କଟକ, ୨୩/୦୫ : ସଶସ୍ତ୍ର ବାହିନୀ (ଆର୍ମଡ୍‌ ପୁଲିସ)ର ବିଭିନ୍ନ ବାଟାଲିୟନ୍‌ରୁ ପୁଲିସ ମୁଖ୍ୟାଳୟ ଓ ଅନ୍ୟ ଏଷ୍ଟାବ୍ଲିସ୍‌ମେଣ୍ଟ୍‌କୁ ବଦଳି ହେବା ପାଇଁ ଡିଜିପି କିମ୍ବା ସ୍ପେସାଲ୍‌ ଆର୍ମଡ ପୁଲିସ ମୁଖ୍ୟଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ। ମାତ୍ର ଫୋନ୍‌ କଲ୍‌ ଏବଂ ମୌଖିକ ଆଦେଶରେ ବାଟାଲିୟନ୍‌ରୁ ବର୍ଷ ବର୍ଷ ହେଲା ବଦଳି ହୋଇ ଆସି ଅମଲାଙ୍କ ପାଖରେ ମାଳମାଳ ସିପାହୀ ଫାଇଲ୍‌ପତ୍ର ବୋହୁଛନ୍ତି । ସିପାହୀ ଫାଇଲ୍‌ ବୋହିବା ସମ୍ପର୍କିତ ଖବର ‘ପ୍ରମେୟ’ରେ ପ୍ରକାଶିତ ହେବା ପରେ ଉକ୍ତ ଘଟଣାର ଖୋଳତାଡ଼ ହେବାରୁ ଖାକି ବାହିନୀରେ ଏଭଳି ବିଚିତ୍ର ବଦଳି ବ୍ୟବସ୍ଥା ଚାଲିଥିବାର ରୋଚକ ତଥ୍ୟ ଲୋକଲୋଚନକୁ ଆସିଛି । 

ଟେଲିଫୋନ୍‌ କଲ୍‌ରେ ଏବଂ ମୌଖିକ ଆଦେଶରେ ଦୀର୍ଘ ବର୍ଷ ହେଲା ଆସି ପୁଲିସ ମୁଖ୍ୟାଳୟରେ ଅମଲାଙ୍କ ଫାଇଲ୍‌ ବୁହାରେ ନିୟୋଜିତ ହୋଇଥିବା ସିପାହୀଙ୍କ ମଧ୍ୟରୁ ସର୍ବାଧିକ କଟକ ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ର ସିପାହୀ । ଖୋର୍ଦ୍ଧାସ୍ଥିତ ଷଷ୍ଠ ଇଣ୍ଡିଆନ୍‌ ରିଜର୍ଭ ବାଟାଲିୟନ୍‌ ଏବଂ ଯାଜପୁର ତୃତୀୟ ଆଇଆର୍‌ ସମେତ ଅନ୍ୟ ବାଟାଲିୟନ୍‌ରୁ ସିପାହୀମାନେ ମୌଖିକ ଆଦେଶରେ କେଉଁ ମସିହାରୁ ଆସି ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ହୋଇଛନ୍ତି ତାହା ରେକର୍ଡପତ୍ରରେ ଉଲ୍ଲେଖ ଥିଲେ ହେଁ ଷଷ୍ଠ ବାଟାଲିୟନ୍‌ର ସିପାହୀ କେବେଠୁ ଆସି ପୁଲିସ ମୁଖ୍ୟାଳୟରେ କାମ କରୁଛନ୍ତି ସେ ବାବଦରେ ଫାଇଲ୍‌ରେ କିଛି ଉଲ୍ଲେଖ ନ ରହିବା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା ପୁଲିସ ବିଭାଗର କେତେକ ବରିଷ୍ଠ ଅଧିକାରୀଙ୍କୁ ତାଜୁବ୍‌ କରିଛି । 

