ ନିଆଯାଇଥିଲା ।

ଖବରପାଇ ଘଟଣାସ୍ଥଳରେ ରେଞ୍ଜର ଜୟକୃଷ୍ଣ ପଟ୍ଟନାୟକ, ଫରେଷ୍ଟର ବୁଲି ବେହେରା ପହଞ୍ଚି ଭାଲୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଭାଲୁ ଗାଁ ନିକଟରେ ଥିବା ଏକ ବୁଦା ମୂଳେ ଲୁଚି ରହିଥିବାବେଳେ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ଜଗି ରହିଛନ୍ତି । ପ୍ରକାଶ ଯେ, ଉକ୍ତ ଗାଁ ଓ ଆଖପାଖ ଗ୍ରାମରେ ୫ଟି ଭାଲୁ ରହୁଛନ୍ତି । ସନ୍ଧ୍ୟା ହେଲେ ଲୋକମାନେ ଭାଲୁ ଆତଙ୍କରେ ଘରୁ ବାହାରୁ ନାହାନ୍ତି । ଭାଲୁ ପ୍ରତିଦିନ ରାତିରେ ପଲଶାଗୋରା, ଧାନଖଣ୍ଡି, ବାଘମୁଣ୍ଡା, ଋଣ୍ଡିମହୁଲ ରାସ୍ତାମାନଙ୍କରେ ଯାତାୟାତ କରୁଥିବାର ସାଧାରଣରେ ଆଲୋଚନା ହେଉଛି l ପୂର୍ବରୁ ପିତ ପ୍ରଧାନ, ସୁଶୀଲ ଦଳବେହେରା ଭାଲୁ ଆକ୍ରମଣରେ ଗୁରୁତର ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଜାରି ରହିଛି । ଆଗକୁ ଉକ୍ତ ଅଞ୍ଚଳର ପ୍ରସିଦ୍ଧ ମକର ଯାତ୍ରା ପାଇଁ ବହୁ ଲୋକଙ୍କ ଭିଡ଼ ହେବାର ଅଛି । ଯେଉଁ ସ୍ଥାନ ମାନଙ୍କରେ ଭାଲୁ ରହୁଛନ୍ତି ସେ ସ୍ଥାନକୁ ଲୋକମାନେ ଶୌଚ ହେବା ପାଇଁ ଯାଆନ୍ତି । ଅନ୍ୟ ସ୍ଥାନରୁ ଲୋକେ ଯାତ୍ରା ଦେଖି ଆସିଲେ ଉକ୍ତ ସ୍ଥାନରେ ଭାଲୁଥିବା ଜାଣିବେ ନାହିଁ ତେଣୁ ଭାଲୁ ଆକ୍ରମଣର ଶିକାର ହେବା ଆଶଙ୍କା ଦେଖାଦେଇଛି । ବହୁ ଦିନ ଧରି ଭାଲୁ ଉକ୍ତ ଅଞ୍ଚଳରେ ରହୁଥିବାରୁ ବନ ବିଭାଗ ପଦକ୍ଷେପ ସାଧାରଣରେ ଦାବି ହେଉଛି l