ବ୍ରହ୍ମପୁର,୧୪/୦୨: ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ସର୍ଜରୀ ବିଭାଗରେ ୧୦ ତାରିଖରୁ ଭର୍ତ୍ତି ହୋଇଛନ୍ତି । ତାଙ୍କର ପାଇଲସ୍, ଗଲ୍ ବ୍ଲାଡର୍ ଷ୍ଟୋନ୍ ସହିତ ପ୍ରୋଷ୍ଟେଟୋମୋଗାଲି ଭଳି ରୋଗ ଚିହ୍ନଟ ହୋଇଥିବା ବେଳେ ଏବେ ଗୋଡ଼ରେ ଯନ୍ତ୍ରଣା କାରଣରୁ ଚାଲିବାରେ ସମସ୍ୟା ହେଉଛି । ଡାକ୍ତରଖାନାରେ ସେ ଥିବାବେଳେ ଏବେ ବି ତାଙ୍କୁ ଜେଲ୍ ଖାଦ୍ୟ ହିଁ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଓକିଲ ଦୀପକ କୁମାର ପଟ୍ଟନାୟକ ।

ସେ କହିଛନ୍ତି, ଡାକ୍ତରଖାନାକୁ ରୋଗୀ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଆସେ । ସେ କ’ଣ ଖାଇବ ଡାକ୍ତରଖାନା ଡାଏଟେସିଆନ୍ ନିର୍ଦ୍ଧାରଣ କରିବେ କିନ୍ତୁ ତାଙ୍କୁ ଏଠାରେ ବି ଜେଲ୍ ଖାଦ୍ୟ ଦିଆଯାଉଛି ।  ଦୀପକ ପଟ୍ଟନାୟକ ମେଡିକାଲରେ ଭେଟି ତାଙ୍କ ଅସୁବିଧା ସମ୍ପର୍କରେ ପଚାରିଥିଲେ । ଚିକିତ୍ସା ସମୟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଜଣାଇଥିଲେ । ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା. ଦୁର୍ଗାମାଧବ ଶତପଥି କହିଛନ୍ତି ଡାକ୍ତରଖାନା ପକ୍ଷରୁ ମଧ୍ୟ ସଂପୃକ୍ତ ରୋଗୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଜେଲ୍ କର୍ତ୍ତୃପକ୍ଷ ତାଙ୍କର ଖାଦ୍ୟ ଦେଉଛନ୍ତି ।

ଆଇନଜୀବୀ ପଟ୍ଟନାୟକ କହିଛନ୍ତି ଯେ, ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ପୂର୍ବାହ୍ନ ୧୦ଟାରୁ ୫ଟା ମଧ୍ୟରେ ତାଙ୍କ ସ୍ତ୍ରୀ ଘଣ୍ଟାଏ ରହିପାରିବେ ଏବଂ ଆଇନଜୀବୀ ଦେଖା କରିପାରିବେ । ବିକ୍ରମ ବର୍ତ୍ତମାନ ଅସୁସ୍ଥ ଥିବାବେଳେ ତାଙ୍କ ପାଖରେ ଜଣେ ଆଟେଣ୍ଡାଣ୍ଟର ଆବଶ୍ୟକ ରହିଛି । କିନ୍ତୁ ହସ୍ପିଟାଲରେ ତାଙ୍କ ଦେଖାଶୁଣା କରିବାକୁ ପାଖରେ କେହି ରହୁନଥିବା କହିଛନ୍ତି ।

ବିକ୍ରମ ପଣ୍ଡାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ୁଥିବାରୁ ଅନୁଧ୍ୟାନ ପାଇଁ ସାତ ଜଣିଆ କମିଟି କରାଯାଇଛି । ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା.ଦୁର୍ଗାମାଧବ ଶତପଥିଙ୍କ ଅଧ୍ୟକ୍ଷତାରେ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା. ଶିବ ପ୍ରସାଦ ପଟ୍ଟନାୟକ, ସର୍ଜରୀ ବିଭାଗ ପ୍ରଫେସର ମନୋଜ କୁମାର ସେଠୀ, ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସତ୍ୟ ପ୍ରସାଦ ସାମନ୍ତରାୟ, ଅସ୍ଥିଶଲ୍ୟ ବିଭାଗ ମୁଖ୍ୟ ସୁଧୀର ମହାପାତ୍ର, ମେଡିସନ୍ ବିଭାଗ ମୁଖ୍ୟ ସରିତା ବେହେରାଙ୍କୁ ନେଇ ଟିମ୍ ଗଠନ ହୋଇଛି । ଏହି ଟିମ୍  ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ କଲନୋଗ୍ରାଫି ଏବଂ ସିଟି ସ୍କାନ୍ କରିବାକୁ ପରାମର୍ଶ ଦେଇଛି । ରିପୋର୍ଟ ଆସିବା ପରେ ଆବଶ୍ୟକ ହେଲେ ତାଙ୍କର ଅସ୍ତ୍ରୋପଚାର ହୋଇପାରେ ବୋଲି ଅଧୀକ୍ଷକ ପ୍ରଫେସର ଶତପଥି କହିଛନ୍ତି । ସେପଟେ ପାଇଲ୍ସ୍ ସମସ୍ୟା ଥିବାରୁ ରକ୍ତରେ ଝାଡ଼ା ପଡୁଥିବାରୁ ବିକ୍ରମ ତାହାର ସମାଧାନ ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ବିକ୍ରମଙ୍କ ଚିକିତ୍ସା ସମୟରେ ତାଙ୍କ ଘରଲୋକ ନିୟମିତ ରହିବା ପାଇଁ ଅନୁମତି ଦେବାକୁ ତାଙ୍କ ଓକିଲ ଆଉ ଏକ ପିଟିସନ୍ କରି କୋର୍ଟକୁ ଅନୁରୋଧ କରିଛନ୍ତି । କୋର୍ଟ ପକ୍ଷରୁ ଜେଲ୍‌ରୁ ରିପୋର୍ଟ ମଗାଯାଇଥିବାବେଳେ ଏ ନେଇ କିଛି ରାୟ ଆସିନଥିବା ଆଇନଜୀବୀ ପଟ୍ଟନାୟକ କହିଛନ୍ତି ।

ଆହୁରି ପଢ଼ନ୍ତୁ :- ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା, ୩୦ରୁ ଅଧିକ ଗ୍ରାମବାସୀ ଅଟକ, ଗାଁ ପୁରୁଷ ଶୂନ୍ୟ...