ବଲାଙ୍ଗୀର, ୧୬/୦୬: ବିଭିନ୍ନ ସମସ୍ୟାର ସମାଧାନ ଓ ଚାକିରି କ୍ଷେତ୍ରରେ ସୁରକ୍ଷା ଦାବି କରି ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ କର୍ମଚାରୀମାନେ କଳା ବ୍ୟାଜ୍ ପରିଧାନ କରିଛନ୍ତି । କଳା ବ୍ୟାଜ୍ ପରିଧାନ କରି ଅଫିସରେ ସ୍ୱାଭାବିକ ଭାବରେ କାମ କରୁଛନ୍ତି। ସରକାର ଯଦି ତାଙ୍କ ଦାବିକୁ ଶୀଘ୍ର ପୂରଣ ନକରନ୍ତି, ତେବେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସର୍କଲ କାର୍ଯ୍ୟାଳୟ ସମ୍ମୁଖରେ ୟୁନିଫର୍ମ ଓ କଳା ବ୍ୟାଜ୍ ପିନ୍ଧି ଧାରଣାରେ ବସିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ପରେ ମଧ୍ୟ ସରକାର ଉପେକ୍ଷା କଲେ, ସେମାନେ ସାମୂହିକ ଛୁଟି ନେଇ ଭୁବନେଶର ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ବନ କର୍ମଚାରୀମାନେ ବାରମ୍ବାର ରାଜ୍ୟ ସରକାରଙ୍କୁ ନିଜର ସମସ୍ୟା ଓ ଦାବି ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହି ପରିପ୍ରେକ୍ଷୀରେ ସୋମବାର ବଲାଙ୍ଗୀର ଜିଲ୍ଲା ବନଖଣ୍ଡରେ କାର୍ଯ୍ୟରତ ଡେପୁଟି ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡମାନେ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲାରେ ୧୧ଟି ରେଞ୍ଜରେ ଆନ୍ଦୋଳନ ଜାରି ରହିଥିବା ବେଳେ ୨୫୦ ବନ କର୍ମଚାରୀ ସାମିଲ ଥିବା ସୂଚନା ଦିଆଯାଇଛି ।