ନିକଟରେ ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଥିଲା ଏକ ୩-୪ ବର୍ଷର ଯୁବ ଅଣ୍ଡିରା ବାଘର କାହାଣୀ, ଯିଏ ପ୍ରାୟ ୧୫୦୦ କି.ମି. ପଥ ଅତିକ୍ରମ କରି ମହାରାଷ୍ଟ୍ରରୁ ଆସି ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଛି । ଜଣେ ଯୁବ ବାଘ ଏତେଦୂର କାହିଁକି ଏବଂ କେମିତି ଆସିଲା, ତାହା ବୁଝିବା ପାଇଁ ବାଘର ପ୍ରକୃତି, ଅଭ୍ୟାସ ଏବଂ ବାସସ୍ଥାନ ସମ୍ପର୍କରେ ଜାଣିବା ଜରୁରି । ବାଘଛୁଆମାନେ ଜନ୍ମରୁ ପ୍ରାୟ ଦୁଇରୁ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ମା' ସହିତ ରହନ୍ତି । ଏହି ସମୟ ମଧ୍ୟରେ ସେମାନେ ଶିକାର କରିବାର ସମସ୍ତ କୌଶଳ ଶିଖିଥାନ୍ତି: ପ୍ରଥମେ ମା' ବାଘୁଣୀ ଶିକାର ମାରି ଛୁଆଙ୍କ ପାଖକୁ ଆଣିଥାଏ । ପରବର୍ତ୍ତୀ ସମୟରେ ଛୁଆମାନେ ମା' ସହ ମିଶି ଶିକାର କରନ୍ତି । ବେଳେବେଳେ ମା' ଶିକାରକୁ ଅଧା ମାରି ଛୁଆଙ୍କୁ ବାକି ଅଂଶ ସମ୍ପୂର୍ଣ୍ଣ କରିବାକୁ ଦାୟିତ୍ୱ ଦିଏ, ଯାହାଦ୍ୱାରା ସେମାନେ ସ୍ୱାଧୀନ ଭାବେ ଶିକାର କରିବାକୁ ସକ୍ଷମ ହୁଅନ୍ତି । ଯେତେବେଳେ ଏକ ବାଘ ପ୍ରାୟ ୨୪ମାସର ହୋଇଯାଏ ଏବଂ ନିଜେ ଶିକାର କରିବାରେ ଦକ୍ଷ ହୁଏ, ସେତେବେଳେ ମା' ବାଘୁଣୀ ତାକୁ ନିଜଠାରୁ ଦୂରେଇ ଦିଏ । ବାରମ୍ବାର ଆକ୍ରମଣ କରି ମା' ତାକୁ ନିଜର ଏକ ନୂଆ ଇଲାକା ଖୋଜିବାକୁ ବାଧ୍ୟ କରେ ।
ଗୋଟିଏ ମାଈ ବାଘ ପାଇଁ ପ୍ରାୟ ୧୫-୨୦ ବର୍ଗ କିଲୋମିଟର ଅଞ୍ଚଳ ଯଥେଷ୍ଟ ହୋଇଥାଏ । କିନ୍ତୁ ଏକ ଅଣ୍ଡିରା ବାଘକୁ ପ୍ରାୟ ୧୦୦ ବର୍ଗ କିଲୋମିଟର ଅଞ୍ଚଳ ଦରକାର ପଡ଼ିଥାଏ, କାରଣ ସେ ନିଜ ଅଧୀନରେ ୪-୫ଟି ମାଈ ବାଘଙ୍କ ସହ ସମ୍ପର୍କ ରଖିବାକୁ ଚାହେଁ । ଏକ ଉପଯୁକ୍ତ ଇଲାକାରେ ତିନିଟି ଜିନିଷ ରହିବା ଆବଶ୍ୟକ– ନିରାପଦ ଆଶ୍ରୟ, ପ୍ରଚୁର ଖାଦ୍ୟ (ଶିକାର) ଏବଂ ଜଳାଶୟ । ଅଣ୍ଡିରା ବାଘମାନେ ସାଧାରଣତଃ ନୂଆ ଅଞ୍ଚଳ ଦଖଲ କରିବାକୁ ଯାଇ ପୁରୁଣା ଶକ୍ତିଶାଳୀ ବାଘଙ୍କ ସହ ସଂଘର୍ଷ କରନ୍ତି । ଅନେକ ସମୟରେ ଏହି ଲଢ଼େଇ ଭୟଙ୍କର ରୂପ ନିଏ । ମୃତ୍ୟୁବରଣ କରୁଥିବା ଅଧିକାଂଶ ବାଘ ସେହି ଯୁବ ବାଘ ହୋଇଥାନ୍ତି, ଯେଉଁମାନେ ନିଜ ଜନ୍ମସ୍ଥାନ ଛାଡ଼ି ନୂଆ ଘର ଖୋଜୁଥାନ୍ତି । ମହାରାଷ୍ଟ୍ରର ଚନ୍ଦ୍ରପୁର (ଟଡୋବା) ଅଞ୍ଚଳରେ ବର୍ତ୍ତମାନ ୩୦୦ରୁ ଅଧିକ ବାଘ ଅଛନ୍ତି । ଏତେସଂଖ୍ୟକ ବାଘ ଥିବାରୁ ସେଠାରେ ପ୍ରତ୍ୟେକ ଇଲାକା ଶକ୍ତିଶାଳୀ ବାଘଙ୍କ ଦ୍ୱାରା ଅକ୍ତିଆର ହୋଇସାରିଛି । ଏହି ଯୁବ ବାଘଟି (୩-୪ ବର୍ଷ) ସେଠାରେ ନିଜର ସ୍ଥାନ ପାଇବାରେ ବିଫଳ ହୋଇଥାଇପାରେ । ଟଡୋବାରେ ଅତ୍ୟଧିକ ଭିଡ଼ ଯୋଗୁଁ ସେଠାରୁ ବାହାରି ଆସିବା ତା'ପାଇଁ ବୋଧହୁଏ ଅନିର୍ଯ୍ୟାପ୍ତ ଥିଲା । ଜଙ୍ଗଲରୁ ଜଙ୍ଗଲ ସଂଯୋଗ ଥିବା ଛତିଶଗଡ଼ ଦେଇ ଏହି ଯୁବ ବାଘଟି ଶିମିଳିପାଳ ପର୍ଯ୍ୟନ୍ତ ପହଞ୍ଚିଛି ବୋଲି ଧାରଣା ହୁଏ ।
ଓଡ଼ିଶାର ଅନେକ ଜଙ୍ଗଲ ଭଳି ଛତିଶଗଡ଼ରେ ମଧ୍ୟ ବାଘ ଓ ଶିକାର ପଶୁ ସଂଖ୍ୟା ବହୁତ କମ୍ । ତେଣୁ ଛତିଶଗଡ଼ରେ ଶିକାରର ଅଭାବ ଥିବାରୁ ସେ ଆହୁରି ଆଗକୁ ଚାଲିଥିଲା । ଶିମିଳିପାଳରେ ପ୍ରଚୁର ଖାଦ୍ୟ ଏବଂ ମାଈ ବାଘ ଥିବାରୁ ଏହା ତାକୁ ଆକର୍ଷିତ କରିଛି । ଜଣେ ଅଣ୍ଡିରା ବାଘ ନିଜ ଇଲାକା ଜଗିବା ପାଇଁ ଗୋଟିଏ ରାତିରେ ପ୍ରାୟ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରେ । ତେଣୁ ନୂଆ ବାସସ୍ଥାନ ପାଇଁ ୧୫୦୦ କିଲୋମିଟର ପଥ ଅତିକ୍ରମ କରିବା ତା' ପାଇଁ ଅସମ୍ଭବ ନୁହେଁ । ଏହି ଯାତ୍ରା ପ୍ରମାଣିତ କରେ ଯେ, ବନ୍ୟପ୍ରାଣୀମାନେ ନିଜର ଅସ୍ତିତ୍ୱ ଏବଂ ବଂଶବୃଦ୍ଧି ପାଇଁ କେତେ ସଂଘର୍ଷ କରିପାରନ୍ତି । ଶିମିଳିପାଳର ଘଞ୍ଚଜଙ୍ଗଲ ଏବଂ ଅନୁକୂଳ ପରିବେଶ ଏହି ଯୁବ ଅତିଥି ପାଇଁ ଏକ ନୂଆ ଭବିଷ୍ୟତ ନେଇଆସିଛି । କିନ୍ତୁ ଓଡ଼ିଶାରେ ବ୍ୟାଘ୍ରସଂଖ୍ୟା ହ୍ରାସପାଇବା କିମ୍ବା ଆଶାଜନକ ଭାବେ ବୃଦ୍ଧିନହେବା ଏବେ ଏକ ଗମ୍ଭୀର ଚିନ୍ତାର