ଭଞ୍ଜନଗର, ୧୪/୦୨ : ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସାର୍ଦ୍ଦୁଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ରାତିରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବାନ୍ଧି ଗ୍ରାମବାସୀମାନେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ୩୦ ଜଣଙ୍କୁ ଅଟକ ରଖିଛି। ଗିରଫ ଭୟରେ ସାର୍ଦ୍ଦୁଳ ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି

ସୂଚନାନୁଯାୟୀ, ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦ୍ଦୁଳ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ବାଡେଇ ବାଡେଇ ଗୁରୁତର କରି ଦେଇଥିଲେ । ଶନିବାର ସକାଳ ୮ଟାରେ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା କୁରୁମୁଙ୍ଗିଆ ଗ୍ରାମର ବାଣଧର ପ୍ରଧାନ (୪୦ ବର୍ଷ) । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏବେ ସୁଦ୍ଧା ପୁଲିସ ୩୦ ଜଣଙ୍କୁ ଅଟକ ରଖିଛି। ପୁଲିସର ଏକ ଟିମ୍ ସାର୍ଦ୍ଦୁଳ ଗାଁରେ ପହଞ୍ଚି ବାକି ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରୁଛି। ଗିରଫ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି।

​​​​​​​

ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତିରେ ପ୍ରାୟ ୪ ଜଣ ଯୁବକ ସାର୍ଦ୍ଦୁଳ ଗ୍ରାମକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ କିଛି ଲୋକ ରାତିରେ ଉଠିପଡ଼ି ଉକ୍ତ ଯୁବକମାନେ ଚୋରି କରିବାକୁ ଆସିଥିବା ସନ୍ଦେହ କରି ସେମାନଙ୍କୁ ଗୋଡ଼ାଇଥିଲେ। ଏହାପରେ ଜଣଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ସକାଳେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଆହତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କ ଗୋଡ଼ ହାତ ଭାଙ୍ଗି ଯାଇଛି। ଏଥିସହ ଗୋଡ଼ ଓ ହାତର ଦୁଇଟି ନଖକୁ ଲୋକେ ଉପାଡ଼ି ଦେଇଛନ୍ତି। ଅସହ୍ୟ ଯନ୍ତ୍ରଣା ସହି ନପାରି ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି। 

ଏନେଇ ଏଏସପି ରଞ୍ଜନ କୁମାର ଦେ କହିଛନ୍ତି ଯେ, ଯୁବକଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହାର ତଦନ୍ତ ଚାଲିଛି। ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ। ଏହାପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏନେଇ ଜି ଉଦୟଗିରି ପୁଲିସ ଏବଂ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି।

ଏହି ଖବରଟିକୁ ପଢନ୍ତୁ- କୋଟିଆର ଔଷଧୀୟ ଚା’ କ୍ୟାମୋମାଇଲ୍‌ର ବଢୁଛି ଚାହିଦା, ଫୁଲରେ ରହିଛି ରୋଗ ଉପଶମ କ୍ଷମତା