ଗୁଣପୁର,୧୬/୧୧: ଆଜି ୮୪ ବର୍ଷରେ ପାଦ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଚାଙ୍ଗୁ ବାଦକ ଡ. ଗିରିଧର ଗମାଙ୍ଗ । ରାଜନୀତି ଜୀବନରେ ବି ଅର୍ଦ୍ଧଶତକ ପୂରଣ କରିଛନ୍ତି । ରାଜନୀତିରେ ସେ କିମ୍ବା ତାଙ୍କ ପରିବାରର ଆଉକେହି ଏବେ ସକ୍ରିୟ ନାହାନ୍ତି । ଶ୍ରୀ ଗମାଙ୍ଗ ନିଜେବି କୌଣସି ସାମାଜିକ ସଭାସମିତି କିମ୍ବା ଯାନିଯାତ୍ରାରେ ଆଗଭଳି ଦେଖାଯାଉ ନାହାନ୍ତି ।
କଂଗ୍ରେସର ଭେଟେରାନ୍ ନେତା ଭାବେ ପରିଚିତ ଶ୍ରୀ ଗମାଙ୍ଗ ଗତ କିଛିବର୍ଷ ମଧ୍ୟରେ ବିଜେପି, ବିଆର୍ଏସ ପରେ ପୁଣି କଂଗ୍ରେସକୁ ଫେରି ରାଜନୈତିକ ଅଳିନ୍ଦରେ ଅପ୍ରାସଙ୍ଗିକ ହୋଇଯାଇଥିଲେ ବି ଜଣେ ସରଳ ମଣିଷ ହୋଇଥିବାରୁ ଏବେ କେଉଁଠି ରହୁଛନ୍ତି, କ’ଣ କରୁଛନ୍ତି ଏବଂ କେମିତି ଅଛନ୍ତି-ଜାଣିବାକୁ ସାଧାରଣରେ ଉତ୍ସାହ ରହୁଛି । ଅନ୍ୟପକ୍ଷରେ ଗତ ୧୬ ବର୍ଷ ଧରି କ୍ଷମତା ବାହାରେ ଥିବା ଶ୍ରୀ ଗମାଙ୍ଗଙ୍କୁ ଏବର ଯୁବପିଢି ଜାଣିବାର ସୁଯୋଗ ମଧ୍ୟ ନାହିଁ । ଡ. ଗମାଙ୍ଗ ଡମ୍ବସରାରେ ଶିକ୍ଷକତା କରୁଥିବା ବେଳେ ୧୯୭୨ରେ କଂଗ୍ରେସ ରଜନୀତିରେ ଦାଦା ତଥା ପୂର୍ବତନ ମନ୍ତ୍ରୀ ଭାଭୀରଥି ଗାମଙ୍ଗ ତାଙ୍କୁ ସାମିଲ କରାଇଥିଲେ । ରାଜନୀତିରେ ପ୍ରବେଶ ପରେ ସେହିବର୍ଷ ପଞ୍ଚମ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ବିଜୟ ହାସଲ କରିଥିଲେ । ପରେ ପରେ ଲଗାତାର ୧୯୭୭, ୧୯୮୦, ୧୯୮୪, ୧୯୮୯, ୧୯୯୧, ୧୯୯୬, ୧୯୯୮ ଏବଂ ୨୦୦୪ ଲୋକସଭା ପ୍ରାର୍ଥୀ ହୋଇ ବିଜୟୀ ହେବା ସହ ରେକର୍ଡ ସୃଷ୍ଟି କରିଥିଲେ । ଏହି ସମୟ ମଧ୍ୟରେ ବହୁବାର କେନ୍ଦ୍ର ସରକାରଙ୍କ ବହୁ ଗୁତୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ହୋଇ ନିର୍ବିବାଦୀୟ ଭାବରେ ସେବା କରି ସୁନାମ ଅର୍ଜନ କରିଥିଲେ । ଆଦିବାସୀ ସୌରା ଜାତିରେ ଜନ୍ମ ହୋଇଥିବା ବେଳେ ସୌରା ଲିପି, ଚିତ୍ରକଳା, ଭାଷା ଓ ସଂସ୍କୃତିର ବିକାଶ ସହ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ବିକାଶ ପାଇଁ ନିରବଚ୍ଛିନ୍ନ ଭାବରେ ଉଦ୍ୟମ ଜାରି ରଖିଛନ୍ତି । ଜଣେ ବିଶିଷ୍ଟ ଚାଙ୍ଗୁ ବାଦକ ଭାବେ ସାରା ଦେଶରେ ସେ ବେଶ୍ ଜଣାଶୁଣା । ଚାଙ୍ଗୁ ପାଇଁ ଡକ୍ଟରେଟ୍ ଉପାଧି ହାସଲ କରିଛନ୍ତି । ଶ୍ରୀ ଗମାଙ୍ଗ କେନ୍ଦ୍ର ସରକାରଙ୍କ ପ୍ରଥମ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସାମାଜିକ ସୁରକ୍ଷା ପାଇଁ ନିର୍ଦ୍ଦିଷ୍ଟ ଭାବେ ପେସା ଆଇନ ଏବଂ ଏଟ୍ରୋସିଟି ଆକ୍ଟ ପ୍ରଣୟନ କରିଥିଲେ ।
୧୯୯୯ ଫେବ୍ରୁଆରୀ ୧୭ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । କଂଗ୍ରେସ ରାଜନୀତିରେ ଉଠାପକା ହେବା ଏବଂ ମାତ୍ର ଗୋଟିଏ ଭୋଟ୍ରେ ବାଜପେୟୀ ସରକାର ଭାଙ୍ଗିବା ଘଟଣାରେ ସେ ଚର୍ଚ୍ଚାକୁ ଆସିଥିଲେ । ପରବର୍ତ୍ତି ସମୟରେ ୨୦୧ ରେ କଂଗ୍ରେସ ଛାଡିଥିଲେ । ବିଜେପି ଓ ବିଆର୍ କିଛିବର୍ଷ ରହିବା ପରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ଫେରିଥିଲେ । ଇତିମଧ୍ୟରେ ନିଜ ଉତ୍ତରାଧିକାରୀ ତିଆରି କରିବାକୁ ଯାଇ ପୁଅ ଶିଶିର ଗମାଙ୍ଗଙ୍କୁ ଗୁଣପୁର ବିଧାନସଭାରୁ ଥରେ କଂଗ୍ରେସ ଟିକଟରେ ଏବଂ ଆଉଥରେ ବିଜେପି ଟିକଟରେ ନିର୍ବାଚନ ଲଢେଇ ବିଫଳ ହୋଇଥିଲେ । ଗତ ନିର୍ବାଚନରେ ମଧ୍ୟ ପୁଅ ପାଇଁ ପୁଣି କଂଗ୍ରେସ ଟିକଟ ଆଣିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଯାହା ତାଙ୍କ ଉତ୍ତରାଧିକାରୀ ବନେଇବା ଆଶା ଅପୂରା ରହିଯାଇଛି । ଜଣେ ନିର୍ବିବାଦୀୟ ଆଦିବାସୀ ନେତା ଭାବେ ସେ ପରିଚିତ । ଅତ୍ୟନ୍ତ ସାଧାରଣ ଚଳଣି ଓ ମେଳାପି ସ୍ୱାଭାବ ପାଇଁ କେତେକ ଗଣମାଧ୍ୟମ ତାଙ୍କୁ ଏଷ୍ଟିମେଟ୍ କରିପାରୁନାହାନ୍ତି ଓଲଟା ଅଣ୍ଡର ଏଷ୍ଟିମେଟ୍ କରୁଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି ଶ୍ରୀ ଗମାଙ୍ଗ । ଏଭଳି ହେବାକଥା ନୁହେଁ ବୋଲି ସେ ଭାବବିହ୍ୱଳ ହୋଇ କହିଛନ୍ତି । ଏବେ ସେ କିଛିଦିନ ଗୁଣପୁର ଅଞ୍ଚଳରେ ଅନ୍ତର୍ଝୁଲି ବାସଭବନ ଏବଂ ଆଉ କିଛିଦିନ ଭୁବନେଶ୍ୱର ଭଡାଘରେ ରହୁଥିବା ରହୁଛନ୍ତି ।