ସବୁଆଡ଼େ ପିଁ ପାଁ । ବିଜୁଳି ବେଗରେ ଗଡ଼ୁଛି ଗାଡ଼ି । ଅଣାୟତ୍ତ ଟ୍ରାଫିକ । ଧୂଆଁ ଧୂଳିରେ ରୁନ୍ଧି ହୋଇଯାଉଛି ଜୀବନ । ଏମିତି ଭିଡ଼ ଭିତରେ ସଂଘର୍ଷ କରୁଛି ପେଡାଲ । ଧୀରେ ଧୀରେ ଆଗକୁ ଗଡୁଛି ସାଇକଲ । କାହା ପାଇଁ ଇଏ ଫିଟ୍ନେସ୍ ଟ୍ରେଣ୍ଡ ତ କାହା ପାଇଁ ଚିର ସାଥୀ । କିଏ ଲକ୍ଷେ ଟଙ୍କିଆ ସ୍ମାର୍ଟ ଗିୟର ସାଇକଲ୍ରେ ସରସର ଗଡ଼ି ଯାଉଛି, ପୁଣି ଆଉ କିଏ କେଁ କାଁ ପେଡାଲ ଶବ୍ଦରେ ୨୨ ଇଞ୍ଚିଆ ସାଇକଲ ଜୀବନ ଯାତ୍ରାରେ ଆଗକୁ ବଢ଼ୁଛି । ସଂଖ୍ୟା କମିଛି, ଟ୍ରେଣ୍ଡ ବଦଳୁଛି । ତଥାପି ହଜିନି ଟ୍ରିଂ ଟ୍ରିଂ ... କ୍ରିଂ କ୍ରିଂ...
ପ୍ରସ୍ତୁତି: ଅନିଲ, ଅମନ ସତ୍ୟଜିତ୍, ଚାନ୍ଦିନୀ ଓ ସ୍ମୃତି
ବଦଳୁଛି ରୂପ, ସାଇକଲରୁ ଗିଅର ବାଇସାଇକଲ
ଡାକ ପିଅନ ଓ ସ୍କୁଲ ଶିକ୍ଷକଙ୍କଠାରୁ ସମସ୍ତଙ୍କର ବାହନ ଥିଲା ସାଇକଲ । ରାତିରେ ରାସ୍ତା ଦିଶିବା ପାଇଁ ସାଇକଲରେ ଲାଗୁଥିଲା ଡାଇନାମୋ(ଲାଇଟ୍) । ସାଇକଲର ଘଣ୍ଟି୍ ବାଜିଲେ କେହି ଜଣେ ଘରକୁ ଆସିଲା ବୋଲି ଭାବିନିଆଯାଉଥିଲା । ଏପରିକି ରାସ୍ତାରେ ସାଇକଲ ଚଲାଇବା ପାଇଁ ଟିକସ ଦେବାକୁ ପଡ଼ୁଥିଲା । ପରବର୍ତ୍ତୀ ସମୟରେ ସବୁ ବର୍ଗର ଲୋକେ ସାଇକଲ ଚଲାଇଲେ । ସରକାର ମଧ୍ୟ ଛାତ୍ରଛାତ୍ରୀଙ୍କୁ ସାଇକଲ ଯୋଗାଇଲେ । ଏବେ ସମୟ ବଦଳିଛି । ଆଉ ସେହି ପୁରୁଣା ସାଇକଲ ନୁହେଁ ରାସ୍ତାରେ ଗଡ଼ୁଛି ବିଭିନ୍ନ ଡିଜାଇନ୍ର ଷ୍ଟାଇଲିସ୍ ବାଇସାଇକଲ । ରାଜଧାନୀରେ ଏବେ ଚାରି ପ୍ରକାରର ସାଇକଲ ଚାଲୁଛି । ସେଥିମଧ୍ୟରେ ସିଟି ବାଇକ ସାଇକଲ, ମାଉଣ୍ଟେନ ବାଇକ୍ ସାଇକଲ, ରୋଡ୍ ବାଇକ୍ ସାଇକଲ ସହ ବିଦ୍ୟୁତ ଓ ବ୍ୟାଟେରୀ ଚାଳିତ ଇ-ସାଇକଲ ରହିଛି । ପୂର୍ବରୁ ସାଇକଲର ଦର ୪ରୁ ୭ହଜାର ମଧ୍ୟରେ ଥିବା ବେଳେ ଏବେ ୧୦ହଜାରରୁ ନେଇ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାଇକଲ ବିକ୍ରି ହେଉଛି । ସବୁ ବର୍ଗର ଲୋକେ ଏହି ସାଇକଲ ଚଲାଉଛନ୍ତି । ସାଇକଲରେ ଗିଅର ରହୁଛି । କିଏ ଫିଟ୍ନେସ୍ ତ କିଏ ଆକର୍ଷଣୀୟ ଦିଶିବା ପାଇଁ ସାଇକଲକୁ ଫେସନର୍ ଏକ ଅଂଶ ଭାବେ ଗ୍ରହଣ କରିଛନ୍ତି । ସିଟି ବାଇକ୍ ସାଇକଲ କେବଳ ସହର ଭିତରେ ଚାଲିବ । ଏହାର ଦର ୧୦ହଜାରରୁ ଆରମ୍ଭ କରି ୨୦ହଜାର ପର୍ଯ୍ୟନ୍ତ ରହିଛି । ରୋଡ୍ ବାଇକ୍ ସାଇକେଲକୁ ଲୋକେ ଦୂରଦୂରାନ୍ତରକୁ ଭ୍ରମଣରେ ନେଉଛନ୍ତି । ଏହାର ଦର ୫୦ହଜାରରୁ ଆରମ୍ଭ ହେଉଛି । ମାଉଣ୍ଟେନ ସାଇକଲ ସବୁ ରାସ୍ତାରେ ଚାଲିପାରୁଛି । ଏହି ସାଇକଲର ଦର ୧୦ହଜାରରୁ ନେଇ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଛି । ଇ-ସାଇକଲକୁ ଅଫିସ ଓ କର୍ମକ୍ଷେତ୍ର ପାଇଁ ବ୍ୟବହାର କରାଯାଉଛି । ଏଥିରେ ପେଡାଲ ସହ ଅଟୋମେଟିକ୍ ଷ୍ଟାର୍ଟିଂ ବ୍ୟବସ୍ଥା ମଧ୍ୟ ରହିଛି । ଡାଇନାମୋ ବଦଳରେ ଏଲ୍ଇଡି ଲାଇଟ୍ ଏହି ସାଇକଲରେ ଲାଗୁଛି । ସାଇକଲ ଚୋଳକ ହେଲମେଟ୍ ମଧ୍ୟ ପିନ୍ଧୁଛନ୍ତି । ଏବେ ସାଇକଲ୍ ଇଞ୍ଚ ନୁହେଁ ବରଂ ସେଣ୍ଟିମିଟରରେ ଉଚ୍ଚତା ମପାଯାଉଛି ।
ସାଇକଲ ଗଡ଼ିବ କେଉଁଠି?
