ନୂଆଦିଲ୍ଲୀ, ୧୮।୩: ସୀମାରେ ଯୁଦ୍ଧର ବାତାବରଣ ଏବେ ସାଧାରଣ ଜନତାଙ୍କ ରୋଷେଇ ଶାଳକୁ ନିଆଁ ଲଗାଇଛି । ଇରାନ-ହର୍ମୁଜ ସଙ୍କଟ ଯୋଗୁଁ ଦେଶରେ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ଏହାର ସିଧାସଳଖ ପ୍ରଭାବ ରମଜାନ ଓ ଆଗାମୀ ଇଦ୍ ଉତ୍ସବ ଉପରେ ପଡ଼ିଛି । ମାତ୍ର କିଛି ଦିନ ମଧ୍ୟରେ ଗ୍ୟାସ୍ ସିଲିଣ୍ଡର ଦର ୧୬୦୦ ଟଙ୍କାରୁ ବୃଦ୍ଧି ପାଇ ୪୦୦୦ ଟଙ୍କାରେ ପହଞ୍ଚିବା ଖାଦ୍ୟ ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଦିଲ୍ଲୀର ପ୍ରସିଦ୍ଧ ଜାକିର ନଗର ଗଳି, ଯାହା ରମଜାନ ସମୟରେ ବିଳମ୍ବିତ ରାତି ଯାଏଁ ଚଳଚଞ୍ଚଳ ରହେ, ସେଠାରେ ଏବେ ନିରାଶାର ଚିତ୍ର ଦେଖିବାକୁ ମିଳୁଛି । 'ମିଣ୍ଟ'ର ରିପୋର୍ଟ ଅନୁଯାୟୀ, ଯେଉଁ କମର୍ସିଆଲ୍ ସିଲିଣ୍ଡର ପୂର୍ବରୁ ୧୬୦୦-୧୮୦୦ ଟଙ୍କାରେ ମିଳୁଥିଲା, ତାହା ଏବେ କଳାବଜାରୀ ଯୋଗୁଁ ୩୫୦୦ରୁ ୪୦୦୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଅନେକ ଛୋଟ ଦୋକାନୀ ନିଜ ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ... ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ': ଯୁଦ୍ଧକ୍ଷେତ୍ରରୁ ୮୦ ହଜାର ଟନ୍ ତେଲ ଧରି ସୁରକ୍ଷିତ ଫେରିଲା ଭାରତୀୟ ଟ୍ୟାଙ୍କର
ମେନୁରୁ ଗାୟବ ହେଉଛି ବିରିୟାନୀ ଓ କବାବ୍:
ଗ୍ୟାସ୍ ଦର ବଢ଼ିବା ଯୋଗୁଁ ରେଷ୍ଟୁରାଣ୍ଟ ଓ ଖାଦ୍ୟ ଷ୍ଟଲ୍ ମାଲିକମାନେ ନିଜ ମେନୁରେ କାଟଛାଣ୍ଟ କରୁଛନ୍ତି । ବିରିୟାନୀ, କୋର୍ମା ଏବଂ କବାବ୍ ଭଳି ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ଅଧିକ ଗ୍ୟାସ୍ ଖର୍ଚ୍ଚ ହେଉଥିବାରୁ ଅନେକ ଦୋକାନୀ ଏହାକୁ ବନ୍ଦ କରିଦେଇଛନ୍ତି । ଗ୍ୟାସ୍ ବଦଳରେ କେତେକ ସ୍ଥାନରେ କୋଇଲା କିମ୍ବା ବିଦ୍ୟୁତର ବ୍ୟବହାର କରାଯାଉଛି, ଯାହା ଫଳରେ ଖାଦ୍ୟର ପ୍ରାକୃତିକ ସ୍ୱାଦ ପ୍ରଭାବିତ ହେଉଛି । ଏହି ସଙ୍କଟ କେବଳ ଦିଲ୍ଲୀରେ ସୀମିତ ନାହିଁ । ଲକ୍ଷ୍ନୌ ଭଳି ସହରରେ ମଧ୍ୟ ବଡ଼ ବଡ଼ ହୋଟେଲ ମାଲିକମାନେ ଗ୍ୟାସ୍ ସଙ୍କଟ ଯୋଗୁଁ ଚିନ୍ତାରେ ଅଛନ୍ତି । ବ୍ୟବସାୟ କମିବା ସହ ସେଠାରେ କାମ କରୁଥିବା ଶ୍ରମିକଙ୍କ ଜୀବିକା ଉପରେ ମଧ୍ୟ ବିପଦ ସୃଷ୍ଟି ହୋଇଛି ।
"ଉତ୍ସବ ସମୟରେ ଆମେ ଦୁଇ ପଇସା ରୋଜଗାର ଆଶା କରିଥାଉ, କିନ୍ତୁ ଏବେ ସିଲିଣ୍ଡର ପିଛା ୪୦୦୦ ଟଙ୍କା ଦେବା ପରେ ଆମ ପାଖରେ କିଛି ବଞ୍ଚୁନାହିଁ । ଗ୍ରାହକମାନେ ମଧ୍ୟ ବର୍ଦ୍ଧିତ ଦର ଶୁଣି ଫେରିଯାଉଛନ୍ତି ।" ବୋଲି କିଛି ଦୋକାନୀ କହିଛନ୍ତି । ଇଦ୍ ଭଳି ଏକ ବଡ଼ ପର୍ବ ପୂର୍ବରୁ ଗ୍ୟାସ୍ ଦରର ଏହି ଅହେତୁକ ବୃଦ୍ଧି ସାଧାରଣ ମୁସଲିମ୍ ଭାଇଭଉଣୀଙ୍କ ଖୁସିରେ ବାଧା ସୃଷ୍ଟି କରିଛି । ଯଦି ସରକାର ଶୀଘ୍ର ଏହି କଳାବଜାରୀ ଉପରେ ରୋକ୍ ନଲଗାନ୍ତି, ତେବେ ଚଳିତ ବର୍ଷ ଇଦ୍ର ଚମକ ଫିକା ପଡ଼ିବା ନିଶ୍ଚିତ ।