ପାଟନା, ୧୮।୩: ଆଜିକାଲି ସମୟରେ ବିଜୁଳି ବିଲ୍ ପ୍ରତିଟି ପରିବାର ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । ବିଶେଷ କରି ଗରିବ ପରିବାରଙ୍କ ପାଇଁ ମାସ ଶେଷରେ ଆସୁଥିବା ମୋଟା ଅଙ୍କର ବିଲ୍ ବଜେଟ୍ ବିଗାଡ଼ି ଦେଉଛି । ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏକ ବଡ଼ ଯୋଜନା ଆରମ୍ଭ ହୋଇଛି, ଯେଉଁଥିରେ ଘର ଛାତରେ ସମ୍ପୂର୍ଣ୍ଣ ମାଗଣାରେ ସୋଲାର ପ୍ୟାନେଲ୍ ଲଗାଇବାର ସୁଯୋଗ ମିଳୁଛି । କେଉଁ ରାଜ୍ୟରେ ଆରମ୍ଭ ହୋଇଛି ଏହି ଯୋଜନା ? ବିହାର ସରକାରଙ୍କ 'କୁଟୀର ଜ୍ୟୋତି ଯୋଜନା' ଅଧୀନରେ ବିପିଏଲ୍ ପରିବାରଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି । ଯେଉଁମାନଙ୍କ ପାଖରେ ସମ୍ବଳର ଅଭାବ ରହିଛି, ସେମାନଙ୍କ ପାଖରେ ଶସ୍ତା ଏବଂ ଭରସାଯୋଗ୍ୟ ବିଜୁଳି ପହଞ୍ଚାଇବା ଏହି ସ୍କିମ୍‌ର ମୁଖ୍ୟ ଉଦ୍ଦେଶ୍ୟ ।

ଏହା ବି ପଢ଼ନ୍ତୁ... ଇରାନ ଯୁଦ୍ଧର ନିଆଁରେ ଜଳୁଛି ରୋଷେଇ ଶାଳ, ଫିକା ପଡ଼ିବ କି ଇଦ୍‌ର ଖୁସି ?

ସୋଲାର ୟୁନିଟ୍‌ରେ କ’ଣ ରହିଛି ସୁବିଧା ?

ଯୋଗ୍ୟ ପରିବାରଙ୍କ ଛାତ ଉପରେ ୧ କିଲୋୱାଟ୍ ବିଶିଷ୍ଟ ଏକ ସୋଲାର ୟୁନିଟ୍ ଲଗାଯିବ । ଏହି ସିଷ୍ଟମରେ ୨ଟି ସୋଲାର ପ୍ୟାନେଲ୍ ରହିବ। ଏହା ମାଧ୍ୟମରେ ଆପଣ ଆରାମରେ ଘରର ପଙ୍ଖା, ବଲ୍ବ ଜଳାଇବା ସହ ମୋବାଇଲ୍ ଚାର୍ଜ ମଧ୍ୟ କରିପାରିବେ । ସୋଲାର ପ୍ୟାନେଲ୍ କିଣିବା ଠାରୁ ଆରମ୍ଭ କରି ଲଗାଇବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବିଜୁଳି କମ୍ପାନୀ ବହନ କରିବ । ହିତାଧିକାରୀଙ୍କୁ ନିଜ ପକେଟରୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ଆବେଦନ ପାଇଁ କ’ଣ ରହିଛି ସର୍ତ୍ତ ?

ଯଦିଓ ଏହି ସୁବିଧା ମାଗଣା, ତଥାପି ଏଥିପାଇଁ କିଛି ନିୟମ ରହିଛି । ଆବେଦନକାରୀଙ୍କ ଘରର ଛାତ ପକ୍କା ହୋଇଥିବା ଆବଶ୍ୟକ । ଛାତ ଉପରେ ସର୍ବନିମ୍ନ ୬୪ ବର୍ଗ ଫୁଟ୍ ଖାଲି ଜାଗା ଥିବା ଦରକାର । ଛାତ ଉପରେ ଯେପରି ଗଛ ବା ଅନ୍ୟ କୌଣସି ଜିନିଷର ଛାଇ ପଡ଼ୁନଥିବ, ଯାହାଫଳରେ ପ୍ୟାନେଲ୍କୁ ଭରପୂର ସୂର୍ଯ୍ୟକିରଣ ମିଳିପାରିବ । ପ୍ୟାନେଲ୍ ଲଗାଯିବା ପରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଉପଭୋକ୍ତାଙ୍କର ରହିବ । ପ୍ୟାନେଲ୍କୁ ନିୟମିତ ସଫା କରିବାକୁ ପଡ଼ିବ ଯେପରି ଧୂଳି ଜମି ବିଜୁଳି ଉତ୍ପାଦନରେ ବାଧା ସୃଷ୍ଟି ନହୁଏ ।