ପ୍ରତିଦିନ କେଉଁଠି ନା କେଉଁଠି ରାସ୍ତାରେ ଯାଉଥିବା ସାଇକଲ ଆରୋହୀଙ୍କ ଜୀବନ ଯାଉଛି । ସବୁଠୁ ଅଧିକ ବିପଜ୍ଜନକ ପାଲଟିଛି ରାଜଧାନୀର ରାସ୍ତା । ଗାଡ଼ିମଟରର ଗହଳି ଓ ବେପରୁଆ ଚାଳନାରେ ସାଇକଲ ଆରୋହୀ ରୁନ୍ଧି ହୋଇଯାଉଛି । ସବୁ ରାସ୍ତା କଡ଼ରେ ଉତ୍ସର୍ଗୀକୃତ ସାଇକଲ ଟ୍ରାକ୍ ପାଇଁ ୨୦୦୫ରେ ଭୁବନେଶ୍ୱରରେ ହୋଇଥିବା ଇଣ୍ଡିଆନ ରୋଡସ୍ କଂଗ୍ରେସ(ଆଇଆରସି)ରେ ଏଭଳି ପ୍ରସ୍ତାବ ଉପରେ ସରକାର ମୋହର ମାରିଥିଲେ । ପୂର୍ତ୍ତ ବିଭାଗ, ବିଏମ୍ସି ଓ ବିଡିଏ ମିଶି ସବୁ ରାସ୍ତାରେ ସ୍ୱତନ୍ତ୍ର ସାଇକଲ ଟ୍ରାକ୍ କରିବାକୁ ଯୋଜନା କରିଥିଲେ । ପରେ ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ଛକ ଓ ରାଜଭବନ ଛକ ଦେଇ ନନ୍ଦନକାନନ ଯାଏ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍ ତିଆରି ହୋଇଥିଲା । ପଟେଲ ମାର୍ଗ(ରେଡକ୍ରସ୍ ସାମ୍ନା ରାସ୍ତା)ରେ ମଧ୍ୟ ସ୍ୱତନ୍ତ୍ର ସାଇକଲ କରିଡର ରଖାଯାଇଥିଲା । ଉଦ୍ବେଗର କଥା ହେଉଛି, ବିମାନବନ୍ଦର ଛକରୁ ନନ୍ଦନକାନନ ଯାଏ ଥିବା ସାଇକେଲ ଟ୍ରାକ୍କୁ ଖୋଳିତାଡ଼ି ନଷ୍ଟ କରାଗଲା । କେଉଁଠି ଡ୍ରେନ୍ରୁ ସ୍ଲାବ୍ ଭାଙ୍ଗିଗଲା ତ’ ଆଉ କେଉଁଠି ୟୁଟିଲିଟି କେବଲ ବିଛାଇବା ନାଁରେ ତାକୁ ଖୋଳି ଦିଆଗଲା । ରାସ୍ତା ମଝିରେ ବୋଲାଡସ୍ ଦେଇ ଅବରୋଧ କରାଗଲା । ରାଜଧାନୀର ସବୁ ମୁଖ୍ୟ ରାସ୍ତାର କିଛି ଅଂଶକୁ ନାଲି ରଙ୍ଗ ବୋଳି ସାଇକେଲ ଟ୍ରାକ୍ର ରୂପ ଦିଆଗଲା । କିନ୍ତୁ ଏହା ଅବରୋଧମୁକ୍ତ ହେଲାନି । କିଛି ଆଣି ତା ଉପରେ ଗାଡ଼ି ପାର୍କିଂ କଲେ । କେଉଁଠି ଟ୍ରାକ୍କୁ ମାଡ଼ି ଉଠାଦୋକାନ ଛିଡ଼ା ହୋଇଗଲା । ରାସ୍ତାକୁ ଲାଗି ସାଇକେଲ ଟ୍ରାକ୍ ଯାଇଥିବାରୁ ତା’ ଉପରେ ଦୁଇ ଚକିଆ, ଚାରି ଚକିଆ ଗାଡ଼ି ଚାଲିଲା । ସାଇକେଲ ଆରୋହୀ ଦୁର୍ଘଟଣାର ଶିକାର ହେଲା ନଚେତ୍ ଭୟରେ ରାସ୍ତାରୁ ଦୂରେଇ ଗଲେ । ରାଜଧାନୀର ସବୁ ରାସ୍ତାର ଏଭଳି ଚିତ୍ର । କେବଳ ଦ୍ରୁତ ଗତି ନୁହେଁ, ବହୁ ସ୍ଥାନରେ ରଙ୍ଗରୁଟ୍ରେ ଗାଡ଼ି ଆସୁଥିବାରୁ ସାଇକଲ ଆରୋହୀ ପାଇଁ ବିପଦ ପାଲଟୁଛି । ଏପରିକି ଟ୍ରାଫିକ ଛକରେ ସାଇକଲ ଧରି ଛିଡ଼ା ହେବା ଓ ଗାଡ଼ିର ଭିଡ଼ ଡେଇଁ ରାସ୍ତା ପାର୍ ହେବାକୁ ନାକେଦମ ହେବାକୁ ପଡୁଛି । କେବଳ ଅସୁରକ୍ଷିତ ଭାବନା କାରଣରୁ ସାଇକଲ ନେଇ ସ୍କୁଲ ଯାଉଥିବା ଅନେକ ଛୋଟ ପିଲାଙ୍କୁ ସେମାନଙ୍କ ଅଭିଭାବକ ଛାଡ଼ିବାକୁ ଭୟ କରୁଛନ୍ତି । ରାଜଧାନୀର ୧୦୦ କିମି ରାସ୍ତାରେ ସ୍ମାର୍ଟ ଫୁଟପାଥ୍ ଓ ସାଇକଲ ଟ୍ରାକ୍ ରଖିବାକୁ ବିଡିଏ ୨୦୨୩ରେ ଯୋଜନା କରିଥିଲା । ସହରରେ ତିଆରି ହେଉଥିବା ସବୁ ନୂଆ ରାସ୍ତା କଡ଼ରେ ସାଇକଲ ପାଇଁ ସ୍ୱତନ୍ତ୍ର କରିଡର ରଖୁଛୁ ବୋଲି ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ(ରାସ୍ତା) କହିଛନ୍ତି । ନୂଆ କରି ତିଆରି ହୋଇଥିବା ବାମପାର୍ଶ୍ୱ ସମାନ୍ତରାଳ ରାସ୍ତାରେ ଏହି ବ୍ୟବସ୍ଥା ଅଛି ବୋଲି ସେ କହିଛନ୍ତି ।
ଅରକ୍ଷିତଙ୍କ ବଳ ସାଇକଲ
‘କ୍ରିଂ..କ୍ରି..., ମୁଢ଼ି ନେବେ ମୁଢ଼ି... ଡାକ ଶୁଣି ପ୍ଲାଷ୍ଟିକ୍ ଡବା ଓ ଥଳି ଧରି ଚାଲିଆସନ୍ତି ମହିଳା । କୁହନ୍ତି, ‘ମଉସା ମୁଢ଼ି ଦେଉନ’ । ସାଇକଲକୁ କେଉଁଠି ଡେରି ଦେଇ ମୁଢ଼ି ଥଳିକୁ ବାହାର କରି ଡବାରେ ମାପି ଦିଅନ୍ତି । ଆଜି କି କାଲି ନୁହେଁ, ଦୀର୍ଘ ୪୦ବର୍ଷ ହେଲାଣି ସାଇକଲରେ ମୁଢି ଥଳି ଧରି ବୁଲୁଛନ୍ତି ଅରକ୍ଷିତ ପୃଷ୍ଟି । ବୟସ ୭୦ । ଭୁବନେଶ୍ୱର ଉପକଣ୍ଠ ପାଇକରାପୁର ଗାଁରେ ଅରକ୍ଷିତଙ୍କ ଘର । ୨୦ବର୍ଷ ତଳେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ଗୋଟିଏ ଗୋଡ଼ର ଆକାର ଅସ୍ୱାଭାବିକ ଭାବରେ ଫୁଲିଯାଇଛି । ତଥାପି ସେ ଏ ଅବସ୍ଥାରେ ସାଇକଲ ଚଲାଇ ଖରା, ବର୍ଷା, ଶୀତକୁ ଖାତିର ନକରି ବେପାର କରୁଛନ୍ତି । ଦୈନିକ ସେ ପାଇକରାପୁରରୁ ସାଇକଲରେ ଭୁବନେଶ୍ୱର ୟୁନିଟ-୮ ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଢ଼ି