ପ୍ୟାରିସ୍,୨୬/୦୫: ରବିବାରଠୁ ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍ ଓପନ । ପ୍ରଥମ ଦିବସରେ କୌଣସି ବିପର୍ଯ୍ୟୟ ଘଟିନଥିବାବେଳେ ତାରକା ଖେଳାଳିମାନେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ବିଶ୍ୱର ଏକ ନମ୍ବର ଖେଳାଳି ବେଲାରୁଷର ଅର୍ନ୍ୟା ସାବାଲେଙ୍କା ସିଧାସଳଖ ୬-୧, ୬-୦ ସେଟ୍ରେ ରୁଷିଆର କାମିଲା ରଖିମୋଭାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ତାଙ୍କୁ ୧ଘଣ୍ଟା ଲାଗିଥିଲା ।
ଅନ୍ୟ ମ୍ୟାଚ୍ରେ ୧୩ତମ ସିଡ୍ ୟୁକ୍ରେନର ଏଲେନା ସ୍ୱିତୋଲିନା ୬-୧, ୬-୧ରେ ତୁର୍କୀର ଜିନେପ ସୋନମେଜଙ୍କୁ ହରାଇଥିବାବେଳେ ଅଷ୍ଟମ ସିଡ୍ ଚୀନର କ୍ୱିନୱେନ ଝେଙ୍ଗ୍ ୬-୪, ୬-୩ରେ ଆନାସ୍ତାସିଆ ପାବ୍ଲ୍ୟୁଚେନକୋଭାଙ୍କୁ, ୧୧ତମ ସିଡ୍ ଡାଏନା ସ୍ନାଇଡର ୭-୬ (୭-୩), ୬-୨ରେ ୟୁକ୍ରେନର ଆନାସ୍ତାସିଆ ସୋବୋଲିଭାଙ୍କୁ, ୟୁକ୍ରେନର ଡାଏନା ୟେସ୍ତ୍ରମସ୍କା ୭-୫, ୬-୧ରେ ଅଷ୍ଟ୍ରେଲିଆର ଡି. ଆଇଭାଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।
ପୁରୁଷ ବର୍ଗରେ ଅଷ୍ଟମ ସିଡ୍ ଇଟାଲୀର ଲରେଞ୍ଜୋ ମୁସେଟ୍ଟି ୭-୫, ୬-୨, ୬-୦ରେ ଜର୍ମାନୀର ୟାନିକ ହଫ୍ମାନଙ୍କୁ ହରାଇଥିଲେ । ଅନ୍ୟ ମ୍ୟାଚ୍ରେ ୧୨ତମ ସିଡ୍ ଟମି ପଲ ୬-୭ (୫-୭), ୬-୨, ୬-୩, ୬-୧ରେ ଡେନମାର୍କର ଏଲ୍ମର ମୋଲରଙ୍କୁ, ସ୍ପେନର ପାବ୍ଲୋ କାରେନୋ-ବୁଷ୍ଟା ୬-୩, ୭-୬ (୭-୩), ୭-୫ରେ ଆର୍ଜେଣ୍ଟିନାର ଫ୍ରାନ୍ସିସ୍କୋ କମେସାନାଙ୍କୁ ପରାଜିତ କରି ଅଭିଯାନ ଆରମ୍ଭ କରିଛନ୍ତି ।