ବିଷୟ । ଭାରତର ଅନ୍ୟାନ୍ୟ ରାଜ୍ୟ ଯଥାମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବାଘସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବାବେଳେ ଓଡ଼ିଶାର ଭୌଗୋଳିକ ସ୍ଥିତି ଏବଂ ପ୍ରଚୁର ଜଙ୍ଗଲ ସତ୍ତେ୍ୱ ଏଠାରେ ସ୍ଥିତି ଭିନ୍ନ । ଓଡ଼ିଶାରେ ବାଘବଂଶ ବୃଦ୍ଧି ନହେବାର ସବୁଠାରୁ ବଡ଼ କାରଣ ହେଉଛି ଶିକାର । ବିଶେଷକରି ଶିମିଳିପାଳ ଏବଂ ସାତକୋଶିଆ ଭଳି ଅଭୟାରଣ୍ୟରେ ଶିକାରୀମାନେ ବାଘ ଏବଂ ସେମାନଙ୍କର ଖାଦ୍ୟ (ହରିଣ, ବରାହ) କୁ ଶିକାର କରୁଛନ୍ତି । ବାଘର ଚମଡ଼ା, ନଖ ଓ ହାଡ଼ ପାଇଁ ଅନ୍ତର୍ଜାତୀୟ ବଜାରରେ ଥିବା ଚାହିଦା ଯୋଗୁଁ ଚୋରା ଚାଲାଣକାରୀମାନେ ସକ୍ରିୟ ରହୁଛନ୍ତି । ଓଡ଼ିଶାରେ ବାଘସଂଖ୍ୟା ବୃଦ୍ଧି ନହେବାର ମଧ୍ୟ ଆଉ ଏକ ମୁଖ୍ୟ କାରଣ ହେଉଛି ଖାଦ୍ୟାଭାବ । ଜଣେ ବୟସ୍କ ବାଘପାଇଁ ବର୍ଷକୁ ପ୍ରାୟ ୫୦ରୁ ୬୦ଟି ବଡ଼ ପଶୁ (ଶମ୍ବର, ହରିଣ, ବରାହ) ଖାଦ୍ୟଭାବେ ଆବଶ୍ୟକ । କିନ୍ତୁ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀମାନେ ନିଜର ଖାଦ୍ୟପାଇଁ ଏହି ବନ୍ୟଜନ୍ତୁମାନଙ୍କୁ ଶିକାର କରିବା ଫଳରେ ବାଘମାନଙ୍କ ପାଇଁ ଖାଦ୍ୟସଙ୍କଟ ଦେଖାଦେଉଛି । ଖାଦ୍ୟ ଅଭାବରୁ ବାଘଙ୍କ ପ୍ରଜନନ କ୍ଷମତା ହ୍ରାସପାଏ ଏବଂ ସେମାନେ ଜନବସତି ଆଡ଼କୁ ମୁହାଁନ୍ତି ।
ଅନେକ ସମୟରେ ବାଘ ଗୋରୁ ମାରିଲେ ଗ୍ରାମବାସୀମାନେ ପ୍ରତିଶୋଧପରାୟଣ ହୋଇ ବିଷ ଦେଇ ବାଘକୁ ମାରିଦେବାର ନଜିର ରହିଛି । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମଧ୍ୟପ୍ରଦେଶରୁ ଅଣାଯାଇଥିବା ବାଘ (ମହାବୀର ଓ ସୁନ୍ଦରୀ)ଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ସଫଳ ହୋଇପାରିଲା ନାହିଁ । ଏହାର ମୁଖ୍ୟ କାରଣ ଥିଲା ସ୍ଥାନୀୟ ଲୋକଙ୍କ ବିରୋଧ ଏବଂ ବାଘଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ପ୍ରସ୍ତୁତିର ଅଭାବ । ଏହିସବୁ ସମସ୍ୟା ସମାଧାନର ପଥଗୁଡ଼ିକ ହେଲା: ଆଧୁନିକ ପ୍ରଯୁକ୍ତିବିଦ୍ୟା ଯଥା- ଡ୍ରୋନ ଏବଂ ସ୍ମାର୍ଟ ପାଟ୍ରୋଲିଂ ଜରିଆରେ ଶିକାରୀଙ୍କ ଉପରେ ନଜର ରଖିବା । ବିଭିନ୍ନ ଜଙ୍ଗଲ ମଧ୍ୟରେ ଥିବା ଯୋଗାଯୋଗ ପଥ ବା ‘କରିଡୋର'କୁ ସୁରକ୍ଷିତ ରଖିବା, ଯଦ୍ଦ୍ୱାରା ବାଘ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ସହଜରେ ଯାଇପାରିବେ ଏବଂ ବଂଶବୃଦ୍ଧି ହୋଇପାରିବ । ଅଭୟାରଣ୍ୟର କୋର୍ ଏରିଆରୁ ଗ୍ରାମଗୁଡ଼ିକୁ ସମ୍ମାନଜନକ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରିବା । ଜଙ୍ଗଲ ପାଶ୍ୱର୍ବର୍ତ୍ତୀ ଲୋକଙ୍କୁ ବାଘ ସଂରକ୍ଷଣର ଲାଭ ବିଷୟରେ ବୁଝାଇବା ଏବଂ ସେମାନଙ୍କୁ ‘ବନ୍ୟଜନ୍ତୁ ବନ୍ଧୁ' ଭାବେ ଗଢ଼େିତାଳିବା । ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ "ଇକୋ ଟୁରିଜିମ’ ବା ପର୍ଯ୍ୟଟନକୁ ଏକ ସୁରକ୍ଷା କବଚ ଭାବେ ବ୍ୟବହାର କରାଯାଇପାରିବ, ଯାହା ଅନ୍ୟ ରାଜ୍ୟମାନଙ୍କରେ ସଫଳ ହୋଇଛି । ସଫାରୀ ହେଉଛି ଏକ ପ୍ରାକୃତିକ ନିରୀକ୍ଷଣ ବ୍ୟବସ୍ଥା । ଓଡ଼ିଶାରେ ଉତ୍କୃଷ୍ଟ ଧରଣର ସଫାରୀର ଆବଶ୍ୟକତା ଏବଂ ଏହାର ଉପକାରିତା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଯେଉଁ ଅଞ୍ଚଳରେ ନିୟମିତ ସଫାରୀ ଗାଡ଼ି ଚଳାଚଳ କରେ, ସେଠାରେ ଶିକାରୀମାନେ ପ୍ରବେଶ କରିବାକୁ ଭୟ କରନ୍ତି । ସକାଳ ଓ ସନ୍ଧ୍ୟାରେ ପର୍ଯ୍ୟଟକ, ଗାଇଡ୍ ଏବଂ ଚାଳକମାନଙ୍କ ନିରନ୍ତର ଉପସ୍ଥିତି ଜଙ୍ଗଲ ଭିତରେ ଏକପ୍ରକାର ‘ସାମାଜିକ ପୋଲିସିଂ' ଭଳି କାମ କରେ । ଶିକାରୀମାନେ ସାଧାରଣତଃ ନିଛାଟିଆ ସ୍ଥାନ ଖୋଜନ୍ତି । ପର୍ଯ୍ୟଟନ ଚାଲିଥିବା ଅଞ୍ଚଳରେ ସେମାନଙ୍କର ଗତିବିଧି ଧରାପଡ଼ିଯିବାର ସମ୍ଭାବନା ଅଧିକ ଥାଏ । ସଫାରୀ ପାଇଁ ଜଙ୍ଗଲ ଭିତରେ ରାସ୍ତାଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଏ । ଏହାଦ୍ୱାରା ବନ ବିଭାଗ କର୍ମଚାରୀମାନେ ଅତିଶୀଘ୍ର ଜଙ୍ଗଲର ଗଭୀର ଅଞ୍ଚଳକୁ ପହଞ୍ଚି ପାରନ୍ତି ।