ଅମଲାଙ୍କ ପାଖରେ ନିୟୋଜିତ ସିପାହୀମାନଙ୍କୁ ସେମାନଙ୍କ ମୂଳ ଜାଗାକୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ରାଜ୍ୟ ପୁଲିସ ମୁଖ୍ୟାଳୟରୁ ହିଁ ପ୍ରଥମେ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୬ ସିପାହୀଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ସେମାନଙ୍କ ବାଟାଲିୟନ୍‌କୁ ଫେରାଇବା ପାଇଁ ଏସ୍‌ଏପି ଏଡିଜି ନିର୍ଦ୍ଦେଶ ଦେଇଛନ୍ତି । ଫାଇଲ୍‌ ବୁହାରେ ନିୟୋଜିତ ସିପାହୀମାନଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ବାଟାଲିୟନ୍‌କୁ ଫେରାଇ ଦେବା ପାଇଁ ଡିଜିଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଡିଜିଙ୍କ ଏହି ନିର୍ଦ୍ଦେଶକୁ ଜରୁରି ଭାବେ କାର୍ଯ୍ୟକାରୀ କରାଇବା ପାଇଁ ଏସ୍‌ଏପି ଅତିରିକ୍ତ ଡିଜିଙ୍କ ପକ୍ଷରୁ ପୁଲିସ ମୁଖ୍ୟାଳୟ ଏଡିଜି, ପୁଲିସ ଆଧୁନିକୀକରଣ, ଲ ଆଣ୍ଡ୍‌ ଅର୍ଡର ଏଡିଜି, ଆଇଜି ଏବଂ ଡିଆଇଜି ପର୍ସାନେଲ୍‌ଙ୍କ ସମେତ ପ୍ରୋଭିଜନିଙ୍ଗ୍‌ ଡିଆଇଜିଙ୍କୁ ଚିଠି ଲେଖାଯାଇଛି । ରାଜ୍ୟର ବିଭିନ୍ନ ବାଟାଲିୟନ୍‌ରୁ ୫ ଶହରୁ ଅଧିକ ସିପାହୀ ଏବଂ କନଷ୍ଟେବଲ୍‌ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଗୁଡ଼ିକରେ ନିୟୋଜିତ ଥିବା ଖବର ମିଳିଛି । ବାଟାଲିୟନ୍‌ରୁ ଅନ୍ୟତ୍ର ଯିବା ପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ । ସିପାହୀଙ୍କ ସୁବିଧା ପାଇଁ ଯିଏ ଯାହାକୁ ଧରାଧରି କରି ମୌଖିକ ଭାବେ ଫୋନ୍‌ରେ କୁହାଇ ବାଟାଲିୟନ୍‌ରୁ ବଦଳି ହୋଇ ଅନ୍ୟତ୍ର ନିୟୋଜିତ ଅଛନ୍ତି । 

ଖାକି ବାହିନୀରେ ଜଣେ ପୁଲିସ କର୍ମଚାରୀ ମୂଳ ନିଯୁକ୍ତି ସ୍ଥାନରୁ ଅନ୍ୟତ୍ର ବଦଳି ହୋଇ ଗଲେ ମୁଖିଆଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥାଏ । ମାତ୍ର ଫୋନ୍‌ରେ ଏବଂ ମୌଖିକ ଭାବେ କହି ବଦଳି କରାଇନେବା ପରି ବିଚିତ୍ର ଘଟଣା ପୁଲିସ ବିଭାଗର ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ବାବଦରେ ପୁଲିସ ମୁଖ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ କେହି କିଛି କହିବାକୁ ମନା କରି ଦେଇଥିଲେ ।

ଏହି ଖବରଟିକୁ ପଢନ୍ତୁ- Summer Power Cuts : ସକାଳ ସାଢ଼େ ୫ରୁ ଗୁଳୁଗୁଳି, ଗରମକୁ ବିଦ୍ୟୁତ୍‌ କାଟ ଯନ୍ତ୍ରଣା