ନୂଆଦିଲ୍ଲୀ: ଗୁଜୁରାଟର ଭରୁଚ ଜିଲ୍ଲାରେ ଏକ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କାରଖାନାରେ କାର୍ଯ୍ୟ କରୁଥିବା ୪ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି ଯେ, ମଙ୍ଗଳବାର ଅପରାହ୍ନରେ ଗୁଜୁରାଟର ଭରୁଚ ଜିଲ୍ଲାର ଅଙ୍କଲେଶ୍ୱର ଜିଡିସି ଅଞ୍ଚଳରେ ଥିବା ଏକ ଇଣ୍ଡଷ୍ଟ୍ରିଆଲ ୟୁନିଟର ଷ୍ଟୋରେଜ ଟ୍ୟାଙ୍କରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।
ଭରୁଚ ପୋଲିସ ଅଧୀକ୍ଷକ ମୟୂର ଚାଭଡା କହିଛନ୍ତି ଯେ, କର୍ମଚାରୀ ମାନେ ଷ୍ଟୋରେଜ ଟାଙ୍କି ଉପରେ କାମ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଅଙ୍କଲେଶ୍ୱର ଏସଡିଏମ ବିଏ ଜାଡେଜା କହିଛନ୍ତି ଯେ ଡେଟକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।