ପର୍ଯ୍ୟଟନ ଋତୁରେ ବନ କର୍ମଚାରୀମାନଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିଥାଏ, ଯାହା ପରୋକ୍ଷରେ ବାଘମାନଙ୍କୁ ସୁରକ୍ଷା ଦିଏ । ଅନ୍ୟ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶର କାହ୍ନା ବା ବାନ୍ଧବଗଡ଼ରେ ବାଘସଂଖ୍ୟା ବଢ଼ିବାର ଏକ ବଡ଼ କାରଣ ହେଉଛି ପର୍ଯ୍ୟଟନ । ଯେତେବେଳେ ସ୍ଥାନୀୟ ଯୁବକମାନେ ଗାଇଡ୍ କିମ୍ବା ଡ୍ରାଇଭର ଭାବେ ରୋଜଗାର କରନ୍ତି, ସେମାନେ ବୁଝିପାରନ୍ତି ଯେ "ବାଘ ବଞ୍ଚିଲେ ହିଁ ଆମର ଜୀବିକା ବଞ୍ଚିବ’ । ଏହାଦ୍ୱାରା ସେମାନେ ଶିକାରୀଙ୍କ ବିଷୟରେ ଖବର ଦିଅନ୍ତି ଏବଂ ଜଙ୍ଗଲ ନିଆଁ ଭଳି ସମସ୍ୟା ରୋକିବାରେ ସାହାଯ୍ୟ କରନ୍ତି । ଓଡ଼ିଶାରେ ସ୍ଥିତି ଓ ସମ୍ଭାବନା: ଯଦିଓ ଓଡ଼ିଶାରେ ଶିମିଳିପାଳ ଏବଂ ସାତକୋଶିଆରେ ସଫାରୀ ବ୍ୟବସ୍ଥା ଅଛି, କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ଏହା ଏତେ ବ୍ୟାପକ ବା ବୃତ୍ତିଗତ ନୁହେଁ । ସାତକୋଶିଆରେ ବାଘସଂଖ୍ୟା ଶୂନ୍ୟକୁ ଖସିଆସିବା ପରେ ପୁଣି ଥରେ ବାଘ ସଂରକ୍ଷଣ ପାଇଁ ଉଦ୍ୟମ ଚାଲିଛି । ଏଠାରେ ଯଦି ପର୍ଯ୍ୟଟନକୁ ବ୍ୟବସ୍ଥିତ କରାଯାଏ, ତେବେ ବାଘଙ୍କ ସୁରକ୍ଷା ବଢ଼ିବ ନିଶ୍ଚୟ । ଦେବ୍ରୀଗଡ଼ ଅଭୟାରଣ୍ୟରେ ଏବେ ସଫାରୀ ଏବଂ ସଂରକ୍ଷଣ କ୍ଷେତ୍ରରେ ଏକ ଭଲ ମଡେଲ ଭାବେ ଉଭା ହୋଇଛି ଯାହା ଅନ୍ୟମାନେ ଏହାକୁ ଏକ ଉଦାହରଣ ଭାବେ ଗ୍ରହଣ କରିପାରିବେ । ଓଡ଼ିଶାରେ "ଉତ୍କୃଷ୍ଟ ଧରଣର ସଫାରୀ’ କହିଲେ ଏପରି ଏକ ବ୍ୟବସ୍ଥାକୁ ବୁଝାଏ, ଯେଉଁଠି ପର୍ଯ୍ୟଟନ ହେବ, କିନ୍ତୁ ବନ୍ୟପ୍ରାଣୀଙ୍କ ଶାନ୍ତି ଭଙ୍ଗ ହେବନାହିଁ । ନିଶ୍ଚିତ ଭାବେ, ଯଦି ସରକାର ଅଧିକ ‘ଟାଇଗର ସଫାରୀ' ଏବଂ କଠୋର ନିରୀକ୍ଷଣ ବ୍ୟବସ୍ଥା କରନ୍ତି, ତେବେ ଶିକାରୀଙ୍କ ପ୍ରାଦୁର୍ଭାବ କମିବ ଏବଂ ବାଘସଂଖ୍ୟା ବୃଦ୍ଧିପାଇବ । ଶିମିଳିପାଳ ଅଭୟାରଣ୍ୟ କେବଳ ଓଡ଼ିଶା ନୁହେଁ, ବରଂ ସାରା ଭାରତର ଏକ ଗୌରବ । ଏହା ଏସିଆର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଏବଂ ଓଡ଼ିଶାର ବ୍ୟାଘ୍ର ସଂରକ୍ଷଣର ମୁଖ୍ୟ କେନ୍ଦ୍ର । ତେଣୁ ଶିମିଳିପାଳରେ ହିଁ ସଫାରୀ ଏବଂ ସୁରକ୍ଷା ବ୍ୟବସ୍ଥାର ସବୁଠାରୁ ବଡ଼ ପରୀକ୍ଷାଶାଳା ହେବା ଉଚିତ । ଶିମିଳିପାଳ ହେଉଛି ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠାରେ ପ୍ରାକୃତିକ ପରିବେଶରେ କଳାବାଘ ଦେଖାଯାନ୍ତି । ଏହି ବାଘମାନଙ୍କ ଶରୀରରେ କଳା ପଟା ଦାଗଗୁଡ଼ିକ ଅଧିକ ମୋଟା ଏବଂ ପରସ୍ପର ସହ ମିଶି ରହିଥାଏ ।
ଏହି ଦୁର୍ଲଭ ପ୍ରଜାତିର ବାଘଙ୍କ ସଂରକ୍ଷଣ ପାଇଁ ଶିମିଳିପାଳର ଗୁରୁତ୍ୱ ଅପରିସୀମ । କିନ୍ତୁ ଶିମିଳିପାଳ ଏତେବଡ଼ ଜଙ୍ଗଲ ଯେ ଏହାର ପ୍ରତିଟି କୋଣକୁ ସୁରକ୍ଷା ଦେବା ବନ ବିଭାଗ ପାଇଁ କଷ୍ଟକର । ତେଣୁ ଯଦି ଶିମିଳିପାଳର କୋର୍ ଏରିଆ ବାହାରେ ଏବଂ ବଫର ଜୋନ୍ରେ ଅଧିକ ସୁବ୍ୟବସ୍ଥିତ ସଫାରୀ କରାଯାଏ, ତେବେ ଶିକାରୀଙ୍କ ପାଇଁ ଜଙ୍ଗଲରେ ପ୍ରବେଶ କରିବା କଷ୍ଟକର ହେବ । ବର୍ତ୍ତମାନ ଶିମିଳିପାଳରେ ସୀମିତ ସଫାରୀ ରୁଟ୍ ରହିଛି । ଏହାକୁ ଯଦି ବୃତ୍ତିଗତ ଭାବେ ବଢ଼ାଯାଏ, ତେବେ ପର୍ଯ୍ୟଟକଙ୍କ ସମାଗମ ଯୋଗୁଁ ବନ କର୍ମଚାରୀମାନେ ଅଧିକ ସକ୍ରିୟ ରହିବେ । ସଫାରୀ ଗାଡ଼ିଗୁଡ଼ିକରେ ୱାୟରଲେସ୍ ସେଟ୍ ଏବଂ ଜିପିଏସ୍ ରହିଲେ ବନ ବିଭାଗର "ଇଣ୍ଟେଲିଜେନ୍ସ ନେଟୱର୍କ’ ଶକ୍ତିଶାଳୀ ହେବ । ଏହାଦ୍ୱାରା ମଧ୍ୟ ସରକାର ଯଦି ବୃତ୍ତିଗତ ଟାଇଗର ସଫାରୀ ଏବଂ କଠୋର ନିରୀକ୍ଷଣ ବ୍ୟବସ୍ଥା କରନ୍ତି, ତେବେ ଶିକାରୀଙ୍କ ପ୍ରାଦୁର୍ଭାବ କମିବ । କେବଳ ସରକାରୀ ପ୍ରଚେଷ୍ଟା ନୁହେଁ, ବରଂ ଜନସାଧାରଣ ଏବଂ ପରିବେଶବିତ୍ଙ୍କ ମିଳିତ ସହଯୋଗରେ ହିଁ ଓଡ଼ିଶାର ଜଙ୍ଗଲ ପୁଣି ବାଘ ଗର୍ଜନରେ ପ୍ରକମ୍ପିତ ହେବ ।