ରାଉରକେଲା,୨୩/୦୫ : ଜଙ୍ଗଲ ହିଁ ଥିଲା ଠିକଣା । ଲାଲ୍ଗଡ଼ ସରଣ୍ଡାକୁ କରିଥିଲେ ଘର । ହାତରେ ବନ୍ଧୁକ । ମନରେ ବିପ୍ଳବର ନିଆଁ । ମାତିଥିଲେ ରକ୍ତପାତରେ । ସରକାରୀ ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଉଥିଲେ । ସାଜିଥିଲେ ହିଂସା ପଥର ପଥିକ । କିନ୍ତୁ କୋଳକୁ ସନ୍ତାନ ଆସିବା ପରେ ବଦଳିଗଲା ଦୃଷ୍ଟିଭଙ୍ଗୀ । ହିଂସାର ପଥ ତ୍ୟାଗ କରିବାକୁ ପଣ କଲେ । ବନ୍ଧୁକ ଛାଡ଼ି ହଳ ଲଙ୍ଗଳ ଧରିବାକୁ ନିଷ୍ପତ୍ତି ନେଲେ । ମାଓ ଦମ୍ପତି ବିଜ ହାଁସଦା ଓରଫ୍ ଦର୍ଶନ (୩୬) ଓ ଶାନ୍ତି କୋଡ଼ା ଓରଫ୍ ବନ୍ଦନା (୨୦) ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତକୁ ଫେରିବା ପଛର ମୁଖ୍ୟ କାରଣ ସେମାନଙ୍କର ନବଜାତ ଛୁଆ ବୋଲି ଜଣାପଡ଼ିଛି ।
ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟାନାଗରା ଥାନା ହାତନାବୁରୁ ଗ୍ରାମର ନିବାସୀ ଦର୍ଶନ । ସେହିପରି ଗୋଏଲକେରା ଥାନା ଅନ୍ତର୍ଗତ ହାତୀବୁରୁ ଗ୍ରାମରେ ବନ୍ଦନାଙ୍କ ଘର । ପ୍ରାୟ ୧୦ ବର୍ଷ ପୂର୍ବେ ମାଓ ସଂଗଠନରେ ସାମିଲ ହୋଇଥିଲେ ଦର୍ଶନ । ମାଓନେତା ମିସିର ବେସ୍ରାଙ୍କ ସେ ଥିଲେ ଖାସ୍ ସହଯୋଗୀ । ସବ୍ଜୋନାଲ କମିଟି (ଏସ୍ଜେଡ୍ସି) ସଦସ୍ୟ ଥିବା ଦର୍ଶନ ଏସ୍ଏଲ୍ଆର ବନ୍ଧୁକ ଧରି ସରଣ୍ଡାରୁ କୋହ୍ଲାନ ଏବଂ ପୋଡ଼ାହାଟ ଜଙ୍ଗଲରେ ଖେଳାଇଥିଲେ ଆତଙ୍କ । ତାଙ୍କୁ ଧରିବାକୁ ନାକେଦମ ହୋଇ ପଡ଼ିଥିଲା ଝାଡ଼ଖଣ୍ଡ ପୁଲିସ୍ । ୩ ବର୍ଷ ପୂର୍ବେ ବନ୍ଦନା ମଧ୍ୟ ମାଓ ସଂଗଠନରେ ସାମିଲ ହୋଇଥିଲେ । ଆର୍ମ୍ସ କ୍ୟାଡର ଭାବେ ମହିଳା ସଂଗଠନର ନେତୃତ୍ୱ ନେଉଥିଲେ । ହେଲେ ମାଓହିଂସା, ରକ୍ତପାତ ଭିତରେ ଦର୍ଶନ-ବନ୍ଦନା ନିକଟତର ହେଲେ । ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ । ମାଓ କ୍ୟାମ୍ପରେ ସେମାନେ ପରସ୍ପରର ହାତ ଧରିଲେ । ୬ ମାସ ତଳେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।
ଗୋଟିଏ ପରେ ମାଓ ନିପାତ ଅଭିଯାନ ଏବଂ ଅନ୍ୟପଟେ ଛୁଆର ଭବିଷ୍ୟତ । ଏଭଳି ଦ୍ୱନ୍ଦ୍ୱ ଓ ଆଶଙ୍କାରେ ଥିବାବେଳେ ଆତ୍ମସମର୍ପଣ ଆଡ଼କୁ ଢଳିଥିଲେ ମାଓ ଦମ୍ପତି । ସନ୍ତାନ ପ୍ରତି ମମତା ଓ ହିଂସାର ଲଢ଼େଇରେ ଜିତିଗଲା ମମତା । ୬ ମାସର ଛୁଆକୁ ଧରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସ୍ଥିର କଲେ ଦର୍ଶନ ଏବଂ ବନ୍ଦନା । ଗତ ଗୁରୁବାର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ୨୭ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଏହି ଦମ୍ପତି । ଦର୍ଶନ ଓ ବନ୍ଦନା କହିଛନ୍ତି, ଦୁହେଁ ଗାଁକୁ ଫେରିବେ । ଚାଷବାସ କରିବେ । ଛୁଆକୁ ନେଇ ସୁଖର ସଂସାର କରିବେ । ସରକାରଙ୍କ ପକ୍ଷରୁ ଯେଉଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ, ସେଥିରେ ପିଲାକୁ ପଢ଼ାଇବେ ।
ଏହି ଖବରଟିକୁ ପଢନ୍ତୁ- ଖାକି ବାହିନୀରେ ବିଚିତ୍ର ବ୍ୟବସ୍ଥା ! ମୌଖିକ ଆଦେଶରେ ବଦଳି ହୋଇ ବର୍ଷ ବର୍ଷ ହେଲା ଫାଇଲ୍ ବୋହୁଛନ୍ତି ମାଳମାଳ ସିପାହୀ