ପୁରୀ/ପିପିଲି,୦୧/୦୨ :  ଇଏ କି ପ୍ରକାର ରାସ୍ତା କାମ? ଏମିତି ସବୁ କାମ ହୁଏ? ଲୋକଙ୍କ ଟଙ୍କା ଏଭଳି ନଷ୍ଟ କରୁଛ? ଏହା ପିଚୁ ନା ଗୋବର? ଉଚ୍ଚଗଳାରେ ଏଭଳି ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରି ଚାଲିଥିଲେ ପିପିଲିର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ରାସ୍ତା କାମରେ ନିୟୋଜିତ ଥିବା କର୍ମଚାରୀ ପୂର୍ବତନ ବିଧାୟକଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେବାକୁ ଅକ୍ଷମ ଥିଲେ । ଏହି କାମକୁ ସଜଡ଼ାଯିବ ବୋଲି ସେମାନେ କହୁଥିଲେ । ହେଲେ ଏଭଳି ହାଲୁକା ଉତ୍ତର ଶୁଣି ଅଧିକ ଚିହିଙ୍କି ଉଠୁଥିଲେ ପୂର୍ବତନ ବିଧାୟକ ।

 ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁରଠାରୁ ବନ୍ତଳସିଂ ପର୍ଯ୍ୟନ୍ତ ୧୭ ଲକ୍ଷ ଟଙ୍କା ବ୍ୟୟ ବରାଦରେ ହେଉଥିବା ୧୨୦୦ ମିଟର ରାସ୍ତାର ଏହି ସ୍ଥିତି ଥିଲା । ପୂର୍ବତନ ବିଧାୟକ ଶ୍ରୀ ମହାରଥୀ ଏବଂ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ସେହି ବାଟରେ ଯିବା ସମୟରେ ରାସ୍ତାର ଏଭଳି ସ୍ଥିତି ନଜରକୁ ଆସିଥିଲା । ସେଠାରେ ଗାଡ଼ି ଅଟକାଇ ରାସ୍ତା କାମର ସ୍ଥିତି ପରଖିଥିଲେ । ହେଲେ ଅତ୍ୟନ୍ତ ପତଳା ପିଚୁ ପଡ଼ିଥିବାର ସେ ଦେଖିଥିଲେ । ଏହି ପିଚୁକୁ ଗୋଡ଼ରେ ଆଡ଼େଇ ଦେବାରୁ ଏହା ଖଣ୍ଡଖଣ୍ଡ ହୋଇ ଛାଡ଼ିଯାଇଥିଲା । ଏଭଳି କାମ କାହିଁକି କରାଯାଉଛି ବୋଲି କୈଫିୟତ ମାଗିବାକୁ ସେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କୁ ଖୋଜିଥିଲେ ମଧ୍ୟ କାହାର ଦେଖାନଥିଲା । ଫଳରେ ସେ ଅଧିକ ରାଗି ଯାଇ ସେଠାରେ ଥିବା କର୍ମଚାରୀମାନଙ୍କୁ ଏସମ୍ପର୍କରେ ପଚାରିଥିଲେ । 

ଆହୁରି ପଢନ୍ତୁ-ୟୁନିୟନ ବଜେଟ୍ ୨୦୨୬-୨୭: ପ୍ରଥମ ଥର ପ୍ରମେୟ ଡିଜିଟାଲରେ ଲାଇଭ୍ 

କେବଳ ସେତିକି ନୁହେଁ ଏହି ରାସ୍ତାର କାର୍ଯ୍ୟ ନିମନ୍ତେ ସୂଚନା ଫଳକ ମଧ୍ୟ ଲଗାଯାଇନଥିଲା । ଫଳରେ ରାସ୍ତା କାମ ନେଇ ସ୍ଥାନୀୟ ବାସିନ୍ଦା ଅନ୍ଧାରରେ ଥିଲେ । ଏଣୁ ରାସ୍ତାର ମାନ ସମ୍ପର୍କରେ ସେମାନେ ପ୍ରଶ୍ନ କରିନଥିଲେ । ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ପୂର୍ବତନ ବିଧାୟକ ଘଟଣାସ୍ଥାଳରେ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରିଥିଲେ । ସେ ଜାଣିବାକୁ ପାଇଥିଲେ ଯେ ଅଢ଼େଇ ଇଞ୍ଚ ଚିପ୍ସ ଦିଆଯାଇ ତା ପରେ ବଜୁରି ପିଚୁ ଦିଆଯିବାର ପ୍ରାବଧାନ ରହିଛି । ହେଲେ ଏଠାରେ ମାତ୍ର ଏକ ଇଞ୍ଚ ଚିପ୍ସ ଦିଆଯାଇ ରୋଲର ଚଲାଯାଉଥିଲା । ଏଣୁ କାର୍ଯ୍ୟ ଆରମ୍ଭରୁ ପୁନର୍ବାର ଆଉ ଦେଢ଼ ଇଞ୍ଚ ଚିପ୍ସ ଦେଇ ରୋଲିଂ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ନଚେତ ଠିକାଦାର ବିଲ୍‌ ବନ୍ଦ କରିବାକୁ ସେ ଚେତାବନୀ ଦେଇଥିଲେ । ଏପରିକି ଏନେଇ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବାକୁ ମଧ୍ୟ କହିଥିଲେ ।