ପ୍ୟାରିସ୍‌,୨୬/୦୫: ରବିବାରଠୁ ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍‌ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‌ ଓପନ । ପ୍ରଥମ ଦିବସରେ କୌଣସି ବିପର୍ଯ୍ୟୟ ଘଟିନଥିବାବେଳେ ତାରକା ଖେଳାଳିମାନେ  ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ବିଶ୍ୱର ଏକ ନମ୍ବର ଖେଳାଳି ବେଲାରୁଷର ଅର୍ନ୍ୟା ସାବାଲେଙ୍କା  ସିଧାସଳଖ ୬-୧, ୬-୦ ସେଟ୍‌ରେ ରୁଷିଆର କାମିଲା  ରଖିମୋଭାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା  ପାଇଁ ତାଙ୍କୁ ୧ଘଣ୍ଟା ଲାଗିଥିଲା । 

ଅନ୍ୟ ମ୍ୟାଚ୍‌ରେ ୧୩ତମ ସିଡ୍‌ ୟୁକ୍ରେନର ଏଲେନା ସ୍ୱିତୋଲିନା  ୬-୧, ୬-୧ରେ ତୁର୍କୀର  ଜିନେପ ସୋନମେଜଙ୍କୁ  ହରାଇଥିବାବେଳେ ଅଷ୍ଟମ ସିଡ୍‌ ଚୀନର  କ୍ୱିନୱେନ ଝେଙ୍ଗ୍‌ ୬-୪, ୬-୩ରେ ଆନାସ୍ତାସିଆ  ପାବ୍ଲ୍ୟୁଚେନକୋଭାଙ୍କୁ, ୧୧ତମ ସିଡ୍‌ ଡାଏନା ସ୍ନାଇଡର  ୭-୬ (୭-୩), ୬-୨ରେ ୟୁକ୍ରେନର ଆନାସ୍ତାସିଆ  ସୋବୋଲିଭାଙ୍କୁ, ୟୁକ୍ରେନର ଡାଏନା ୟେସ୍ତ୍ରମସ୍କା  ୭-୫, ୬-୧ରେ ଅଷ୍ଟ୍ରେଲିଆର ଡି. ଆଇଭାଙ୍କୁ  ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । 

ପୁରୁଷ ବର୍ଗରେ ଅଷ୍ଟମ ସିଡ୍‌ ଇଟାଲୀର  ଲରେଞ୍ଜୋ ମୁସେଟ୍ଟି ୭-୫, ୬-୨, ୬-୦ରେ  ଜର୍ମାନୀର ୟାନିକ ହଫ୍‌ମାନଙ୍କୁ ହରାଇଥିଲେ ।  ଅନ୍ୟ ମ୍ୟାଚ୍‌ରେ ୧୨ତମ ସିଡ୍‌ ଟମି ପଲ ୬-୭  (୫-୭), ୬-୨, ୬-୩, ୬-୧ରେ ଡେନମାର୍କର  ଏଲ୍ମର ମୋଲରଙ୍କୁ, ସ୍ପେନର ପାବ୍‌ଲୋ କାରେନୋ-ବୁଷ୍ଟା ୬-୩, ୭-୬ (୭-୩),  ୭-୫ରେ ଆର୍ଜେଣ୍ଟିନାର ଫ୍ରାନ୍ସିସ୍କୋ କମେସାନାଙ୍କୁ  ପରାଜିତ କରି ଅଭିଯାନ ଆରମ୍ଭ କରିଛନ୍ତି ।