ବିକ୍ରି କରି ଘରକୁ ଫେରୁଛନ୍ତି । ୪୦କିଲୋ ମୁଢ଼ି ସେ ସାଇକଲରେ ଲଦି ବେପାର କରୁଛନ୍ତି । ଆସୁଛନ୍ତି । ମୁଢି ବେପାରରେ ସେ ଘର ଚଳାଉଛନ୍ତି । ଘରେ କେବଳ ସ୍ତ୍ରୀ । ଝିଅମାନେ ବାହାହୋଇ ଗଲେଣି । ବଞ୍ଚିବା ପାଇଁ ଏ ବୟସରେ ତାଙ୍କୁ ସାଇକଲ୍ରେ ମୁଢ଼ି ବିକିବାକୁ ପଡ଼ୁଛି ବୋଲି ସେ କୁହନ୍ତି । ସାଇକଲ ପ୍ରତି ତାଙ୍କର ସ୍ନେହ ଅନେକ । ୫୦ବର୍ଷ ତଳେ ସେ ସାଇକଲ କିଣିଥିଲେ । ଯାହା ଆଜି ପର୍ଯ୍ୟନ୍ତ ତାଙ୍କ ସହ ରହିଛି । ପକ୍ଷାଘାତ ଯୋଗୁ ସେ ଅଧିକ ବାଟ ଚାଲିପାରୁନଥିବାରୁ ସାଇକଲରେ ସେ ବୁଲୁଛନ୍ତି । ସାଇକଲ ହିଁ ତାଙ୍କ ବଳ ବୋଲି ସେ କୁହନ୍ତି ।
ପ୍ରତିଦିନ ସାଇକଲରେ ୩୦ କିମି
ପ୍ରତିଦିନ ୩୦ କି.ମି ସାଇକଲ ଚଳାଇ ଘର ଘର ବୁଲି କ୍ଷୀର ବିକ୍ରି କରନ୍ତି । ତାଙ୍କ ପରିବାର ଭରଣ ପୋଷଣର ଏକମାତ୍ର ସାହାରା ହେଉଛି ସାଇକଲ । ଏଭଳି ବ୍ୟକ୍ତି ହେଉଛନ୍ତି ବାବୁଲି ବେହେରା । ବୟସ ୬୪ ବର୍ଷ ଛୁଇଁଲାଣି । ନିଆଳି ନିକଟ ଅଳତଳଙ୍ଗ ତାଙ୍କ ଜନ୍ମ ସ୍ଥାନ । ଏବେ ଶୈଳଶ୍ରୀ ବିହାରରେ ରହୁଛନ୍ତି । ଗୋପାଳ ହୋଇଥିବାରୁ ପେଷା ହେଉଛି କ୍ଷୀର ବେପାର । ପ୍ରତିଦିନ ସାଇକେଲରେ ଶୈଳଶ୍ରୀ ବିହାରରୁ ଆଖପାଖ ଅଞ୍ଚଳ ବୁଲି କ୍ଷୀର ଦିଅନ୍ତି । ଘର ପାଇଁ ସଉଦା, ବନ୍ଧୁବାନ୍ଧବ ଘରକୁ ଯିବା ଏବଂ ଗାଈଙ୍କ ପାଇଁ ୫୦ ଦାନା ବସ୍ତା ଆଣିବା କାମ ବି ସେ ସାଇକଲରେ କରନ୍ତି । ତାଙ୍କର ଏକମାତ୍ର ସାହାରା ସାଇକଲ । ୮ ବର୍ଷ ବୟସରୁ ସେ ସାଇକଲ ଗଡେଇ ୧୦ ବର୍ଷରେ ଚଲାଇବା ଆରମ୍ଭ କରିଥିଲେ । ଯୌତୁକରେ ବି ତାଙ୍କୁ ରାଲେ ସାଇକଲ ମିଳିଥିଲା । ତାକୁ ଧରି ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱରରୁ ସେ ଅନେକ ଥର ସାଇକଲରେ ଜଗତସିଂହପୁର ଯିବାଆସିବା କରିଛନ୍ତି । ଏବେ ଘରେ ଗୋଟେ ବାଇକ୍ ଅଛି ପିଲାମାନେ ତାକୁ ଚଳାଉଛନ୍ତି । ସାଇକଲ ଚଳାଉଛି ବୋଲି ମୁଁ ସୁସ୍ଥ ଅଛି ବୋଲି ସେ କୁହନ୍ତି ।