ପୁରୀ,୦୬/୦୮: ଶ୍ରୀମନ୍ଦିରରେ ଭିଡିଓ ଓ ଫଟୋ ଉଠାଇ ଭାଇରାଲ କରିବା ଏବଂ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଭଳି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ବଦଳିବ ଶ୍ରୀମନ୍ଦିର ପୁରୁଣା ଆଇନ । ଆହୁରି କଠୋର ହେବା ନିୟମ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ରେ ସଂଶୋଧନ ପାଇଁ ୪ ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି ।
ମଙ୍ଗଳବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ହୋଇଥିଲା । ବୈଠକ ପରେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ କହିଥିଲେ, ଶ୍ରୀମନ୍ଦିର ପରିସରରେ ଡ୍ରୋନ୍, ଚଷମା, ମୋବାଇଲ ବ୍ୟବହାର ସହିତ ଭିଡିଓ ଓ ଫଟୋ ଉଠାଇବା ଭଳି ନିଷିଦ୍ଧ ପ୍ରସଙ୍ଗ ଉପରେ ଭାବେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବର୍ତ୍ତମାନ ପ୍ରଚଳିତ ନିୟମ ମୁତାବକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇପାରୁନି । ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ଭିଡିଓ ଏବଂ ଫଟୋ ଉଠାଇବାର ଅଧିକାର କାହାରି ନାହିଁ । ଏବେ ବେଢ଼ା ଭିତରେ ଭିଡିଓ ପ୍ରଭୃତି ଉତ୍ତୋଳନ କଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି । ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଏହାକୁ ଉଲ୍ଲଂଘନ କରାଯାଉଛି ।
ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ରେ ଆବଶ୍ୟକ ସଂଶୋଧନ ଆଣିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏନେଇ ଆଗକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଆଲୋଚନା ହେବ । ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ୪ ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି ।
ପ୍ରଥମତଃ କୌଣସି ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ୍ ଜାଣତରେ ଶ୍ରୀମନ୍ଦିର ଭିତରେ ବ୍ୟବହାର କଲେ କଠୋର ଦଣ୍ଡବିଧାନ କରାଯିବ । ଏହି କ୍ଷେତ୍ରରେ ଜାମିନ୍ ଓ ଜାମିନ୍ ବିହୀନ ଅପରାଧକୁ ଗୁରୁତ୍ୱ ଦିଆଯିବ । କେଉଁ କୋର୍ଟ ଏହାର ବିଚାର କରିବେ ସେନେଇ ପ୍ରସ୍ତାବ ପ୍ରସ୍ତୁତ ହୋଇଛି ।
ଦ୍ୱିତୀୟତଃ କୌଣସି ହିସାବରେ ମହାପ୍ରଭୁଙ୍କ ସଂସ୍କୃତି ଗାରିମା ଜାଣତରେ କେହିବି କ୍ଷୁଣ୍ଣ କରିବେନି । ସୋସିଆଲ ମିଡିଆରେ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଭଳି କୌଣସି ପୋଷ୍ଟ କଲେ କଠୋର ଦଣ୍ଡବିଧାନ ହେବ । ଜାମିନ୍ ବିହୀନ ଗିରଫ ପରୱାନା ସହ ୭ ବର୍ଷ ପର୍ଯ୍ୟନ୍ତ ଜେଲ ୫୦ ହଜାର ଟଙ୍କା ଯାଏଁ ଜରିମାନା ପ୍ରସ୍ତାବ ରହିଛି । ତୃତୀୟତଃ ଅନଧିକୃତ ଭାବେ ଡ୍ରୋନ୍ ଶ୍ରୀମନ୍ଦିର ଭିତରେ ବା ଉପରେ ଉଡାଇଲେ କଠୋର ଦଣ୍ଡବିଧାନ ସହ ଜାମିନ୍ ବିହୀନ ଗିରଫ ପରୱାନା ପ୍ରସ୍ତାବ ଦିଆଯାଇଛି ।
ଚତୁର୍ଥରେ ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ କ୍ରମେ ଶ୍ରୀମନ୍ଦିର ଆଇନ୍ ଶ୍ରୀଜଗନ୍ନାଥ ମନ୍ଦିର ଆଇନ- ୧୯୫୫ର ଧାରା ୩୦(କ)ର ଉପଧାରା ୬ରୁ ୯ ପର୍ଯ୍ୟନ୍ତ ସଂଶୋଧନ ପାଇଁ ପ୍ରସ୍ତାବ ରହିଛି । ପ୍ରସ୍ତାବ ଅନୁସାରେ, ଶ୍ରୀମନ୍ଦିର ଭିତର ଫଟୋ କିମ୍ବା ଭିଡିଓ ଉତ୍ତୋଳନ ପାଇଁ ମୋବାଇଲ ତଥା କୌଣସି ଇଲେକ୍ଟ୍ରୋନିକ ଜିନିଷ ନେବା ପାଇଁ ୩ ବର୍ଷ କାରାଦଣ୍ଡ କିମ୍ବା ୨୦ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ବ୍ୟବସ୍ଥାର ପ୍ରସ୍ତାବ ରହିଛି ।
ଏହି ୪ ବିନ୍ଦୁ ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ, ସୁରକ୍ଷା ପ୍ରଶାସକ, ଶ୍ରୀଜଗନ୍ନାଥ ସ୍ୱତନ୍ତ୍ର ବାଟାଲିୟନ କମାଣ୍ଡାଣ୍ଟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।